ଶ୍ରୀଜଗନ୍ନାଥଙ୍କୁ ଘ‌ରେ ପୂଜୁଥିଲେ ବାପି ଲାହିରି, ପୁରୀ ବିଚ୍‌ ଫେଷ୍ଟିଭାଲ୍‌ରେ ଛାଡ଼ିଛନ୍ତି ସଂଗୀତର ଛାପ

ପୁରୀ : ସଂଗୀତ ଜଗତରୁ ଲିଭିଯାଇଛି ପ୍ରଥିତଯଶା କଣ୍ଠଶିଳ୍ପୀ ତଥା ଗୀତିକାର ବାପି ଲାହିରିଙ୍କ ଜୀବନ ଦୀପ। ଯେଉଁ ମଞ୍ଚରେ ତାଙ୍କ ପାଦ ପଡ଼ିଛି, ସାମ୍ନାରେ ଥିବା ଦର୍ଶକ ମତୁଆଲା ହୋଇଛନ୍ତି। ଶ୍ରୀକ୍ଷେତ୍ର ମାଟିରେ ବି ଦର୍ଶକଙ୍କ ସମ୍ମୁଖରେ ସେ ନିଜ ସଂଗୀତର ଯାଦୁଗରୀ ଛାପ ଛାଡ଼ି ଯାଇଛନ୍ତି। ହୋଟେଲ୍‌ ଆଣ୍ଡ ରେସ୍ତେରାଁ ଆସୋସିଏସନ୍‌ ସହଯୋଗରେ ଆୟୋଜିତ ବିଚ୍‌ ଫେଷ୍ଟିଭାଲ୍‌ରେ ୨୦୦୫ ମସିହାରେ ନିଜ ଟିମ୍‌ ସହ ସଂଗୀତ ପରିବେଷଣ କରି ଦର୍ଶକଙ୍କୁ ବିଭୋର କରିଥିଲେ। ‘ୟାଦ୍‌ ଆ ରାହା ହୈ ତେରା ପ୍ୟାର…’ ସଂଗୀତ‌ରେ ସେଦିନ ସେ ସମୁଦ୍ର ତଟରେ ହଜାର ହଜାର ଦର୍ଶକଙ୍କୁ ତଲ୍ଲୀନ କରିଦେଇଥିଲେ।

କେବଳ ଯେ ସେ ସଂଗୀତ କାର୍ଯ୍ୟକ୍ରମ ପାଇଁ ପୁରୀ ଆସୁଥିଲେ ସେକଥା ନୁହେଁ, ବରଂ ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ନିଜ ପରିବାର ବର୍ଗଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ଏନେଇ ସେତେବେଳେ ମଞ୍ଚ ସଂ‌ଯୋଜକ ଶ୍ୟାମପ୍ରକାଶ ସେନାପତିଙ୍କ ସହ ଏକ ସାକ୍ଷାତକାରରେ ସେଦିନ ବାପି ଲାହିରି କହିଥିଲେ, ମୁଁ ଶ୍ରୀଜଗନ୍ନାଥଙ୍କର ଭକ୍ତ। ମୋ ଘରେ ମହାପ୍ରଭୁ ପୂଜା ପାଆନ୍ତି। ତେବେ ସେଥର ସେ ନିଜ ପରିବାର ବର୍ଗଙ୍କ ସହ ମହାପ୍ରଭୁଙ୍କ ଦର୍ଶନ କରି ନ ପାରିବା ନେଇ ଅବସୋସ ରହି ଯାଇଥିଲା ବୋଲି କହିଥିଲେ।

ପଶ୍ଚିମ ଦ୍ବାର ବାଟେ ଯାଇ ସେ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଫେରିବା ପରେ ଖଜା ପଟିରୁ ଖଜା ଖାଇ ଭୂରି ଭୂରି ପ୍ରଶଂସା କରିଥିଲେ। ଅଳଙ୍କାର ପ୍ରିୟ ବାପି ବଣିଆ ପଟି ବୁଲିବାକୁ ଆଗ୍ରହ ପ୍ରକାଶ କରିଥିଲେ ବୋଲି ଶ୍ରୀ ସେନାପତି କହିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ପାଇଁ ସେ ପୁରୀରେ ଦୁଇଦିନ ଏକ ତାରକା ହୋଟେଲ୍‌ରେ ରହିଥିଲେ। ତେବେ ସେଇ ଗୋଟିଏ ଥର ନୁହେଁ, ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଭଜନ ସମାରୋହକୁ ଆସିଥିବା ଅବସରରେ ମଧ୍ୟ ସେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାର ମଉକା ହାତଛଡ଼ା କରି ନ ଥିଲେ। ବର୍ଷକ ମଧ୍ୟରେ ବିଭିନ୍ନ ଭାଷା‌ରେ ୩୭ଟି ଚଳଚ୍ଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇ ଲିମ୍‌କା ବୁକ୍‌ ଅଫ୍ ରେକର୍ଡରେ ସ୍ଥାନୀତ ହୋଇଥିବା ବାପି ଲାହିରି ମିଛ ମାୟା ସଂସାର, ଅକୁହା କଥା ଭଳି ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ ସହ ଅଭିନେତା ପ୍ରଶାନ୍ତ ନନ୍ଦଙ୍କ ସହ କିଛି ଫିଲ୍ମରେ ସଂଗୀତ କ୍ଷେତ୍ରରେ କାମ କରିଥିଲେ। ସାକ୍ଷାତକାର ଅବସରରେ ସେ କହିଥିଲେ, ଓଡ଼ିଶାର ସଂଗୀତ ପ୍ରେମୀମାନେ ଖାଲି ଗୀତ ଶୁଣନ୍ତି ନାହିଁ, ବରଂ ବୁଝନ୍ତି ମଧ୍ୟ। ତେଣୁ ଓଡ଼ିଶା ବାସୀଙ୍କ ନିକଟରେ ସଂଗୀତ ପରିବେଷଣ ପାଇଁ ସେ ବେଶ୍‌ ଉତ୍ସାହିତ ଥାଆନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର