ଓଡ଼ିଶା ଆସୁଛି ନିଷିଦ୍ଧ କପା ବିହନ : ‌ଟିଟିଲାଗଡ଼ ଷ୍ଟେସନରେ ଚଢ଼ଉ, ସାଢ଼େ ୩୬ ଲକ୍ଷ ଟଙ୍କାର ବିହନ ଜବତ

ମଗାଇଥିଲେ ପାଟଣାଗଡ଼ର ବ୍ୟବସାୟୀ

ଟିଟିଲାଗଡ଼ : ଓଡ଼ିଶାକୁ ଆସୁଛି ନିଷିଦ୍ଧ ଘୋଷିତ ହୋଇଥିବା କପା ବିହନ। ରବିବାର ଟିଟିଲାଗଡ଼ ରେଳ ‌ଷ୍ଟେସନରେ କୃଷି ବିଭାଗର ଚଢ଼ଉ ପରେ ଏହା ସ୍ପଷ୍ଟ ହୋଇଛି। ଷ୍ଟେସନରୁ ସାଢ଼େ ୩୬ ଲକ୍ଷ ଟଙ୍କାର ନି‌ଷିଦ୍ଧ କପା ବିହନ ଜବତ କରାଯାଇଛି। ଏସବୁ ବିହନ ପାଟଣାଗଡ଼ର ବିହନ ବ୍ୟବସାୟୀ ରମେଶ ଜୈନ ମଗାଇଥିଲେ ବୋଲି ଜଣାପଡ଼ିଛି।

ଶନିବାର ଗୁଜୁରାଟର ଅହମଦାବାଦରୁ ଏହି ହାଇବ୍ରିଡ୍‌ କପା ବିହନ ଟ୍ରେନ୍‌ରେ ଆସି ଟିଟିଲାଗଡ଼ ପହଞ୍ଚିଥିଲା। ସୁକୁନ ସିଡ୍‌ସ୍‌ ନାମକ ଏକ କଂପାନି ଏହା ପଠାଇଥିଲା। ଟିଟିଲାଗଡ଼ ଷ୍ଟେସନରେ ୫ ହଜାର ପ୍ୟାକେଟରେ ଥିବା ୨୨ କୁଇଣ୍ଟାଲ ୫୦ କେଜି ବିହନ ଅନ୍‌ଲୋଡ୍‌ କରାଯାଇଥିଲା। ଏହାର ମୂଲ୍ୟ ୩୬ ଲକ୍ଷ ୫୦ ହଜାର ଟଙ୍କା ବୋଲି ଜଣାପଡ଼ିଛି। ଏହି ବିହନ ଟିଟିଲାଗଡ଼ରୁ ପାଟଣାଗଡ଼ ଯିବାର ଥିଲା। ଟିଟିଲାଗଡ଼ ଷ୍ଟେସନରେ ଓହ୍ଲାଇବା ପରେ ବିହନକୁ ନେଇ ସନ୍ଦେହ ସୃଷ୍ଟି ହେବାରୁ ଟିଟିଲାଗଡ଼ ଆର୍‌ପିଏଫ୍‌ ଥାନାଧିକାରୀ ସ୍ଥାନୀୟ କୃଷି ବିଭାଗକୁ ଏନେଇ ଖବର ଦେଇଥିଲେ। ଟିଟିଲାଗଡ଼ ଜିଲ୍ଲା କୃଷି ଅଧିକାରୀ ବାଳକୃଷ୍ଣ ଗୌଡ଼ଙ୍କ ନେତୃତ୍ବରେ ଚଢ଼ଉ କରାଯାଇଥିଲା। ଯାଞ୍ଚ ସମୟରେ ଏହି କପା ବିହନ ଓଡ଼ିଶାରେ ନିଷିଦ୍ଧ କରାଯାଇଥିବା ଜଣାପଡ଼ିଥିଲା। ସେତେବେଳେ ପାଟଣାଗଡ଼ର ବିହନ ବ୍ୟବସାୟୀ ଶ୍ରୀ ଜୈନ ଷ୍ଟେସନରେ ପହଞ୍ଚିଥିଲେ। କୃଷି ବିଭାଗ ତାଙ୍କୁ ଆବଶ୍ୟକ କାଗଜପତ୍ର ମାଗିବାରୁ ସେ ଦେଖାଇ ପାରି ନଥିଲେ। ଶ୍ରୀ ଜୈନ ଏହି ବିହନ ରାଜ୍ୟରେ ବ୍ୟାନ୍‌ ହୋଇଥିବା ଜାଣି ନାହାନ୍ତି, ଏହାକୁ ପୁନର୍ବାର କଂପାନିକୁ ଫେରାଇ ଦେବାକୁ ସେ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ।

କିନ୍ତୁ ଏତେ ପରିମାଣର ବିହନ କ୍ରୟ କରିଥିବା ସଂସ୍ଥା ସତରେ କଣ ଏହି ବିହନ ରାଜ୍ୟରେ ବ୍ୟାନ୍‌ ହୋଇଛି ବୋଲି ଜାଣି ନଥିଲା ନା ଜାଣିଶୁଣି ଲକ୍‌ଡାଉନ୍‌ ସମୟର ଫାଇଦା ଉଠାଇବାକୁ ଚେଷ୍ଟା କରୁଥିଲା ବୋଲି ପ୍ରଶ୍ନ ଉଠିଛି। କୃଷି ବିଭାଗ ଏହି ବିହନକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର