ପରଲୋକରେ ଭୂଦାନ କର୍ମୀ ବଂଶୀଧର ନାୟକ, ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସଂପନ୍ନ

ରାୟଗଡ଼ା : ଭୂଦାନ ଆନ୍ଦୋଳନର ସଦସ୍ୟ ତଥା ବିଶିଷ୍ଟ ସମାଜସେବୀ ବଂଶୀଧର ନାୟକଙ୍କ ୮୫ ବର୍ଷ ବୟସରେ ଆଜି ପରଲୋକ ଘଟିଛି। ଭୁବନେଶ୍ବରର ଏକ ‌ଘରୋଇ ଡାକ୍ତରଖାନାରେ ଭୋର୍ ୪ଟାରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ରାୟଗଡ଼ାରେ ଶୋକର ଛାୟା ଖେଳି ଯାଇଛି। ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଭୁବନେଶ୍ବର ବାସଭବନ, ପୁରୀ ସ୍ବର୍ଗଦ୍ବାରରେ ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି। ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି। ବଡ଼ ପୁଅ ତଥା ବିଶିଷ୍ଟ ସାହିତ୍ୟିକ ସୁଶାନ୍ତ ନାୟକ ମୁଖାଗ୍ନି ଦେଇଥିଲେ। ମୃତଶଯ୍ୟା ନିକଟରେ ପୁଅ ତଥା ରାଜ୍ୟ ସମବାୟ ୟୁନିୟନ୍ ସଭାପତି ହେମନ୍ତ ନାୟକ, ଝିଅ ନିର୍ମଳା ନାୟକ, କନକ ନାୟକ, ନାତି ତଥା ଅଭିନେତା ଶ୍ରେୟାନ୍ ପ୍ରମୁଖ ଉପସ୍ଥିତ ଥିଲେ।

ପିଲାଟୁ ଦିନରୁ ଦେଶ ସେବା ପାଇଁ ମନ ବଳାଇଥିବା ବଂଶୀଧର ବିହାରର ୱାର୍ଧାରେ ଶିକ୍ଷା ସମାପ୍ତ କରିବା ପରେ ଭୂଦାନ ଆନ୍ଦୋଳନର ପ୍ରବକ୍ତା ବିନୋବା ଭାବେଙ୍କ ସହ ସାମିଲ୍ ହୋଇଥିଲେ। ବିନୋବାଙ୍କ ସହ ମିଶି ସେ ରାୟଗଡ଼ା ଆସିବା ପରେ କୁମ୍ଭୀକୋଟା ଗ୍ରାମରେ ଅନୁଷ୍ଠିତ ଭୂଦାନ ଆନ୍ଦୋଳନ ବୈଠକରେ ଯୋଗ ଦେଇଥିଲେ। ଏହାପରେ ବଂଶୀଧର ଦୀର୍ଘ ୧୫ ବର୍ଷ ଧରି ଭୂଦାନ ଆନ୍ଦୋଳନ ପାଇଁ କାମ କରିଥିଲେ। ବିଶିଷ୍ଟ ସମାଜସେବୀ ଡ. ରତନ ଦାଶ, ଅନାଦି ଦାଶ, ଭୂଦାନ କର୍ମୀ କୃଷ୍ଣ ସିଂହଙ୍କ ସେ ସହଯୋଗୀ ଥିଲେ। ବଂଶୀଧରଙ୍କ ବିୟୋଗରେ ବିଶିଷ୍ଟ ସର୍ବୋଦୟ କର୍ମୀ ଜୟରାମ ଜେନା, କୃଷ୍ଣ ସିଂହ, ଅଚ୍ୟୁତାନନ୍ଦ ପରିଡ଼ା, କେନ୍ଦ୍ର ସାହିତ୍ୟ ଏକାଡେମି ଆବାହକ ବିଜୟାନନ୍ଦ ସିଂହ, ଓଡ଼ିଶା ସାହିତ୍ୟ ଏକାଡେମି ସଭାପତି ହରିହର ମିଶ୍ର, ସଂପାଦିକା ସୁଚସ୍ମିତା ମନ୍ତ୍ରୀ, ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ, ବିଶିଷ୍ଟ କଥାକାର ଡ. ଗୌରହରି ଦାସ, କେନ୍ଦ୍ର ସାହିତ୍ୟ ଅକାଦେମି ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ଡକ୍ଟର ବିଜୟାନନ୍ଦ ସିଂହ, କୈଳାସ ଚନ୍ଦ୍ର ଟିକାୟତରାୟ, ବୀରେନ୍ଦ୍ର ମହାନ୍ତି, ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧୀର ଦାଶ, କୋରାପୁଟ ସାଂସଦ ଇଂ. ସପ୍ତଗିରି ଉଲାକା, ପୂର୍ବତନ ସାଂସଦ ଝିନ୍ନ ହିକକା, ସମ୍ବାଦ ଜୟପୁର ସଂସ୍କରଣ ମୁଖ୍ୟ ଶାଖା ପରିଚାଳକ ପ୍ରମୋଦ ପଟ୍ଟନାୟକ, ଇଷ୍ଟର୍ଣ୍ଣ ମିଡିଆ ଡିଜିଟାଲର ଜିଏମ୍ ବିନୋଦ ପଣ୍ଡା, ସାହିତ୍ୟିକ କ୍ଷେତ୍ରବାସୀ ନାଏକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର