ଅଧ୍ୟକ୍ଷ ସମେତ ୧୮ ୱାର୍ଡରେ ନୂଆ ମଞ୍ଚର ପ୍ରାର୍ଥୀ
ବିଜେଡି ଛାଡ଼ି ପ୍ରାର୍ଥୀ ହେଲେ ଜଗନ୍ନାଥ, ସୁଜିତ ଓ ସୌଦାମିନୀ
Sambad is now on WhatsApp
Join and get latest news updates delivered to you via WhatsApp
ଜଗତସିଂହପୁର : ପାରାଦୀପରେ କଂଗ୍ରେସ ନେତା ଅରିନ୍ଦମ (ବାପି) ସର୍ଖେଲ କଂଗ୍ରେସ ଦଳରେ ଥାଇ ପୌର ନିର୍ବାଚନ ପାଇଁ ‘ଆମ ପାରାଦୀପ, ଆମ ପ୍ରଗତି’ ବ୍ୟାନର୍ରେ ଆଜି ୧୮ଟି ୱାର୍ଡ଼ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଯାହାକି, ପାରାଦୀପ ରାଜନୀତିକୁ ହଲ୍ଚଲ୍ କରିଛି।
କିଛିଦିନ ପୂର୍ବେ ବିଜେଡି, ବିଜେପି, କଂଗ୍ରେସର ସମର୍ଥନକ୍ରମେ ଖାସ୍ ଶ୍ରମିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ବ୍ୟାନର୍ରେ କେବଳ ବାଲିଝରା ୱାର୍ଡରୁ ପ୍ରାର୍ଥୀ ଦିଆଯିବ ବୋଲି ବାପି ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ। ଏହି ଘୋଷଣାର ୧୦ ଦିନ ପରେ ସେ ଏହି ନୂଆ ବ୍ୟାନର୍ରେ କେବଳ ୱାର୍ଡ-୪କୁ ଛାଡ଼ି ବାକି ୧୮ଟି ୱାର୍ଡ ଓ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି। ଗତକାଲି ବିଜେଡି ଟିକଟରୁ ନିରାଶ ହୋଇଥିବା ଦଳର କେତେକ ଆଶାୟୀ ପ୍ରାର୍ଥୀ ବାପିଙ୍କ ସଂଗଠନରେ ସାମିଲ ହୋଇ ପ୍ରାର୍ଥୀ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୱାର୍ଡ-୧୬ରୁ ଗୋଲେଖ ସାହୁଙ୍କ ପତ୍ନୀ ସୌଦାମିନୀ ସାହୁ, ୱାର୍ଡ-୧୮ରେ ବରିଷ୍ଠ ବିଜେଡି ନେତା ଜଗନ୍ନାଥ ରାଓ କାମ୍ବେଲା ଓ ୱାର୍ଡ-୧୯ରେ ସୁଜିତ ପରିଡ଼ାଙ୍କ ନାମ ରହିଛି। ଏଣୁ ଏହା ବିଜେଡିକୁ କେତେ ଫରକ ପକାଇବ ଏବଂ କଂଗ୍ରେସକୁ କେତେ ଫାଇଦା ଦେବ ତାହା ଆଗାମୀ ଦିନରେ ସ୍ପଷ୍ଟ ହୋଇଯିବ। ବର୍ତ୍ତମାନ ସମସ୍ତଙ୍କ ନଜର ‘ଆମ ପାରାଦୀପ, ଆମ ପ୍ରଗତି’ ଉପରେ। ହଠାତ୍ ପୌର ନିର୍ବାଚନରେ ବାପି କାହିଁକି ଏପରି ନିଷ୍ପତ୍ତି ନେଲେ, ତାକୁ ନେଇ ରାଜନୈତିକ ମହଲରେ ମଧ୍ୟ ନାନା ଆଶଙ୍କା ଓ ଦ୍ବନ୍ଦ୍ବ ଦେଖାଦେଇଛି।
ଆଜି ସଂଗଠନର ମୁଖ୍ୟ ବାପି ସର୍ଖେଲଙ୍କ ନେତୃତ୍ବରେ ଏହି ପ୍ରାର୍ଥୀମାନେ ଏକ ଶୋଭାଯାତ୍ରାରେ ଆସି ପୌର କାର୍ଯ୍ୟାଳୟରେ ପହଞ୍ଚିବା ପରେ ୧୪ ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ବାପି କହିଛନ୍ତି କଂଗ୍ରେସ ଏହି ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ କରିବ। ଏହି ସଂଗଠନ ପକ୍ଷରୁ ବାଦ୍ ଦିଆଯାଇଥିବା ୪ ନମ୍ବର ୱାର୍ଡରେ ଭେଟେରାନ୍ କଂଗ୍ରେସ ନେତା କେଦାର ଜେନାଙ୍କୁ କଂଗ୍ରେସ ପ୍ରାର୍ଥୀ କରିବ ବୋଲି ଅନୁମାନ କରାଯାଉଛି। ଏହି ୱାର୍ଡରେ କେଦାର କ୍ରମାଗତ ଜିତି ଆସୁଥିବାରୁ ତାହା ତାଙ୍କର ଗଡ଼ ବୋଲି ଧରାଯାଏ। ସେଥିପାଇଁ ପୁଣିଥରେ କେଦାର ଏହି ୱାର୍ଡରୁ ପ୍ରାର୍ଥୀ ହେବା ନିଶ୍ଚିତ।
ଏ ସମ୍ପର୍କରେ ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ କହିଛନ୍ତି, ବାପି ତାଙ୍କଠାରୁ ଅଧ୍ୟକ୍ଷ ଓ ୫ ପାରିଷଦଙ୍କ ପାଇଁ ଦଳୀୟ ଟିକଟ ନେଇଛନ୍ତି। ଅନ୍ୟ ସବୁ ୱାର୍ଡରେ କଂଗ୍ରେସ ସ୍ବାଧୀନ ପ୍ରାର୍ଥୀଙ୍କୁ ସମର୍ଥନ ଦେବ। ବାପି ୱାର୍ଡ-୪କୁ ବାଦ୍ ଦେଇ ବାକି ୧୮ଟି ପାଇଁ ପ୍ରାର୍ଥୀ ଘୋଷଣା କରିଥିଲେ ହେଁ ୱାର୍ଡ-୩ , ୯, ୧୦ ଓ ୧୬ରେ କେହି ପ୍ରାର୍ଥିପତ୍ର ଦାଖଲ କରି ନଥିବାରୁ ସେଗୁଡ଼ିକ କଂଗ୍ରେସକୁ ଛଡ଼ାଯାଇଥିବା ସ୍ପଷ୍ଟ ହୋଇଛି। ସେହି ୫ଟି ୱାର୍ଡରେ ଆସନ୍ତାକାଲି କଂଗ୍ରେସ ପ୍ରାର୍ଥିପତ୍ର ଦାଖଲ କରିବ ଓ ବାପିଙ୍କ ଭୂମିକା ମଧ୍ୟ ଅଧିକ ସ୍ପଷ୍ଟ ହୋଇଯିବ ବୋଲି କୁହାଯାଉଛି।