ରାୟଗଡ଼ା : ଆନ୍ଧ୍ରର ନେରେଡି ପ୍ରକଳ୍ପ ପାଇଁ ଓଡ଼ିଶାର ୧୦୬ ଏକର ଜମି ଯିବ। ପ୍ରକଳ୍ପ ଦ୍ବାରା ପ୍ରଭାବିତ ହେବେ ଗୁଣପୁର ଓ କାଶୀପୁର ବ୍ଲକ୍‌ବାସୀ। ଉଭୟ ବ୍ଲକ୍‌ର ବହୁ ଗାଁ ବନ୍ୟାରେ ବୁଡ଼ିବ। ଏହାସତ୍ତ୍ବେ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲର୍ ଚୂଡ଼ାନ୍ତ ରାୟ ଆନ୍ଧ୍ର ସପକ୍ଷରେ ଯାଇଛି। ପୂର୍ବରୁ ଆନ୍ଧ୍ର ବଂଶଧାରା ଉପରେ ଗୋଟା ବ୍ୟାରେଜ୍ ନିର୍ମାଣ କରିବା ସହ କାଟ୍ରାଗୁଡାରେ ସାଇଡ୍ ୱେ କେନାଲ ନିର୍ମାଣ କରିଛି। ଏବେ ତୃତୀୟ ପ୍ରକଳ୍ପ ଭାବେ ନେରେଡି ବ୍ୟାରେଜ ନିର୍ମାଣ ଲାଗି ଟ୍ରିବ୍ୟୁନାଲ୍ ଆନ୍ଧ୍ରକୁ ଅନୁମତି ଦେବା ପରେ ତୀବ୍ର ହେବାରେ ଲାଗିଛି ବିରୋଧର ସ୍ବର।

Advertisment

୨୧୭ କିମି ଲମ୍ବା ବିଶିଷ୍ଟ ବଂଶଧାରାର ସିଂହଭାଗ ଅର୍ଥାତ୍ ୧୨୫ କିମି ଓଡ଼ିଶାରେ ପ୍ରବାହିତ ହେଉଛି। କିନ୍ତୁ ନଦୀ ଉପରେ ବ୍ୟାରେଜ୍ ନିର୍ମାଣ କରି ଜଳକୁ କୃଷି କାର୍ଯ୍ୟରେ ବ୍ୟବହାର କରିବାରେ ଓଡ଼ିଶା ସରକାର ବିଫଳ ହୋଇଛନ୍ତି। ଆନ୍ଧ୍ରରେ ୯୨ କିମି ଅଞ୍ଚଳରେ ବଂଶଧାରା ପ୍ରବାହିତ ହେଉଥିବା ବେଳେ ଆନ୍ଧ୍ର ସରକାର ୧୯୭୧ ମସିହାରେ ଗୋଟା ବ୍ୟାରେଜ୍ ପ୍ରକଳ୍ପ ନିର୍ମାଣ କରିଛନ୍ତି। ଗୋଟା ବ୍ୟାରେଜରୁ ଉତ୍ପନ୍ନ ୧୧୫ ଟିଏମସି ଜଳକୁ ୫୦:୫୦ ଅନୁପାତରେ ଉଭୟ ରାଜ୍ୟ ବ୍ୟବହାର କରିବାକୁ ଚୁକ୍ତି ହୋଇଛି। ହେଲେ ବଂଶଧାରା ଉପର ମୁଣ୍ଡରେ ଓଡ଼ିଶାର କୌଣସି ପ୍ରକଳ୍ପ ନଥିବାରୁ ୫୦ ପ୍ରତିଶତ ଜଳ ବ୍ୟବହାର ହୋଇନପାରି ସମୁଦ୍ରରେ ମିଶୁଛି। ୨୦୧୭ରେ ଆନ୍ଧ୍ର କାଟ୍ରାଗୁଡାରେ ଆରମ୍ଭ କରିଥିବା ସାଇଡ୍ ୱେର କେନାଲ୍ ନିର୍ମାଣ କାମ ୮୦ ପ୍ରତିଶତ ସରିଲାଣି। ଏବେ ପୁଣି ଗୋଟା ବ୍ୟାରେଜର ୨୫ କିମି ପୂର୍ବରୁ ନେରେଡି ବ୍ୟାରେଜ୍ ନିର୍ମାଣ ରାୟ ମଧ୍ୟ ଆନ୍ଧ୍ର ସପକ୍ଷରେ ଯାଇଛି। ଓଡ଼ିଶା ସରକାର କେବଳ ଟ୍ରିବ୍ୟୁନାଲରେ ମାମଲା ରୁଜୁ କରି ଚୁପ୍ ବସି ରହିଛନ୍ତି। ନିର୍ମାଣ ହେବାକୁ ଯାଉଥିବା ନେରେଡି ପ୍ରକଳ୍ପ କ୍ଷେତ୍ରରେ ଟ୍ରିବ୍ୟୁନାଲ୍ ୮ ଟିଏମସି ଜଳ ବ୍ୟବହାର କରିବାକୁ ଉଭୟ ରାଜ୍ୟକୁ ଅନୁମତି ଦେଇଛନ୍ତି। ଆନ୍ଧ୍ରର ବ୍ୟବହାର ପାଇଁ ବ୍ୟାରେଜର ଡାହାଣ ପାର୍ଶ୍ବରେ, ଓଡ଼ିଶାର ବ୍ୟବହାର ପାଇଁ ବାମ ପାର୍ଶ୍ବରେ ସ୍ବିଇସ୍‌ ଗେଟ୍ ନିର୍ମାଣ ପାଇଁ ମଞ୍ଜୁରି ପ୍ରଦାନ କରାଯାଇଛି। କିନ୍ତୁ ସରକାରୀ ଅବହେଳା ଯୋଗୁ ଗୋଟା ବ୍ୟାରେଜ୍ ଚୁକ୍ତି ଭଳି ନେରେଡି ପ୍ରକଳ୍ପ ଦ୍ବାରା ମଧ୍ୟ ଓଡ଼ିଶାର ଚାଷୀ ଟୋପାଏ ପାଣି ପାଇବା ନେଇ ସନ୍ଦେହ ଉପୁଜିଛି।

ବଂଶଧାରା ଜଳ ବିବାଦ ପରେ ୨୦୦୫ ମସିହାରେ ବଂଶଧାରା-ଋଷିକୂଲ୍ୟା ନଦୀ ସଂଯୋଗୀକରଣ ପ୍ରସ୍ତାବ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋହର ଲଗାଇଥିଲେ। ୨୦୦୬ରେ ଗୁଡାରିରେ ବଂଶଧାରା-ଋଷିକୂଲ୍ୟା ସଂଯୋଗୀକରଣ ସର୍ଭେ ଅଫିସକୁ ତତ୍କାଳୀନ ଜଳସଂପଦ ମନ୍ତ୍ରୀ ରବି ନାରାୟଣ ନନ୍ଦ ଉଦ୍‌ଘାଟନ କରିଥିଲେ। ୯୦୦ କୋଟି ଟଙ୍କା ବ୍ୟୟରେ ୨୭୩୦ ବର୍ଗ କିମି ଅବବାହିକା କ୍ଷେତ୍ର ବିଶିଷ୍ଟ ଏହି ପ୍ରକଳ୍ପ ଦୀର୍ଘ ୫୪ କିମି କେନାଲ ୨ଟି ଟନେଲ ‌ଦେଇ ଗଂଜାମ ଜିଲ୍ଲାର ସୋରଡା ବ୍ଲକ୍ ଗୋପାଳପୁର ନିକଟରେ ଋଷିକୂଲ୍ୟାରେ ମିଶାଇବାକୁ ଯୋଜନା ହୋଇଥିଲା। ୧୩.୮୫ ହଜାର ମିଲିୟନ୍ କ୍ୟୁବିକ୍ ଫୁଟ ଜଳ ବଂଶଧାରାରୁ ଋଷିକୂଲ୍ୟାକୁ ଛାଡିବା ପ୍ରକଳ୍ପର ଲକ୍ଷ୍ୟ ଥିବା ବେଳେ ଚନ୍ଦ୍ରପୁର ବ୍ଲକର ମୀନାଝୋଲା ନିକଟରେ ପାଣିଡଙ୍ଗର ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ଥିଲା। ଏହା ଦ୍ବାରା ଗଂଜାମ ଜିଲ୍ଲାର ୩୦ ହଜାର ହେକ୍ଟର ଜମି ଜଳସେଚିତ ହେବା ସହ ବ୍ରହ୍ମପୁର ସହରବାସୀଙ୍କ ଶୋଷ ମେଣ୍ଟି ପାରିଥାନ୍ତା। ପ୍ରକଳ୍ପ ଦ୍ବାରା ବଂଶଧାରା ବନ୍ୟା ଜଳକୁ କେନାଲ ମାଧ୍ୟମରେ ଋଷିକୂଲ୍ୟାକୁ ଛାଡି ଦିଆଗଲେ ଗୁଣପୁର, ଗୁଡାରି, ଗୁମୁଡା ସମେତ କାଶୀପୁର ବ୍ଲକ୍ ବନ୍ୟାରୁ ମୁକ୍ତି ପାଇପାରନ୍ତେ। କିନ୍ତୁ ରାଜ୍ୟ ସରକାରଙ୍କ ଉଦାସୀନତା କାରଣରୁ ନଦୀ ସଂଯୋଗୀକରଣ ପ୍ରସ୍ତାବ ଓ ପାଣି ଡଙ୍ଗର ବ୍ୟାରେଜ୍ ପ୍ରକଳ୍ପ ଶୀତଳ ଭଣ୍ଡାରରେ ପଡ଼ିଛି।