ବିପଦ ସଂକେତ ଉପରେ ବଂଶଧାରା ଜଳସ୍ତର

୬୦ରୁ ଊର୍ଧ୍ବ ଗୋରୁଙ୍କ ମୃତ୍ୟୁ, ଓଡ୍ରାଫ ଟିମ୍‌ର ଉଦ୍ଧାର ଜାରି, ବନ୍ୟା ଭଳି ସ୍ଥିତି

ଗୁଣପୁର : ରାୟଗଡା ଜିଲ୍ଲାର ଗୁଣପୁର ବ୍ଲକ ଅଞ୍ଚଳରେ ବାତ୍ୟା ତିତ୍‌ଲିର ପ୍ରଭାବ ପଡିଛି। ପ୍ରବଳ ବର୍ଷା ଓ ପବନ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ତିତ୍‌ଲି ପ୍ରଭାବରେ ଗତକାଲି ମଧ୍ୟ ରାତ୍ରରୁ ପ୍ରବଳ ପବନ ବୋହିବା ସହ ବର୍ଷା ଲାଗି ରହିବା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବାରୁ ଗଜପତି ଜିଲ୍ଲା ଓ ପଡୋଶୀ ଆନ୍ଧ୍ରପ୍ରଦେଶ ସହ ଯୋଗାଯୋଗ ଠପ୍‌ ହୋଇଯାଇଛି। ପ୍ରବଳ ପବନରେ ଅନେକ ଝୁମ୍ପୁଡି ଘର ନଷ୍ଟ ହୋଇଯାଇଛି। ପ୍ରଶାସନ ପକ୍ଷରୁ କିଛି ଲୋକଙ୍କୁ ସ୍ଥାନୀୟ ଟାଉନ ହଲ ଓ କଲ୍ୟାଣ ମଣ୍ତପରେ ଲୋକଙ୍କୁ ଥଇଥାନ କରାଯାଇଛିି। ଅନ୍ୟପଟେ ୨୪ଘଣ୍ଟା ଧରି ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବର୍ଷା ଯୋଗୁଁ ଗୁଣପୁର ବ˚ଶଧାରା ନଦୀର ଜଳସ୍ତର ବୃଦ୍ଧି ପାଇ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଆଜି ରାତି ୯ଟା ସୁଦ୍ଧା ଗୁଣପୁର ବଂଶଧାରା ନଦୀରେ ୮୪.୭୭ମିଟର ଓ ଗୁଡାରୀ ବଂଶଧାରା ନଦୀରେ ୭୬ମିଟର ଜଳ ପ୍ରବାହିତ ହେଉଥିବା ବନ୍ୟା ନିୟନ୍ତ୍ରଣ ଦାୟିତ୍ବରେ ଥିବା ଅଧିକାରୀ ମାଝୀ ଖାଡଙ୍ଗା ସୂଚନା ଦେଇଛନ୍ତି। ଉପର ମୁଣ୍ତରେ ବର୍ଷା ଜାରି ରହିଥିବାରୁ ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି ବୋଲି ସିଡବ୍ଲୁସି ପକ୍ଷରୁ ସୂଚନା ମିଳିଛି। ବନ୍ୟା ପରିସ୍ଥିତି ଉପୁଜିବା ଆଶଙ୍କା ରହିଥବାରୁ ଉଦ୍ଧାର କାର୍ଯ୍ୟ ପାଇଁ କୋରାପୁଟରୁ ଓଡ୍ରାଫ୍ ଟିମ୍ ଗୁଣପୁରରେ ପହଞ୍ଚିଥିବା ଜଣାପଡିଛି।

ତିତ୍‌ଲି ପ୍ରଭାବରେ ଗତକାଲି ରାତି ୭ଟାରୁ ସାଢେ ୧୦ଟା ପର୍ଯ୍ୟନ୍ତ ଗୁଣପୁର ଅଞ୍ଚଳରେ ଝିପିଝିପି ବର୍ଷା ସହ ପବନ ଜାରି ରହିଥିଲା। ମଧ୍ୟ ରାତ୍ରରେ ହଠାତ୍‌ ବର୍ଷା ଓ ପବନ ବୃଦ୍ଧି ପାଇବା ଯୋଗୁଁ ବିଭିନ୍ନ ସ୍ଥାନରେ ଗଛ ଉପୁଡିବା ଯୋଗୁଁ ଗଜପତି ଜିଲ୍ଲା ଓ ପଡୋଶୀ ଆନ୍ଧ୍ରପ୍ରଦେଶ ସହ ଯାତାୟାତ ଠପ୍‌ ହୋଇଯାଇଛି। ପ୍ରବଳ ପବନ ଯୋଗୁଁ ଗୁଣପୁର ବ୍ଲକର ପୁଟାସି˚, ଶଗଡା, ରେଗେଡା, ଚାଲକାମ୍ବା, ଗାଦିଆଖଳା, କୁଜେନ୍ଦ୍ରୀ ଭଳି ପଞ୍ଚାୟତ ସମେତ ଗୁଣପୁରର ଅନେକ ଝୁମ୍ପୁଡି ଘର ନଷ୍ଟ ହୋଇଯାଇଛି। ସେହିପର ଧାନ ଓ କପା ଗଛ ଗୁଡିକ ଧରାଶାୟୀ ହୋଇପଡିଛି। ବାତ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କିଛି ଲୋକଙ୍କୁ ଗୁଣପୁର ସ୍ଥିତ ଟାଉନ ହଲ ଓ ବିଜୁ କଲ୍ୟାଣ ମଣ୍ତପରେ ଥଇଥାନ କରାଯାଇ ଖାଦ୍ୟ ପ୍ରଦାନ କରାଯାଇଛି। କିନ୍ତୁ ଏଭଳି ଜରୁରି ସମୟରେ ଗତ କିଛି ବର୍ଷ ତଳେ ବିକ୍ରମପୁର ଛକରେ ପୂର୍ତ ବିଭାଗ ପକ୍ଷରୁ ନିର୍ମିତ ବାତ୍ୟା ଆଶ୍ରୟ ସ୍ଥଳ କାମରେ ନଲାଗିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ତିତ୍‌ଲି ପ୍ରଭାବରେ ଡମ୍ବସରା ପଞ୍ଚାୟତ ଅନ୍ତର୍ଗତ ଭୁଲୁଶୁଣ୍ଡା ଗ୍ରାମର ୬୦ରୁ ଊର୍ଧ୍ବ ଗୋରୁଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଉପଜିଲ୍ଲାପାଳ ଅମ୍ରିତ ଋତୁରାଜ ଦିନ ତମାମ ବିଭିନ୍ନ ଅଞ୍ଚଳ ଗସ୍ତ କରି ପରସ୍ଥିତି ଉପରେ ନଜର ରଖିଛନ୍ତି। ରାୟଗଡା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ମଧୢ ଗୁଣପୁର ଅଞ୍ଚଳର ପରିଦର୍ଶନ କରି ସ୍ଥିତି ପରଖିଥିଲେ। ତିତ୍‌ଲି ପ୍ରଭାବରେ ଗୁଣପୁର ବ୍ଲକ ସଦର ମହକୁମାର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ଗତକାଲି ଠାରୁ ବିଦ୍ୟୁତ ସେବା ବନ୍ଦ ରହିଥିବାରୁ ଲୋକେ ପାନୀୟ ଜଳ ପାଇଁ ବହୁ ହଇରାଣ ହେଉଛନ୍ତି। ଖବର ଲେଖା ହେବା ସୁଦ୍ଧା ବର୍ଷା ଜାରି ରହିଛି। ବର୍ତମାନ ସୁଦ୍ଧା ଗୁଣପୁର ଅଞ୍ଚଳରେ ୭୫ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ଅନ୍ୟପଟେ ତିତ୍‌ଲିର ମୁକାବିଲା ନିମନ୍ତେ ଉପଜିଲ୍ଲାପାଳ ସ˚ଧୢାରେ ଜରୁରିକାଳୀନ ବୈଠକ ଡକାଇଛନ୍ତି।

ସମ୍ବନ୍ଧିତ ଖବର