ବାପ୍ପି ଦା’ ଓଲିଉଡ୍‌ରେ ବି ଢାଳିଛନ୍ତି ପ୍ରେମ ରସ

କଥା ଥିଲା.. କଥା ଥିଲା… ଅକୁହା ଯେ.. କଥା ଥିଲା…
ଉତ୍ତମ-ମହେଶ୍ବତାଠାରୁ ବର୍ଷା-ଅନୁଭବ ପର୍ଯ୍ୟନ୍ତ..

ଭୁବନେଶ୍ୱର : କଥା ଥିଲା… କଥା ଥିଲା… ଅକୁହା ଯେ କଥା ଥିଲା… ଆଜି ବି ପ୍ରେମୀଯୁଗଳମାନେ ଏହି ଗୀତ ଗୁଣୁ ଗୁଣୋଉଥିବା ଶୁଣିବାକୁ ମିଳ‌େ। ତେବେ ଉତ୍ତମ ମହାନ୍ତି-ମହେଶ୍ବତାଙ୍କ ଏହି ରୋମାଣ୍ଟିକ୍‌ ଟ୍ରାକ୍‌ କେବଳ ନୁହେଁ, ଚିଠି ଚିଠି… ଚିଠି ଚିଠି… ପଢ଼େ ଯେତେଯେତେ ଭଲ ଲାଗେ ସେତେ… ସଙ୍ଗୀତ ଆଜିର ଡିଜିଟାଲ୍‌ ଯୁଗରେ ମଧ୍ୟ ତରୁଣ ପ୍ରେମକୁ ବେଶ୍‌ ଉତ୍‌ଫୁଲିତ କରେ। ୯୦ ଦଶକରେ ଯେ ବାପ୍ପି ଦା’ଙ୍କ ରୋମାଣ୍ଟିକ୍‌-ମେଲୋଡିଅସ୍ ସଙ୍ଗୀତ ନିର୍ଦ୍ଦେଶନା ଦର୍ଶକଙ୍କୁ ରୋମାଞ୍ଚିତ କରୁଥିଲା ତାହା ନୁହେଁ ଏକବିଂଶ ଶତାବ୍ଦୀରେ ମଧ୍ୟ ବାପ୍ପି ଦା’ଙ୍କ କଣ୍ଠର ଯାଦୁ ଶ୍ରୋତାଙ୍କୁ ବିମୋହିତ ମଧ୍ୟ କରିଛି। ୨୦୧୩ ମସିହାର ସୁଧାକର ବସନ୍ତଙ୍କ ନିର୍ଦ୍ଦେଶିତ ତଥା ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ମୋ ଦୁନିଆ ତୁ ହି ତୁ’ ଚଳଚ୍ଚିତ୍ରର ଟାଇଟଲ୍‌ ସଙ୍ଗୀତ ‘ମୋ ଦୁନିଆ ତୁ ହି ତୁ…’ ବାପ୍ପି ଲାହିରି ନିଜେ ଇରା ମହାନ୍ତିଙ୍କ ସହ ଗାଇଥିଲେ। ଯାହାକି ସେ ସମୟର ଲୋକପ୍ରିୟ ସଙ୍ଗୀତ ତାଲିକାରେ ଅନ୍ୟତମ ଥିଲା।

ବଲିଉଡ୍‌ ସହ ବଙ୍ଗଳା ଭାଷାରେ ଅନେକ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ବାପ୍ପି ଦା’ ଓଡ଼ିଆ ସଙ୍ଗୀତର ମଧ୍ୟ ସ୍ବତନ୍ତ୍ର ଛାପ ଛାଡ଼ି ଯାଇଛନ୍ତି। ୨ଟି ଓଡ଼ିଆ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସେ। ଏଥିସହ କିଛି ଓଡ଼ିଆ ସଙ୍ଗୀତରେ କଣ୍ଠଦାନ ମଧ୍ୟ କରିଛନ୍ତି ବଲିଡଡ୍‌ର ଏହି ସ୍ବର୍ଣ୍ଣିମ ସରଦାର୍‌। ୧୯୮୯ ମସିହାର ଉଦୟ ଶଙ୍କର ପାଣିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ମିଛ ମାୟା ସଂସାର’ର ସମସ୍ତ ସଙ୍ଗୀତର ନିର୍ଦ୍ଦେଶନା ଦେଇଥିଲେ ବାପ୍ପି ଦା’। ମଙ୍ଗଳ ମାୟା ଭକତ ବାନ୍ଧବ…, ବାୟା ମନ ମିଛେ ଏତେ ବାନ୍ଧୁଛୁ ଆଶା…, ଏ କେଉଁ ସହର କେମିତି ସହର…, ଏଇ ଶୁଭ ଦିନ ଆସେ ହସ ଖୁସି… ଆଦି ଗୀତର ନିର୍ଦ୍ଦେଶନା ବାପ୍ପି ଦା’ ଦେଇଥିବା‌ ବେଳେ ଏହି ଚଳଚ୍ଚିତ୍ରରେ କଣ୍ଠଶିଳ୍ପୀ ଉଶା ମଙ୍ଗେଶକର, ଅମିତ କୁମାର, ଚନ୍ଦ୍ରାଣୀ ମୁଖାର୍ଜୀ, ମହମ୍ମଦ ଅଜିଜ୍‌, ଉତ୍ତରା କେଲ୍‌କର୍‌ ଓ ମହମ୍ମଦ ଅବିଦ୍‌ ପ୍ରମୁଖ କଣ୍ଠଦାନ କରିଥିଲେ। ଏସବୁ ଗୀତ ଲେଖିଥିଲେ ଗୀତିକାର ନିଜାମ୍‌।

ସେହିଭଳି ତରୁଣ ମଜୁମ୍‌ଦାର୍‌ଙ୍କ ନିର୍ଦ୍ଦେଶିତ ୧୯୯୪ ମସିହାର ଚଳଚ୍ଚିତ୍ର ‘ଅକୁହା କଥା’ରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାପ୍ପି ଲାହିରି। ଏହି ଚଳଚ୍ଚିତ୍ରର ଚିଠି ଚିଠି… ଚିଠି ଚିଠି… ପଢ଼େ ଯେତେଯେତେ ଭଲ ଲାଗେ ସେତେ… ରୋମାଣ୍ଟିକ୍‌ ସଙ୍ଗୀତ ସେତେବେଳେ ବେଶ୍‌ ଲୋକପ୍ରିୟ ହୋଇପାରିଥିଲା। ଏହାର ସଙ୍ଗୀତ ନିର୍ଦ୍ଦେଶନା ବାପି ଦା’ ଦେଇଥିବା ବେଳେ ଗୀତିକାର ଥିଲେ ନିମାଇଁ ମହାନ୍ତି। ଏଥିସହ ଏହି ଚଳଚ୍ଚିତ୍ରର କଥା ଥିଲା.. କଥା ଥିଲା… ଅକୁହା ଯେ.. କଥା ଥିଲା ସଙ୍ଗୀତ ଏବେ ବି ଶ୍ରୋତାଙ୍କ ମନ ମୋହୁଛି।

ସମ୍ବନ୍ଧିତ ଖବର