ବଂଶଧାରା ଜଳ ବିବାଦ: ଅନୁଧ୍ୟାନ କଲା ଟ୍ରିବ୍ୟୁନାଲ୍ କମିଟି

କାଶୀନଗର/ପାରଳାଖେମୁଣ୍ତି: ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗିରହିଥିବା ବଂଶଧାରା ଜଳ ବିବାଦ ସୁପ୍ରିମକୋର୍ଟଙ୍କ ଟ୍ରିବ୍ୟୁନାଲ୍‌ରେ ବିଚାରାଧୀନ ରହିଛି। ଏହାର ସ୍ଥିତି ଅନୁଧ୍ୟାନ ପାଇଁ ୩ ଜଣିଆ ଟ୍ରିବ୍ୟୁନାଲ୍ ଟିମ୍ ବିଚାରପତି ମୁକୁନ୍ଦକମ ଶର୍ମା, ବିଚାରପତି ବି.ଏନ୍ ଚତୁର୍ବେଦୀ ଓ ବିଚାରପତି ପ୍ରତିଭାରାଣୀ ପ୍ରମୁଖ ଆଜି ଓଡ଼ିଶାର ଗଜପତି ଜିଲ୍ଲା କାଶୀନଗର ଅଂଚଳସ୍ଥିତ ବଂଶଧାରା ବାମ ପାର୍ଶ୍ବରେ ରହିଥିବା ବିବାଦୀୟ ଅଂଚଳ ଓ ଗ୍ରାମ ଗସ୍ତ କରିଛନ୍ତି। ଗଜପତି ଜିଲ୍ଲାର ବୁଡ଼ି ଅଞ୍ଚଳ ଭାବେ ପରିଚିତ ସାରା, ବାଡିଗାଁ, ପାଲସିଙ୍ଗ, ଆଦର୍ଶ ନଗର ଇତ୍ୟାଦି ଗ୍ରାମକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ଏହି ପ୍ରକଳ୍ପ ନିର୍ମାଣ ହେଲେ ଓଡ଼ିଶା ଅବବାହିକାରେ ରହିଥିବା କ’ଣ କ’ଣ କ୍ଷତି ହେବ ସେ ନେଇ ବିଭାଗୀୟ ଅଧିକାରୀ ମାନଙ୍କ ସହ ଆଲୋଚନା କରି ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି। ଓଡ଼ିଶା ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଅକ୍ଷୟ ବାନାର୍ଜୀ, ରବୀନ୍ଦ୍ର ପଣ୍ତା, ଗଜପତି ଜିଲ୍ଲାପାଳ ଅନୁପମ ସାହା, ଋଷିକୁଲ୍ୟା-ବଂଶଧାରା ବେସିନ୍ ମୁଖ୍ୟ ଯନ୍ତ୍ରୀ ସରୋଜ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ବିଭାଗୀୟ ମୁଖ୍ୟଯନ୍ତ୍ରୀ ଅରୁଣ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଗତକାଲି ଟ୍ରିବ୍ୟନାଲ୍ ଟିମ୍ ବିଶାଖାପାଟଣାରେ ପହଞ୍ଚିବା ପରେ ଆନ୍ଧ୍ରପ୍ରଦେଶ ପ୍ରକଳ୍ପ ନିର୍ମାଣ କରୁଥିବା ସ୍ଥାନ ହୀରମଣ୍ଡଳମସ୍ଥିତ ଗୋଟା ବ୍ୟାରେଜ୍, ନେରେଡି ଓ କାଟ୍ରାଗଡ଼ା ଅଞ୍ଚଳ ଗସ୍ତ କରିଥିଲେ। ଟ୍ରିବ୍ୟୁନାଲ ଟିମ୍ ସହ ଆନ୍ଧ୍ରପ୍ରଦେଶ ଜଳ ସଂପଦ ଅଧିକାରୀ, ଶ୍ରୀକାକୁଲମ ଜିଲ୍ଲାପାଳ ଓ ପ୍ରାଶାସନିକ ଅଧିକାରୀ, ଆଇନଜୀବୀ ଏବଂ ବିଭାଗୀୟ ଅଧିକାରୀ ମାନେ ଆସିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ଅବସରପ୍ରାନ୍ଧ୍ର ମୁଖ୍ୟଯନ୍ତ୍ରୀ ଅରୁଣ ପାଢୀ କହିଛନ୍ତି, ଏହି ଟିମ୍ ଉଭୟ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଅଂଚଳ ଗସ୍ତ କରି ଫେରିଛନ୍ତି। ଆସନ୍ତା ଜାନୁଆରୀ ୨୨ ତାରିଖରେ ବଂଶଧାରା ବିବାଦ ନେଇ ଆଉ ଏକ ରାୟ ପ୍ରକାଶ ପାଇବ। ଏଥିପାଇଁ ସ୍ଥିତି ସଂପର୍କିତ ରିପୋର୍ଟ ଟ୍ରିବ୍ୟୁନାଲ୍ ପକ୍ଷରୁ ଦାଖଲ କରାଯିବ। କାରଣ ଆନ୍ଧ୍ରପ୍ରଦେଶର ଏହି ପ୍ରକଳ୍ପ ନିର୍ମାଣ ଫରେ ଓଡ଼ିଶାର ଯେଭଳି କୌଣସି କ୍ଷତି ହେବନି, ପାଣିର ଯେମିତି ଅଭାବ ରହିବନି ଏନେଇ ରାଜ୍ୟ ସରକାର ଯୁକ୍ତି ଉପସ୍ଥାପନ କରିଥିବା ଶ୍ରୀ ପାଢୀ କହିଛନ୍ତି। ଅନ୍ୟପକ୍ଷରେ ଆଲୋଚନାର ସବିଶେଷ ତଥ୍ୟ ଦେବାକୁ ବିଚାରପତି ଶ୍ରୀ ଶର୍ମା ମନା କରି ଦେଇଥିଲେ। ପ୍ରକାଶଥାଉକି, ୨୦୦୫ ମସିହାରୁ ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶା ସୀମାନ୍ତ କାଟ୍ରାଗଡା ଦେଇ ପ୍ରବାହିତ ବଂଶଧାରା ନଦୀର ପାଣି ନେବା ପାଇଁ ପ୍ରକଳ୍ପ କାମ ଆରମ୍ଭ କରିଛନ୍ତି। ବର୍ତମାନ ସୁଦ୍ଧା ୧୦୨୦ କୋଟି ଟଙ୍କା ଖର୍ଚ୍ଚ କରି ସାରିଥିବା ବେଳେ ୯୦ ପ୍ରତିଶତରୁ ଅଧିକ କାମ ଶେଷ ହୋଇସାରିଲାଣି। କିଛି ମାସ ତଳେ ଟ୍ରିବ୍ୟୁନାଲ ଆନ୍ଧ୍ରପ୍ରଦେଶକୁ ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ସବୁଜ ସଙ୍କେତ ଦେଇଥିବାବେଳେ, ଏଥିରେ କିଛି ସର୍ତ ରହିଛି। ଉକ୍ତ ସର୍ତକୁ ଆନ୍ଧ୍ର ଓ ଓଡ଼ିଶା ସରକାର ମାନିବାକୁ ଟ୍ରିବ୍ୟୁନାଲ ରାୟ ପ୍ରକାଶ କରିଥିଲେ। ୩ଟି ରାୟରେ ପରିବର୍ତନ ପାଇଁ ଓଡ଼ିଶା ସରକାର ଟ୍ରିବ୍ୟୁନାଲରେ ପିଟିସନ୍ ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର