ଲକ୍‌ଡାଉନ୍‌ ଅଞ୍ଚଳରେ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର: କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଓଡ଼ିଶାର ବ୍ୟାଙ୍କଗୁଡ଼ିକୁ ରାଜ୍ୟ ସରକାରଙ୍କ ପକ୍ଷରୁ କେତେକ ନିର୍ଦ୍ଦେଶାନାମା ଜାରି କରାଯାଇଛି। ଯେଉଁ ଜିଲ୍ଲା ଏବଂ ସହରାଞ୍ଚଳଗୁଡ଼ିକରେ ଲକ୍‌-ଡାଉନ୍‌ ବା ତାଲାବନ୍ଦ ଘୋଷଣା କରାଯାଇଛି ସେଠାରେ ବ୍ୟାଙ୍କଗୁଡ଼ିକ ସକାଳ ୧୦ଟାରୁ ୨ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ। କୌଣସି ପରିସ୍ଥିତିରେ ମଧ୍ୟ ୨ଟା ପୂର୍ବରୁ ବ୍ୟାଙ୍କ ବନ୍ଦ ହେବ ନାହିଁ କିମ୍ବା କୌଣସି କାର୍ଯ୍ୟ ଦିବସରେ ବ୍ୟାଙ୍କରେ ତାଲା ପଡ଼ିବ ନାହିଁ। ବ୍ୟାଙ୍କଗୁଡ଼ିକ ନିଜର ସୁବିଧା ଅନୁଯାୟୀ ଅର୍ଥାତ ୨ଜଣରୁ କମ୍‌ ବା ୭ଜଣରୁ ଅଧିକ ଷ୍ଟାଫ୍‌ ନିୟୋଜିତ କରିବେ ନାହିଁ। ଏଟିଏମ୍‌ଗୁଡ଼ିକୁ କାର୍ଯ୍ୟକ୍ଷମ ରଖିବା ପାଇଁ ନଗଦ ଟଙ୍କା ମହଜୁଦ ରହିବ।

ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନଗଦ ଅର୍ଥ ପଠାଗଲାବେଳେ ପୁଲିସ ସୁରକ୍ଷା ଦିଆଯିବା ସହିତ ସଂପୃକ୍ତ ବ୍ୟାଙ୍କ ମ୍ୟାନେଜର ନିର୍ଦ୍ଧାରିତ ଫର୍ମରେ ସିଲ୍‌ ଏବଂ ଦସ୍ତଖତ ଥିବା ପାସ୍‌ କର୍ମଚାରୀଙ୍କୁ ପ୍ରଦାନ କରିବେ ଏବଂ ସେମାନେ ନିଜର ପରିଚୟ ପତ୍ର ପୁଲିସକୁ ଦେଖାଇବ। ବ୍ୟାଙ୍କମାନେ ସେମାନଙ୍କର ସୂଚନା ପ୍ରଯୁକ୍ତି ଭିତ୍ତିଭୂମିକୁ ସବୁ ପରିସ୍ଥିତିରେ ସୁନିଶ୍ଚିତ କରିବେ। ବ୍ୟାଙ୍କମାନେ ସେମାନଙ୍କର ବିକଳ୍ପ ମାଧ୍ୟମ ଯଥା ମୋବାଇଲ ବ୍ୟାଙ୍କିଙ୍କ୍‌, ଇଣ୍ଟରନେଟ ବ୍ୟାଙ୍କିଂ, ଅନ୍‌ଲାଇନ୍‌ ପେମେଣ୍ଟ, ଏଟିଏମ୍‌ ଆଦି ବ୍ୟବହାର ପାଇଁ ଉତ୍ସାହିତ କରିବେ।

ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ଉପଭୋକ୍ତାମାନଙ୍କୁ ବ୍ୟାଙ୍କଗୁଡ଼ିକ ସେମାନଙ୍କର ସେବା ବିଷୟରେ ଜଣାଇବା ସହ କଲ ସେଣ୍ଟର ମାଧ୍ୟମରେ ୨୪ ଘଣ୍ଟିଆ ସେବା ପ୍ରଦାନ କରିବେ। ବ୍ୟାଙ୍କଗୁଡ଼ିକ ନଗଦ ଜମା/ଉଠାଣ, ଏନ୍‌ଇଏଫ୍‌ଟି, ଚେକ୍‌ କ୍ଲିୟରିଂ, ସରକାରୀ ଟ୍ୟାକ୍ସ କଲେକ୍‌ସନ୍‌ ଆଦି ନିୟମିତ କାର୍ଯ୍ୟ ଜାରି ରଖିବେ।

ସମ୍ବନ୍ଧିତ ଖବର