ବଂଶୀଧର ମାଝି ଭିସୁଟ୍‌ର ନୂତନ କୁଳପତି

ପ୍ରଫୁଲ୍ଲ ମହାନ୍ତି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି

ଭୁବନେଶ୍ବର : ପ୍ରଫେସର ବଂଶୀଧର ମାଝି ସମ୍ବଲପୁରସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ(ଭିସୁଟ୍‌)ର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି। ତିନି ଜଣ ଆଶାୟୀ ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରଫେସର ମାଝିଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ବର୍ତ୍ତମାନ ସେ ତାମିଲନାଡୁର କାଞ୍ଚିପୁରମସ୍ଥିତ ଆଇଆଇଟିଡିଏମ୍‌ର ନିର୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଆସନ୍ତା ୩ ବର୍ଷ ଲାଗି ସେ କୁଳପତି ପଦରେ ରହିବେ। ଅଧ୍ୟାପନା କ୍ଷେତ୍ରରେ ତାଙ୍କର ୨୬ ବର୍ଷର ଅଭିଜ୍ଞତା ରହିଛି।

ପ୍ରଫେସର ମାଝି ୧୯୬୩ ଏପ୍ରିଲ ୧୪ରେ ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଅଧୀନରେ ୧୮ ଜଣ ଛାତ୍ରଛାତ୍ରୀ ପିଏଚ୍‌ଡି କରିଥିବା ବେଳେ ୭୦ ଜଣ ଏମ୍‌.ଟେକ୍‌ ଓ ୮ ଜଣ ଏମ୍‌.ଟେକ୍‌(ଗବେଷଣା), ୯୫ ଜଣ ବିଟେକ୍‌ ଛାତ୍ରଛାତ୍ରୀଙ୍କୁ ଗାଇଡ୍‌ କରିଛନ୍ତି। ତାଙ୍କ ଦ୍ବାରା ୯୭ଟି ଜର୍ଣ୍ଣାଲ୍‌ ପ୍ରକାଶିତ ହୋଇଛି। ୨୦୧୬ରେ ପ୍ରଫେସର ମାଝିଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ପ୍ରଦାନ କରାଯାଇଥିଲା। ଏହାବ୍ୟତୀତ ସେ ୨୦୧୯ରେ ବିଦ୍ୟା ସାଗର ଆୱାର୍ଡ, ୨୦୦୦ରେ ଓଡ଼ିଶା ଇଞ୍ଜିନିୟରିଂ କଂଗ୍ରେସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।

ପ୍ରଫୁଲ୍ଲ ମହାନ୍ତି ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି
ଭୁବନେଶ୍ବର : ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ନିଯୁକ୍ତି ଦିଆଯାଇଛି। ଓଡ଼ିଶା ବିଶ୍ବବିଦ୍ୟାଳୟ(ସଂଶୋଧିତ) ଆଇନ ୨୦୨୦ର ସେକ୍ସନ-୬ର ସବ୍‌-ସେକ୍ସନ-୧୯ ଅନୁଯାୟୀ ବିଶ୍ବବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହି ନିଯୁକ୍ତି ଦେଇଛନ୍ତି। ଆସନ୍ତା ଅଗଷ୍ଟ ପହିଲାରୁ ଦୁଇ ବର୍ଷ ଲାଗି ନ ‌ହେଲେ ପରବର୍ତୀ ନିର୍ଦେଶ ପର୍ଯ୍ୟନ୍ତ ପ୍ରଫେସର ମହାନ୍ତି ବିଶ୍ବବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଦାୟିତ୍ବରେ ରହିବେ। ପ୍ରଫେସର ମହାନ୍ତି ପ୍ରଥମ ଭାରପ୍ରାପ୍ତ କୁଳପତି ଭାବେ ଅଗଷ୍ଟ ପହିଲାରୁ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର