ଜଗତସିଂହପୁର: ଗ୍ୟାଙ୍ଗଷ୍ଟର ଟିଟୋର ପୂର୍ବ ସହଯୋଗୀକୁ ମିଳିଲା ବିଜେଡିର ଜିଲ୍ଲା ଉପସଭାପତି ଦାୟିତ୍ୱ | ଆଉ ଏହାକୁ ନେଇ ଏବେ ବିଜେଡିରେ ଦ୍ଵନ୍ଦ ଦେଖାଦେଇଛି | ଜଗତସିଂହପୁର ଜିଲ୍ଲା ଉପ ସଭାପତି ଭାବେ ଟିଟୋର ସହଯୋଗୀ ବା ଅତି ଘନିଷ୍ଠ ଜ୍ୟୋତିକାନ୍ତ ପରିଡ଼ା ଓରଫ ବାପୁ ପରିଡ଼ାଙ୍କୁ ଦାୟିତ୍ୱ ମିଳିବା ପରେ ପାରାଦ୍ୱୀପ ବିଜେଡିରେ ବିବାଦ ବଢିଛି । ୨୦୧୮ ମସିହାରେ ଟିଟୋ ଲିଙ୍କରେ ବାପୁ ପରିଡ଼ା ଏସଟିଏଫ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲା । ହତ୍ୟା, ଦାଦା ବଟି, ଗୁଳିକାଣ୍ଡ, ଅପହରଣ ଓ ଧମକଚମକ ଭଳି ୨୮ଟି ମାମଲାରେ ବାପୁର ସମ୍ପୃକ୍ତି ଥିବା ଏସଟିଏଫ ସେବେ ପ୍ରମାଣ ପାଇଥିଲା ।
ଆଉ ଏବେ ସେହି ବାପୁ ପରିଡା ବା ଜ୍ୟୋତିକାନ୍ତ ପରିଡ଼ାକୁ ଜଗତସିଂହପୁର ଜିଲ୍ଲା ବିଜେଡି ଉପ ସଭାପତି ପଦ ମିଳିବା ପରେ ବିବାଦ ବଢିଛି । ତେବେ ଏ ନେଇ ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ କହିଛନ୍ତି ମୁଁ ବାପୁ ନାଁ ସୁପାରିଶ କରିନଥିଲି । କେମିତି ତା ନାଁ ଲିଷ୍ଟରେ ଆସିଲା ମୋତେ ଆଶ୍ଚର୍ଯ୍ୟ ଲାଗୁଛି । ମୋ ବିନା ପରାମର୍ଶରେ ଅପରାଧିକ ମାମଲା ଥିବା ବାପୁକୁ ଦଳୀୟ ସଂଗଠନରେ ସାମିଲ କରାଯାଇଛି । ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲିଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ସମ୍ବିତ ରାଉତରାୟ ।
ଅନ୍ୟପଟେ ସମ୍ବିତ ରାଉତରାୟଙ୍କ ଅଭିଯୋଗର ଜବାବ ରଖି ସରକାରୀ ଦଳ ମୁଖ୍ୟ ସଚେତକ ତଥା ଜଗତସିଂହପୁର ବିଜେଡିର ପୂର୍ବତନ ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି କହିଛନ୍ତି ଯେ ଜିଲ୍ଲା ସଭାପତି ମୁଁ ନାହିଁ । ମୁଁ ଜିଲ୍ଲା ସଭାପତି ଥିବା ସମୟରେ ଏହା ହୋଇନାହିଁ । କିଏ କଣ ହେବ ବା ପଦବୀ ପାଇବ ତାହା ଦଳୀୟ ନିଷ୍ପତ୍ତିରେ ହୁଏ । ଯିଏ ମୋ ନାଁ ନେଇଛି ତାଙ୍କୁ ପଚାର ସେ କାହିଁକି ମୋ ନାଁ ନେଉଛି । ସେ ହିଁ ତାହାର ସ୍ପଷ୍ଟୀକରଣ ଦେବ ବୋଲି ପ୍ରଶାନ୍ତ ମୁଦୁଲି କହିଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/9d26fab7-7c6f-4b0b-a777-193e1fc6d5d5.jpg)