ପଦ୍ମପୁର: ପଦ୍ମପୁର ଉପଖଣ୍ଡକୁ ସ୍ବତନ୍ତ୍ର ଜିଲ୍ଲା ଘୋଷଣା ଦାବି ନେଇ ଶନିବାର ସ୍ଥାନୀୟ ଓକିଲ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ଉପଖଣ୍ଡକୁ ଜିଲ୍ଲା ଘୋଷଣା ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରଖିବା ଏବଂ ଏକ କାର୍ଯ୍ୟକାରୀ ପରିଷଦ ଗଠନ କରିବା ନେଇ ମତପ୍ରକାଶ ପାଇଥିଲା। ବୈଠକରେ ଜିଲ୍ଲା ଦାବି ଆନ୍ଦୋଳନକୁ ପଦ୍ମପୁର ଓକିଲ ସଂଘ ନେତୃତ୍ବ ନେବାକୁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା।

Advertisment

ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଓକିଲ ସଂଘ କର୍ମକର୍ତ୍ତାଙ୍କ ସମେତ ଉପଖଣ୍ଡର ସମସ୍ତ ୬ଟି ବ୍ଲକ ଏବଂ ଏନ୍‌ଏସିଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏକ କ୍ରିୟାନୁଷ୍ଠାନ କମିଟି ଗଠନ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଆନ୍ଦୋଳନର ଭବିଷ୍ୟତ କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ସଂଘର ସଭାପତି ଉମେଶ ଚନ୍ଦ୍ର ସାହୁ, ସଂପାଦକ ଶାନ୍ତନୁ ତ୍ରିପାଠୀ, ବରିଷ୍ଠ ସଦସ୍ୟ ରାଧାବଲ୍ଲଭ ପାଣିଗ୍ରାହୀ, ଗୌନ୍ତିଆ ସାହୁ, ରଜନୀକାନ୍ତ ଦାଶ, କିଶୋର ମେହେର, ବିଭୂତି ଭୂଷଣ ଦାଶ, ରାମରତନ ପୁରୋହିତ, ଚିନ୍ମୟ ପଣ୍ଡାଙ୍କୁ ନିର୍ବାଚିତ ପ୍ରତିନିଧିମାନଙ୍କ ସହ ଯୋଗାଯୋଗ କରିବାକୁ ଦାୟିତ୍ବ ଅର୍ପଣ କରାଯାଇଥିଲା।