ସୁପ୍ରିମ କୋର୍ଟ ନିର୍ଦ୍ଦେଶକୁ ନେଇ ଓକିଲ ସଂଘର ବିକ୍ଷୋଭ   

ଦେବଗଡ଼: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟର ବିଭିନ୍ନ ଓକିଲ ସଂଘରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି କ୍ରମରେ ଦେବଗଡ଼ ଜିଲ୍ଲା ଓକିଲ ସଂଘ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରି ଲାଇସେନ୍ସ ଫେରାଇବାକୁ ଚେତାବନୀ ଦେଇଛି। ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶାର ବିଭିନ୍ନ ଆଦାଲତରେ ଆଇନଜୀବୀ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଉଛି। ଫଳରେ ନିମ୍ନ ଅଦାଲତଗୁଡ଼ିକରେ ବିଚାର ବ୍ୟବସ୍ଥା ଅଚଳ ହୋଇ ପଡୁଥିବା ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟବନ୍ଦ ଆନ୍ଦୋଳନରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନଚେତ ଆନ୍ଦୋଳନରତ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଆବଶ୍ୟକ ସ୍ଥଳେ ଲାଇସେନ୍ସ ରଦ୍ଧ କରାଯିବ ବୋଲି କହିଛନ୍ତି।

ଏହି ନିର୍ଦ୍ଦେଶ ପରେ ଆଜି ଜିଲ୍ଲା ଓକିଲ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଅସନ୍ତୋଷ ବ୍ୟକ୍ତ କରି ଓକିଲମାନେ ଲାଇସେନ୍ସ ଫେରାଇବାକୁ ଚେତାବନୀ ଦେଇଛନ୍ତି। ଜିଲ୍ଲା ସଂଘ ସଭାପତି ସଚ୍ଚିକାନ୍ତ ଦାଶଙ୍କ ଅଧକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଆସନ୍ତା ୨୩ ତାରିଖରେ ଜିଲ୍ଲାର ସମସ୍ତ ବିଚାରବିଭାଗୀୟ ଅଦାଲତକୁ ବନ୍ଦ କରିବା ସହ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଧାରଣା ଓ ରାଷ୍ଟ୍ରପତିଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ତରଣୀକାନ୍ତ ଦାଶ, ଉପ ସଭାପତି ସୁଶାନ୍ତ ବିଶ୍ୱାଳ, ସହସମ୍ପାଦକ କ୍ଷେତ୍ରବାସୀ ମେହେର, ବରିଷ୍ଠ ଓକିଲ ଦିଲୀପ ଗୁରୁ, ମନୋଜ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ରାଜ୍ୟ ସରକାର ବିଳମ୍ବ ନକରି ହାଇକୋର୍ଟଙ୍କ ମତାମତ ନେଇ ପଶ୍ଚିମ ଓଡିଶାରେ ସ୍ଥାୟୀ ବେଞ୍ଚ୍‌ ପ୍ରତିଷ୍ଠା କରିବା ପାଇଁ ପୂର୍ଣ୍ଣାଙ୍ଗ ପ୍ରସ୍ତାବ ଗ୍ରହଣ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି।

ସମ୍ବନ୍ଧିତ ଖବର