ବାରିପଦା: ସରିଛି ପୌର ନିର୍ବାଚନ। ଆସନ୍ତାକାଲି ନବନିର୍ବାଚିତ ନଗରପାଳ ଓ ସମସ୍ତ କାଉନସିଲର ଶପଥଗ୍ରହଣ କରିବା ସହ କାର୍ଯ୍ୟାଳୟ ପ୍ରବେଶ କରିବେ। ଚଳିତ ପୌର ନିର୍ବାଚନରେ ବାରିପଦାରେ ବିଜେଡି ବାଜିମାତ କରି ପରିଷଦ ନିଜ ଦଖଲରେ ରଖିବାକୁ ସକ୍ଷମ ହୋଇଛି। ବିଜେଡିରୁ କୃଷ୍ଣାନନ୍ଦ ମହାନ୍ତି ନଗରପାଳ ଭାବେ ନିର୍ବାଚିତ ହୋଇଛନ୍ତି। ୨୮ଟି ୱାର୍ଡରୁ ଦଳର ୨୨ ଜଣ କାଉସିଲର ବିଜୟୀ ହୋଇଛନ୍ତି। ତେଣୁ ଉପାଧ୍ୟକ୍ଷ ପଦ ବି ବିଜେଡି ହାତେଇବା ଏକପ୍ରକାର ନିଶ୍ଚିତ।
ନଗରପାଳ କୃଷ୍ଣାନନ୍ଦ ହୋଇଥିବା ବେଳେ ଉପାଧ୍ୟକ୍ଷ ପଦରେ ଜଣେ ମହିଳା ରହିବା ସମ୍ଭାବନା ଅଧିକ ରହିଛି। ଆସନ୍ତା ୭ ତାରିଖରେ ଉପାଧ୍ୟକ୍ଷ ନିର୍ବାଚନ ହେବାକୁ ଯାଉଛି। ଏଥି ନିମନ୍ତେ ଛକାପଞ୍ଚା ଆରମ୍ଭ ହୋଇଯାଇଛି। ମହିଳା କାଉନସିଲରଙ୍କ ସ୍ବାମୀ ଲବି ଆରମ୍ଭ କରି ଦେଇଛନ୍ତି। ତେବେ ଉପାଧ୍ୟକ୍ଷ ପଦ ପାଇଁ ୪ ଜଣଙ୍କ ନାଁ ଚର୍ଚ୍ଚାରେ ରହିଛି। ସେମାନେ ହେଲେ ୯ ନମ୍ବର ୱାର୍ଡରୁ ସୀମା ଦାସ, ୬ରୁ ଅମ୍ବିକା ସାହୁ, ୧ରୁ ସୁକେଶିନୀ ସେଠୀ ଓ ୧୫ ନମ୍ବରୁ ୱାର୍ଡ କାଉନସିଲର ନିରୁପମା ମହାନ୍ତି। ୯ ନମ୍ବର ୱାର୍ଡରୁ ସୀମା ଦାସ ନିକଟତମ ପ୍ରତିଦ୍ବନ୍ଦ୍ବୀ ସ୍ବାଧୀନ ପ୍ରାର୍ଥୀ ସତ୍ୟଭାମା ସାହୁ ୯୧ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଛନ୍ତି। ସୀମା ଜଣେ ଉଚ୍ଚଶିକ୍ଷିତା ମହିଳା ଓ ତାଙ୍କର ରାଜନୀତିରେ ଦକ୍ଷତା ରହିଛି। ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ବହୁ ଦିନ ହେଲା କାମ କରି ଆସୁଛନ୍ତି।
ସେହିଭଳି ୬ ନମ୍ବର ୱାର୍ଡରୁ ଅମ୍ବିକା ସାହୁ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପାୟଲ ରାୟଙ୍କୁ ୬୬୪ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଛନ୍ତି। ଅମ୍ବିକାଙ୍କ ସ୍ବାମୀ ଭାନୁ ସାହୁ ବିଜେଡିର ଜଣେ ପୁରୁଖା ନେତା। ଦଳର ଜିଲ୍ଲା ଓ ରାଜ୍ୟ ନେତୃବୃନ୍ଦଙ୍କ ସହ ଭାନୁଙ୍କର ଭଲ ସମ୍ପର୍କ ରହିଛି। ୧ ନମ୍ବର ୱାର୍ଡରୁ ନିର୍ବାଚିତ ସୁକେଶିନୀ ସେଠୀ ବିଜେପିର ପାୟଲ ରାୟଙ୍କୁ ୭୪୫ ଖଣ୍ଡ ଭୋଟ ବ୍ୟବଧାନରେ ହରାଇ ବିଜୟୀ ହୋଇଛନ୍ତି। ସୁକେଶିନୀଙ୍କ ସ୍ବାମୀ ଅମର ସେଠୀ ହେଉଛନ୍ତି ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଖାସ୍ ଲୋକ। ଏହା ବାଦ୍ ଅମରଙ୍କର ଦଳର ବହୁ ହେଭିୱେଟ ନେତାଙ୍କ ସହ ଭଲ ସମ୍ପର୍କ ରହିଛି। ୧୫ ନମ୍ବର ୱାର୍ଡରୁ ନିର୍ବାଚିତ ନିରୁପମା ମହାନ୍ତି ବିଜେପିର ଶାଶ୍ବତୀ ପାତ୍ରଙ୍କୁ ୧୮୮୬ ଖଣ୍ଡ ଭୋଟ୍ ବ୍ୟବଧାନରେ ହରାଇ ବିଜୟୀ ହୋଇଛନ୍ତି। ତେଣୁ ଉପାଧ୍ୟକ୍ଷ ପଦ ପାଇଁ ନିରୁପମା ବି ଦୌଡରେ ଥିବା କୁହାଯାଉଛି। ଏହା ବାଦ୍ ଆଉ ୨-୩ ଜଣ ଆଶାୟୀ ଥିବା କୁହାଯାଉଛି। ତେବେ ସୀମା, ଅମ୍ବିକା, ସୁକେଶିନୀ ଓ ନିରୁପମାଙ୍କ ମଧ୍ୟରେ କେହି ଉପାଧ୍ୟକ୍ଷ ହେବା ଏକପ୍ରକାର ନିଶ୍ନିତ ବୋଲି ଦଳୀୟ ମହଲରେ ଆଲୋଚନା ଚାଲିଛି। ତେବେ ନଗରପାଳ ପଦ ପାଇଁ ଆଶାୟୀ ଥିବା ଜିତେନ୍ଦ୍ର ମହାନ୍ତିଙ୍କ କଥାକୁ ବି ଦଳ ବିଚାରକୁ ନେଇପାରେ। ତେବେ ସବୁ କିଛି ଦଳର ସୁପ୍ରିମୋଙ୍କ ଉପରେ ନିର୍ଭର କରେ। ସେ କାହାକୁ ଆଶୀର୍ବାଦ କରୁଛନ୍ତି ତାହା ଆସନ୍ତା ୭ ତାରିଖରେ ଜଣାପଡ଼ିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/election-symbols-india-ahead.jpg)