ବଂଶଧାରା-ଋଷିକୂଲ୍ୟା ନଦୀ ସଂଯୋଗୀକରଣ ପ୍ରସ୍ତାବକୁ ୧୪ବର୍ଷ : ବଂଶଧାରା ଜଳରେ ହସୁଛି ଆନ୍ଧ୍ର ଜମି

ଶିଳାନ୍ୟାସରେ ସୀମିତ ପାଣିଡଙ୍ଗର ବ୍ୟାରେଜ୍

ରାୟଗଡା : ବଂଶଧାରା ନଦୀ ଜଳରେ ହସୁଛି ଆନ୍ଧ୍ରର ଶହ ଶହ ହେକ୍ଟର ଜମି। ଦୁଇଟି ପ୍ରକଳ୍ପ ମାଧ୍ୟମରେ ଶ୍ରୀକାକୁଲମ୍, ବିଜୟନଗରମ ଜିଲ୍ଲାର ଜମି ଜଳସେଚିତ ସହ ପାନୀୟ ଜଳ ସଂକଟ ମଧ୍ୟ ଟଳିଛି। କିନ୍ତୁ ବଂଶଧାରା ଜଳକୁ ଓଡ଼ିଶା ସରକାର ବ୍ୟବହାର ନ କରିପାରିବା ଦ୍ବାରା ପଡ଼ିଆ ପଡ଼ିଛି ଓଡ଼ିଶାର ଶହ ଶହ ହେକ୍ଟର ଜମି। ବଂଶଧାରା-ଋଷିକୂଲ୍ୟା ନଦୀ ସଂଯୋଗୀକରଣ ପ୍ରସ୍ତାବ ଦୀର୍ଘ ୧୪ବର୍ଷ ହେଲା ନାଲିଫିତା ତଳୁ ମୁଣ୍ଡ ଟେକି ପାରୁନଥିବାବେଳେ ଗୁଡାରୀ ନିକଟରେ ପ୍ରସ୍ତାବିତ ପାଣିଡଙ୍ଗର ବ୍ୟାରେଜ୍ ପ୍ରକଳ୍ପ ସରକାରଙ୍କ ଉଦାସୀନତା କାରଣରୁ ଭୂଇଁରୁ ଉଠିପାରୁନି। ଶିଳାନ୍ୟାସରେ ଏହି ପ୍ରକଳ୍ପ ସୀମିତ ଥିବାରୁ ରାୟଗଡା, ଗଜପତି ସମେତ ଗଂଜାମ ଜିଲ୍ଲାର ଜମି ଜଳସେଚନରୁ ବଞ୍ଚିତ ହୋଇଛି।

ଆନ୍ଧ୍ର ସରକାର ୧୯୭୨ମସିହାରେ ଗୋଟା ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ କରିଥିବାବେଳେ ଓଡ଼ିଶା ସରକାରଙ୍କ ନିରବତାକୁ ଲକ୍ଷ୍ୟ କରି ପୁଣି ୧୯୮୦ ମସିହାରେ ବଂଶଧାରା ଉପରେ ଦ୍ବିତୀୟ ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ କରିବାକୁ ଉଦ୍ୟମ କରିଥିଲା। ଓଡ଼ିଶା ସରକାର ବିରୋଧ କରିବ‌ାରୁ ଏହି ପ୍ରକଳ୍ପ ନିର୍ମାଣ ବନ୍ଦ ରହିଥିଲା। କିନ୍ତୁ ୨୦୦୩ ମସିହାରେ ତତ୍କାଳୀନ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ନେରେଡି ନିକଟରେ ୯୫୦ କୋଟି ଟଙ୍କା ବ୍ୟୟରେ କାଟ୍ରାଗୁଡା ବ୍ୟାରେଜ୍ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଯାହାକୁ ନେଇ ଏବେ ବି ବିବାଦ ଚାଲିଥିବାବେଳେ ସୁପ୍ରିମ‌କୋର୍ଟଙ୍କ ନିର୍ଦେଶରେ ବଂଶଧାରା ଟ୍ରିବ୍ୟୁନାଲ୍ ବୋର୍ଡ ଗଠିତ ହୋଇଛି।

ବଂଶଧାରା ଉପରେ ଆନ୍ଧ୍ରର ଦୁଇ ଦୁଇଟି ପ୍ରକଳ୍ପ ପରେ ଉପର ମୁଣ୍ଡରୁ ପାଣି ଅଟକାଇବା ପାଇଁ ଓଡ଼ିଶା ସରକାର ଯୋଜନା କରିଥିଲେ। ବଂଶଧାରା-ଋଷିକୂଲ୍ୟା ନଦୀ ସଂଯୋଗୀକରଣ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ଲଗାଇଥିଲେ। ୨୦୦୫ ମସିହା ଅଗଷ୍ଟ ମାସରେ ଗୁଡାରୀରେ ବଂଶଧାରା-ଋଷିକୂଲ୍ୟା ସଂଯୋଗୀକରଣ ସର୍ଭେ ଅଫିସକୁ ତତ୍କାଳୀନ ଜଳସଂପଦ ମନ୍ତ୍ରୀ ରବିନାରାୟଣ ନନ୍ଦ ଉଦ୍‌ଘାଟନ କରିଥିଲେ। ୯୦୦ କୋଟି ଟଙ୍କା ବ୍ୟୟରେ ୨୭୩୦ ବର୍ଗ କିମି ଅବବାହିକା କ୍ଷେତ୍ର ବିଶିଷ୍ଟ ଏହି ପ୍ରକଳ୍ପ ଦୀର୍ଘ ୫୪କିମି କେନାଲ ୨ଟି ଟନେଲ୍ ‌ଦେଇ ଗଂଜାମ ଜିଲ୍ଲାର ସୋରଡା ବ୍ଲକ୍ ଗୋପାଳପୁର ନିକଟରେ ଋଷିକୂଲ୍ୟାରେ ମିଶିବା ନେଇ ଯୋଜନା ହୋଇଥିଲା। ୧୩.୮୫ ହଜାର ମିଲିୟନ୍ କ୍ୟୁବିକ୍ ଫୁଟ ଜଳ ବଂଶଧାରାରୁ ଋଷିକୂଲ୍ୟାକୁ ଛାଡିବା ପ୍ରକଳ୍ପର ଲକ୍ଷ୍ୟ ଥିବାବେଳେ ଚନ୍ଦ୍ରପୁର ବ୍ଲକର ମୀନାଝୋଲା ନିକଟରେ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ଥିଲା। ଏହାଦ୍ବାରା ଗଂଜାମ ଜିଲ୍ଲାର ୩୦ ହଜାର ହେକ୍ଟର ଜମି ଜଳସେଚିତ ହେବା ସହ ବ୍ରହ୍ମପୁର ସହରବାସୀଙ୍କ ଶୋଷ ମେଣ୍ଟି ପାରିଥାନ୍ତା। ଏଥିସହିତ ଗଂଜାମ ଜିଲ୍ଲାର ଅନ୍ୟ ସହରକୁ ମଧ୍ୟ ଜଳଯୋଗାଣ ସହ ପର୍ଯ୍ୟଟନର ବିକାଶ ନେଇ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ। ସବୁଠୁ ବଡ କଥା ହେଲା ନଦୀ ସଂଯୋଗୀକରଣ ପ୍ରକଳ୍ପ ପାଇଁ କୌଣସି ଲୋକ ବିସ୍ଥାପିତ ହୋଇ ନଥାନ୍ତେ ଏବଂ ଏହା ଦ୍ବାରା ବଂଶଧାରା ନଦୀରେ ବନ୍ୟାକୁ ମଧ୍ୟ ରୋକି ହୋଇପାରିଥାନ୍ତା। ବନ୍ୟା ଜଳକୁ କେନାଲ ମାଧ୍ୟମରେ ଋଷିକୂଲ୍ୟାକୁ ଛାଡି ଦିଆଗଲେ ଗୁଣପୁର, ଗୁଡାରୀ, ଗୁମୁଡା ସମେତ କାଶୀପୁର ବ୍ଲକ୍ ବନ୍ୟାରୁ ମୁକ୍ତି ପାଇ ପାରିଥାନ୍ତା। କିନ୍ତୁ ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ନଦୀ ସଂଯୋଗୀକରଣ ସମେତ ବ୍ୟାରେଜ୍ ପ୍ରକଳ୍ପ ଶୀତଳଭଣ୍ଡାରରେ ହିଁ ପଡ଼ିରହିଛି। ଅନ୍ୟପକ୍ଷରେ ଆନ୍ଧ୍ର ସରକାର ବ୍ୟାରେଜ୍ ନିର୍ମାଣ ସହିତ ବିଭିନ୍ନ ଉପାୟରେ ବଂଶଧାରା ଜଳକୁ ବ୍ୟବହାର କରି ଲାଭବାନ୍ ହେଉଥିବା ବେଳେ ଓଡ଼ିଶା ବନ୍ୟାରେ ଉବୁଟୁବୁ ହେବା ସହ ଜଳସେଚିତ ଜମିରୁ ଫସଲ ଅମଳ କରି ପାରୁନି।

ସମ୍ବନ୍ଧିତ ଖବର