ରାଜ୍ୟରେ ପୂର୍ବାହ୍ଣ ୧୦ରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲିବ, ପୂର୍ଣ ଉପସ୍ଥାନ ସହ କାମ କରିବେ କର୍ମଚାରୀ

ଭୁବନେଶ୍ୱର : ଲକଡାଉନ ୪.୦ ସମୟରେ ବିଭିନ୍ନ ସରକାରୀ ଅଫିସ ଓ ବ୍ୟାବସାୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଥିବାରୁ ଓଡ଼ିଶା ସରକାର ସରକାରୀ ଅଫିସ ଓ ବ୍ୟାଙ୍କଗୁଡ଼ିକୁ  ପୂର୍ଣ୍ଣ  ଉପସ୍ଥାନ ସହ କାର୍ଯ୍ୟକରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ବ୍ୟାଙ୍କଗୁଡ଼ିକୁ ସ୍ୱାଭାବିକଭାବେ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲିବାକୁ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଲୋକମାନଙ୍କୁ ସ୍ୱାଭାବିକ ଭାବେ ସେବା ଯୋଗାଣ ପାଇଁ ସରକାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି ।

ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ସବୁ ସିଡ୍ୟୁଲଡ ବ୍ୟାଙ୍କ,ସମବାୟ ବ୍ୟାଙ୍କ ଓ ଆଞ୍ଚଳିକ ବ୍ୟାଙ୍କ ସବୁ କାର୍ଯ୍ୟଦିବସରେ ନିଜର ପୂର୍ଣ୍ଣ କର୍ମଚାରୀ କ୍ଷମତା ସହ ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲି ଲୋକମାନଙ୍କୁ ସେବା ଯୋଗାଇଦେବେ । ସେହିପରି ବ୍ୟାଙ୍କିଙ୍ଗ କରେସପଣ୍ଡେନ୍ସ ଓ ଗ୍ରାହକ ସେବା କେନ୍ଦ୍ର (କଷ୍ଟମର ସର୍ଭିସ ପଏଣ୍ଟ ) ଗୁଡ଼ିକ ସକାଳ ୭ଟାରୁ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ଖୋଲିବେ । ଗ୍ରାମାଞ୍ଚଳ ଗ୍ରାହକଙ୍କ ପାଇଁ ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ଏଗୁଡ଼ିକ ଖୋଲି ସେବା ଯୋଗାଇପାରିବେ ।

ସୂଚନାଯୋଗ୍ୟ ଯେ ଗତ ସୋମବାରଠାରୁ ରାଜ୍ୟରେ ସରକାରୀ ଅଫିସ ଗୁଡ଼ିକ ସ୍ୱାଭାବିକ ଭାବେ ଖୋଲିବା ଆରମ୍ଭ କରିଛି । ତେବେ ରାଜ୍ୟରେ ସ୍କୁଲ ଓ କଲେଜକୁ ଏପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇନାହିଁ ।

ସମ୍ବନ୍ଧିତ ଖବର