ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବଜାର ଅଞ୍ଚଳରେ ନୂଆ ବର୍ଷ ଅଭିନନ୍ଦନ ବ୍ୟାନର ଚିରାକୁ ନେଇ ବିବାଦ ସୃଷ୍ଟି ହୋଇଛି। ବିଶେଷ ଭାବେ ଶାସକ ବିଜେଡି ଦଳର ବିଭିନ୍ନ ପଦପଦବିରେ ଥିବା ବ୍ୟକ୍ତିଙ୍କ ପକ୍ଷରୁ ଅନେକ ବ୍ୟାନର ଲାଗିଛି। ବିଜେଡି ଦଳରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳ ନୂଆ ବର୍ଷ ଆରମ୍ଭରୁ ଦେଖିବାକୁ ମିଳିଛି। ବିଜୁବାବୁ, ନବୀନ ପଟ୍ଟନାୟକ ତଥା ଦଳୀୟ ଶଙ୍ଖ ଚିହ୍ନ ସହିତ ରାଜ୍ୟ ସାଧାରଣ ସମ୍ପାଦକ ଧନୁର୍ଜୟ ସିଧୁ, ରାଜ୍ୟ ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଜିଲ୍ଲା ମହିଳା ବିଜେଡି ସଭାପତି ରମଣୀ ନାୟକ, ଜିଲ୍ଲା ମହିଳା ବିଜେଡି ସମ୍ପାଦିକା ମମତା ଦେହୁରୀ, ଜିଲ୍ଲା ମିଡ଼ିଆ ସେଲ୍ ମହିଳା ସଭାପତି ଇଂ କୁମୁଦିନୀ ନାୟକଙ୍କ ଫଟୋ ରହିଥିବା ବ୍ୟାନର ଗୁଡ଼ିକକୁ କେହି ଦୁର୍ବୃତ୍ତ ଛିଣ୍ଡାଇ ଫୋପାଡ଼ି ଦେଇଥିବା ଅଭିଯୋଗ ହୋଇଛି।
ଯାହା ବିଜେଡି ଦଳ ଭିତରେ କୁହୁଳୁ ଥିବା ଗୋଷ୍ଠୀ କନ୍ଦଳ ପାଇଁ ଏପରି ଘଟିଥିବା ସାଧାରଣରେ ଆଲୋଚନା ହେଉଛି। ତେବେ ତେଲକୋଇ ମୁଖ୍ୟ ବଜାରରେ ଲଗା ଯାଇଥିବା କେତେକ ବ୍ୟାନର ଜଣେ ବ୍ୟବସାୟୀ ଚିରି ଫୋପାଡି ଦେଇଥିବା ନେଇ ସାଂସଦ ପ୍ରତିନିଧି କୈଳାସ ଚନ୍ଦ୍ର ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହା ଘଟଣାକୁ ଅଧିକ ଚର୍ଚ୍ଚାର ଖୋରାକ ଯୋଗାଇଛି। ଏନେଇ ପୂର୍ବତନ ବ୍ଲକ ବିଜେଡି ସଭାପତି ବାମଦେବ ରାଉତଙ୍କୁ ପଚାରିବାରୁ ବିଧାୟକଙ୍କ ସମର୍ଥକ ଏଭଳି କାଣ୍ଡ ଘଟାଇ ଥିବା ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ଏନେଇ ବ୍ଲକ ବିଜେଡି ସଭାପତି ସନ୍ତୋଷ କୁମାର ବିଶ୍ବାଳଙ୍କୁ ପଚାରିବାରୁ ସେ ୨/୩ ଦିନ ହେଲାଣି ବାହାରେ ଥିଲେ। ବ୍ୟାନର ଚିରା ଖବର ଜାଣିବା ପରେ ଏହାକୁ ନିନ୍ଦା କରିବା ସହିତ ଏଭଳି କାଣ୍ଡ କରିବା ଉଚିତ ନୁହେଁ ବୋଲି କହିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।