ନାଗାବଳୀ, କଲ୍ୟାଣୀ ସ୍ଥିର; ବଂଶଧାରା ଜଳସ୍ତର ବଢ଼ୁଛି

ହୀରାଖଣ୍ଡ-ଜୁନାଗଡ଼-ରାଜ୍ୟରାଣୀ ଏକ୍ସପ୍ରେସ୍ ୨ ଦିନ ବାତିଲ୍

ରାୟଗଡ଼ା : ବାତ୍ୟା ଗୁଲାବକୁ ନେଇ ରାୟଗଡ଼ା ଜିଲ୍ଲାରେ ହାଇଆଲର୍ଟ ଜାରି କରିଛି ପ୍ରଶାସନ। ଜିଲ୍ଲାର ୧୦୧ ଗାଁ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ ପରେ ସଂଧ୍ୟା ସୁଦ୍ଧା ୧୧ ବ୍ଲକ୍‌ରୁ ୧୧୮୨ ଜଣଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ଏବଂ ୧୦୫ ଗର୍ଭବତୀ/ଆସନ୍ନ ପ୍ରସବାଙ୍କୁ ମା’ ଗୃହ ସହ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ନାଗାବଳୀ, କଲ୍ୟାଣୀ ଜଳସ୍ତର ସ୍ଥିର ଥିବାବେଳେ ହରଭଙ୍ଗୀ ଡ୍ୟାମର ୩ଟି ଗେଟ୍ ଖୋଲିବାପରେ ବଂଶଧାରା ଜଳସ୍ତର ବଢ଼ିବାରେ ଲାଗିଛି।

ସଂଧ୍ୟା ସୁଦ୍ଧା ବଂଶଧାରା ଜଳସ୍ତର ସତର୍କ ସଙ୍କେତ ତଳେ ୮୧.୭୩ ମିଟରରେ ପ୍ରବାହିତ ହେଉଛି। ସେହିପରି ନାଗାବଳୀ ଜେକେପୁର ଠାରେ ୨୧୨.୦୬ ମିଟର, କଲ୍ୟାଣସିଂହପୁରରେ ୩୪୪.୭୨ ମିଟରରେ (ସତର୍କ ସଙ୍କେତ ତଳେ) ପ୍ରବାହିତ ହେଉଛି। ନାଗାବଳୀ ଓ ବଂଶଧାରା ତଳମୁଣ୍ଡରେ ଥିବା ଆନ୍ଧ୍ରର ଗୋଟା ଓ ତୋଟାପଲ୍ଲୀ ବ୍ୟାରେଜ୍ ଉପରେ ତୀକ୍ଷଣ୍ ନଜର ରଖିଛି ପ୍ରଶାସନ। ବଂଶଧାରା ତଳମୁଣ୍ଡରେ ଥିବା ଆନ୍ଧ୍ରର ଗୋଟା ବ୍ୟାରେଜକୁ ଘଣ୍ଟାକୁ ୮୬୧୪ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ସମାନ୍ ପରିମାଣର ଜଳ ଡ୍ୟାମରୁ ଛଡ଼ାଯାଉଛି। ନାଗାବଳୀ ତଳମୁଣ୍ଡରେ ଥିବା ତୋଟାପଲ୍ଲୀ ବ୍ୟାରେଜକୁ ଘଣ୍ଟାକୁ ୨୨୭୦ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ବନ୍ୟା ଆଶଙ୍କା ଦୃଷ୍ଟିରୁ ଡ୍ୟାମରୁ ୧୦୬୧୯ କ୍ୟୁସେକ୍ ଜଳ ଛଡ଼ାଯାଉଛି। ହରଭଙ୍ଗୀ ଡ୍ୟାମକୁ ଘଣ୍ଟାକୁ ୨୩.୯୨୫ କ୍ୟୁବିକ୍ ମିଟର ଜଳ ପ୍ରବେଶ କରୁଥିବା ବେଳେ ଛଡ଼ାଯାଉଛି ୩୪.୪୫୨ କ୍ୟୁବିକ ମିଟର ଜଳ। ଗଜପତି-ରାୟଗଡ଼ାରେ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଇଥିବାରୁ ଆଗୁଆ ପଦକ୍ଷେପ ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ୩ଟି ଗେଟ୍ ଖୋଲିଛନ୍ତି।

ଅନ୍ୟପକ୍ଷରେ, ବଂଶଧାରା, କଲ୍ୟାଣୀ, ନାଗାବଳୀ ନଈକୂଳିଆ ଅଞ୍ଚଳରେ ଥିବା ସମସ୍ତ ଲୋକଙ୍କୁ ପ୍ରାଥମିକତା ଭିତ୍ତିରେ ସ୍ଥାନାନ୍ତର କରାଯାଇଛି। ରାୟଗଡ଼ା ବ୍ଲକ୍‌ରୁ ୨୯, କଲ୍ୟାଣସିଂହପୁରରୁ ୬୩, କୋଲନରାରୁ ୪୯, ମୁନିଗୁଡ଼ାରୁ ୧୦୭, ବିଷମକଟକରୁ ୧୫୫, ଗୁଣପୁରରୁ ୩୭୫, ପଦ୍ମପୁରରୁ ୧୪୯, ରାମନାଗୁଡ଼ାରୁ ୪୦, ଗୁଡ଼ାରିରୁ ୪୭ ଜଣ, ଚନ୍ଦ୍ରପୁରରୁ ୧୦୩ଜଣ, କାଶୀପୁରରୁ ୬୮ଜଣଙ୍କୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନ ସ୍ଥାନାନ୍ତର କରିଛି। ବନ୍ୟା ପ୍ରବଣ ଅଞ୍ଚଳ ଗୁଣପୁରରେ ୪ଟି ଓଡ୍ରାଫ୍ ଟିମ୍, ୨ଟି ଏନଡିଆରଏଫ୍ ଟିମ୍, କଲ୍ୟାଣସିଂହପୁରରେ ଗୋଟିଏ ଓଡ୍ରାଫ୍ ଟିମ୍‌ ଏବଂ ରାୟଗଡ଼ାରେ ଗୋଟିଏ ଓଡ୍ରାଫ୍ ଟିମକୁ ମୁତୟନ କରି ସ୍ଥିତି ଉପରେ ନଜର ରଖିଛି ପ୍ରଶାସନ। ସେହିପରି ଜିଲ୍ଲାରେ ୧୨ଟି ଅଗ୍ନିଶମ ବାହିନୀ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି। ବର୍ଷା ପ୍ରଭାବରେ ମାଟି ଅତଡ଼ା ଧସିବା ସହ ରେଳ ଲାଇନରେ ପାଣି ଜମିବାର ଆଶଙ୍କା ଥିବାରୁ ଅଘଟଣ ଏଡ଼ାଇବା ପାଇଁ ରେଳ ବିଭାଗ ୨୬ ଓ ୨୭ ତାରିଖ ଦୁଇ ଦିନ ପାଇଁ ଉଭୟ ପାର୍ଶ୍ବରୁ ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ, ଜୁନାଗଡ଼-ଭୁବନେଶ୍ବର, ଗୁଣପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍ ଚଳାଚଳକୁ ବାତିଲ୍ କରିଛି।

ସମ୍ବନ୍ଧିତ ଖବର