ସାଇବର ଅପରାଧୀଙ୍କ ଟାର୍ଗେଟ୍‌ରେ ବ୍ୟାଙ୍କ୍‌: ଚେକ୍ କ୍ଲୋନ୍‌ କରି ୪ କୋଟି ସରକାରୀ ଟଙ୍କା ଲୁଟ୍

୩ ମାସରେ ବ୍ୟାଙ୍କ୍ ଅଫ୍ ବରୋଦାର ୪ ଶାଖାରୁ ଠକେଇ

କଟକ : ବ୍ୟାଙ୍କ୍ ଅଫ୍ ବରୋଦାରେ ଥିବା ସରକାରୀ ଜମାଖାତାକୁ ଟାର୍ଗେଟ୍ କରିଛନ୍ତି ସାଇବର୍ ଅପରାଧୀ। ଜାଲ୍ ଦସ୍ତଖତ ଓ କ୍ଲୋନିଂ ହୋଇଥିବା ଚେକ୍ ବ୍ୟବହାର କରି ମାତ୍ର ୩ ମାସ ଭିତରେ ୪ଟି ବ୍ୟାଙ୍କ୍ ଅଫ୍ ବରୋଦା ଶାଖାରୁ ୪ କୋଟି ୩ ଲକ୍ଷ ୫୫ ହଜାର ୮୦୦ ଟଙ୍କା ହଡ଼ପ୍ ଘଟଣା ଏବେ ଉଦ୍‌ବେଗଜନକ ସ୍ଥିତି ସୃଷ୍ଟି କରିଛି। ଟଙ୍କା ଚେକ୍ ମାଧ୍ୟମରେ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍‌ସଫର୍ ସମୟରେ ବ୍ୟାଙ୍କ ଖାତା ସହିତ ସଂଯୁକ୍ତ ମୋବାଇଲକୁ କୌଣସି ମେସେଜ୍ ଆସିନାହିଁ କି ବ୍ୟାଙ୍କ୍ ଅଧିକାରୀ କ୍ଲିଅରାନ୍ସ ପାଇଁ ଖାତାଧାରୀଙ୍କୁ ପଚାରି ନାହାନ୍ତି। ଏଥିରେ ବ୍ୟାଙ୍କ ଅଧିକାରୀଙ୍କ ଭୂମିକା ବି ସନ୍ଦେହଘେରକୁ ଆସିଛି।

କିଛିମାସ ମଧ୍ୟରେ ଏହିଭଳି କେତେକ ଘଟଣା ସାମ୍‌ନାକୁ ଆସିଛି। ମାର୍ଚ୍ଚ ୨୪ ତାରିଖରେ କେନ୍ଦୁଝର ବଡ଼ବିଲ ମ୍ୟୁନିସିପାଲିଟର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡାଙ୍କ ଜାଲ୍ ଦସ୍ତଖତ ବଳରେ ୪ଟି ଚେକ୍ ଲଗାଇ ୨ କୋଟି ୪୫ ଲକ୍ଷ ସରକାରୀ ଟଙ୍କା ହଡ଼ପ ହୋଇଥିଲା। ଚେକ୍ କ୍ଲିଅର୍ ପୂର୍ବରୁ ବ୍ୟାଙ୍କ ତରଫରୁ କୌଣସି ସୂଚନା ବି ନଥିଲା। ଇଓଡବ୍ଲୁ ଏହି ମାମଲାରେ ପଶ୍ଚିମବଙ୍ଗ ବାରାକପୁରର ସୁବାସ ଗିରି ଓ ଛତିଶଗଡ଼ ରାୟପୁରର ସୟଦ ସାହେବଜ୍ ନକଭିକୁ ଗିରଫ କରିଥିଲା। କିନ୍ତୁ, ଏହି କାରବାର ପଛର କାର୍ପଟଦାରଙ୍କୁ ଠାବ କରାଯାଇପାରିଲା ନାହିଁ। ସୁବର୍ଣ୍ଣପୁର ସୋନପୁର ମହାବିଦ୍ୟାଳୟର ସୋନପୁର ବ୍ୟାଙ୍କ୍ ଅଫ୍ ବରୋଦା ଶାଖାରେ ଥିବା ଖାତାରୁ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ହଡ଼ପ୍ ହୋଇଥିଲା। ଗଲା ୧୦ ତାରିଖ ଶୁକ୍ରବାର ଦିନ କଲେଜ କର୍ତ୍ତୃପକ୍ଷ ଖାତା ଯାଞ୍ଚ ସମୟରେ ଏହା ଜଣାପଡ଼ିଥିଲା। କଲେଜ ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ସୋନପୁର ଥାନାରେ ଏତଲା ଦେଇଥିଲେ। ସେହିଭଳି ହସ୍ତତନ୍ତ ସହକାରୀ ନିର୍ଦ୍ଦେଶକଙ୍କ ଜଗତସିଂହପୁର ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଥିବା ଆକାଉଣ୍ଟରୁ ଗଲା ୧୭ ତାରିଖରେ ଦସ୍ତଖତ ଜାଲ୍ କରି ୪୬ ଲକ୍ଷ ୧୨ ହଜାର ୯୦୦ ଟଙ୍କା ହଡ଼ପ ହୋଇଛି। କୃଷି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ନାଁରେ କଟକ ନୂଆବଜାର ବ୍ୟାଙ୍କ୍ ଅଫ୍ ବରୋଦା ଶାଖାରେ ଥିବା ସଞ୍ଚୟ ଖାତାରୁ ଗଲା ୨ ତାରିଖରେ ଜାଲି ଦସ୍ତଖତ ବଳରେ ୪୨ ଲକ୍ଷ ଟଙ୍କା ହଡ଼ପ୍ ହୋଇଛି। ଗଲା ୨୨ ତାରିଖରେ କଟକ କମିସନରେଟ୍ ପୁଲିସର ସାଇବର୍ ଥାନାରେ ଏହାକୁ ନେଇ ଅଭିଯୋଗ ହୋଇଥିଲା।

ଏକ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଚେକ୍ ମାଧ୍ୟମରେ ଟ୍ରାନ୍ସଫର୍ ହେଲେ ବ୍ୟାଙ୍କ୍ କର୍ତ୍ତୃପକ୍ଷ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଫୋନ୍ କରି ଏ ସଂକ୍ରାନ୍ତରେ ଅନୁମତି ନେଇଥା’ନ୍ତି। ଅଥଚ ଏହି ଚାରିଟି ବ୍ୟାଙ୍କରେ ଲକ୍ଷାଧିକ ଟଙ୍କାର ଚେକ୍ ମାଧ୍ୟମରେ ଟଙ୍କା ଟ୍ରାନ୍ସଫର୍‌ ହୋଇଥିବା ବେଳେ ଆକାଉଣ୍ଟଧାରୀ ଏ ସଂକ୍ରାନ୍ତରେ କିଛି ଜାଣନ୍ତି ନାହିଁ। ସାଇବର୍ ଅପରାଧୀ ମୁଖ୍ୟତଃ ସ୍କୁଲ, କଲେଜ, ସରକାରୀ ପ୍ରତିଷ୍ଠାନର ଆକାଉଣ୍ଟକୁ ଟାର୍ଗେଟ୍ କରୁଛନ୍ତି। ଏମାନେ ବ୍ୟାଙ୍କ୍ ଆକାଉଣ୍ଟ ନିୟମିତ ଯାଞ୍ଚ କରୁ ନଥିବାରୁ ଏହାର ଫାଇଦା ସାଇବର ଅପରାଧୀ ନେଇଥିବା କୁହାଯାଉଛି।

କେମିତି ହୁଏ ଚେକ୍ କ୍ଲୋନ୍‌?

ଉତ୍ତରପ୍ରେଦଶ, ଦିଲ୍ଲୀ, ମହାରାଷ୍ଟ୍ରରେ ଏଭଳି ଧରଣର ବ୍ୟାଙ୍କ୍ ଚେକ୍ କ୍ଲୋନିଂ ଗ୍ୟାଙ୍ଗ୍ ବିଭିନ୍ନ ସମୟରେ ଧରାପଡ଼ିଛି। ଏହି ସାଇବର୍ ଅପରାଧୀଙ୍କ ସହିତ ମୁଖ୍ୟତଃ ବ୍ୟାଙ୍କର କର୍ମଚାରୀଙ୍କ ସମ୍ପୃକ୍ତି ରହିଥାଏ। ବ୍ୟାଙ୍କ କର୍ମଚାରୀ ଗ୍ରାହକଙ୍କ ଆକାଉଣ୍ଟ ସମ୍ପର୍କିତ ତଥ୍ୟ, ଦସ୍ତଖତ, ସାଦା ଚେକ ଯୋଗାଇଥାନ୍ତି। ସାଇବର୍ ଅପରାଧୀ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଲିଖିତ ଆବେଦନ କରି ଗ୍ରାହକଙ୍କ ମୋବାଇଲ୍ ନମ୍ବର ବି ବଦଳାଇ ଦିଅନ୍ତି। ଯାହାଫଳରେ ଟଙ୍କା ଉଠାଣ ସମୟରେ ଗ୍ରାହକଙ୍କ ମୋବାଇଲକୁ ମେସେଜ୍ ଯିବନାହିଁ। କେଉଁ ବ୍ୟକ୍ତିଙ୍କ ଆକାଉଣ୍ଟରେ ଅଧିକ ଟଙ୍କା ରହିଛି, ଏ ନେଇ ପ୍ରଥମେ ବ୍ୟାଙ୍କ୍ ଅଧିକାରୀଙ୍କ ନିକଟରୁ ହିଁ ସ୍ପଷ୍ଟ ହୁଅନ୍ତି। ବ୍ୟାଙ୍କ ଅଧିକାରୀଙ୍କ ମାଧ୍ୟମରେ ଚେକ୍ ଆସିବାପରେ ଚେକ୍‌କୁ ସ୍କାନ କରି କ୍ଲୋନ୍ କରିଥାନ୍ତି। ଚେକ୍ ଉପରେ ଲେଖାଯାଇଥିବା ଆକାଉଣ୍ଟ ନମ୍ବର, ଆଇଏଫଏସସି କୋଡ(ଏନଇଏଫଟି, ଆରଟିଜିଏସ,ଆଇଏମପିଏସ୍ ପାଇଁ ବ୍ୟବହାର ହୁଏ), ଏମଆଇସିଆର୍ କୋଡ, ଆକାଉଣ୍ଟଧାରୀଙ୍କ ନାଁକୁ ପଶ୍ଚିମବଙ୍ଗରୁ ଆସୁଥିବା ଏକ ସ୍ବତନ୍ତ୍ରଧରଣର କାଳୀରେ ଲେଖିଥା’ନ୍ତି। କୋରାଲ୍ ଡ୍ର’ ସଫ୍ଟଓୟାର ଏଥିପାଇଁ ବ୍ୟବହାର ହୋଇଥାଏ। ଏହି କାଳୀରେ ଲେଖିବା ଫଳରେ ବ୍ୟାଙ୍କରେ ନକଲି ଚେକ୍ ଅଲଟ୍ରା ଭାଇଓଲେଟ୍(ୟୁଭି) ରଶ୍ମିରେ ସ୍କାନ୍ ସମୟରେ ବି ଧରା ପଡ଼ିନଥାଏ। ଅନ୍ୟପଟେ ଚେକ୍ ବହି ପ୍ରିଣ୍ଟ କରିବା ପାଇଁ ଆଉଟସୋର୍ସିଂ ଏଜେନ୍ସି ଉପରେ ବ୍ୟାଙ୍କ ନିର୍ଭର କରୁଥିବାରୁ ସେମାନେ ବି ସନ୍ଦେହ ଘେରରେ ରହୁଥିବା କ୍ରାଇମବ୍ରାଞ୍ଚର ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର