ଆଇନଜୀବୀଙ୍କୁ ପୁଲିସ ମାଡ଼ମାରିବା ଘଟଣା: ୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଆଇନଜୀବୀଙ୍କ ଆନ୍ଦୋଳନ

ଭୁବନେଶ୍ୱର: ଆଇନଜୀବୀଙ୍କୁ ପୁଲିସ ମାଡ଼ମାରିବା ଘଟଣା ଦିନକୁ ଦିନ ଆହୁରି ଜଟିଳ ପରିସ୍ଥିତି ସୃଷ୍ଟି କରୁଛି। ହାଇକୋର୍ଟ ବାର ଆସୋସିଏସନ୍‌ ପକ୍ଷରୁ ଆଇନଜୀବୀମାନେ ଆନ୍ଦୋଳନକୁ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ହାଇକୋର୍ଟ ବାର ଆସୋସିଏସନ୍‌ର ସଭାପତି ଶ୍ରୀକାନ୍ତ ନାୟକ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ଆଜିର ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ବୁଧବାର (ଅକ୍ଟୋବର ୩୧)ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବ। ଗତ ଅଗଷ୍ଟ ୨୮ରେ କଟକର ନୂଆବଜାର ଠାରେ ଆଇନଜୀବୀ ଦେବୀ ପ୍ରସାଦ ପଟ୍ଟନାୟକଙ୍କୁ ମାଡ଼ ମାରିଥିବା ଅଭିଯୁକ୍ତଙ୍କୁ ୨ ମାସ ପରେ ବି ଗିରଫ କରାଯାଇ ନଥିବାରୁ ଆଇନଜୀବୀମାନେ ଉତ୍ତେଜିତ ଦେଖାଯାଇଛନ୍ତି। ଆଇନଜୀବୀମାନେ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁଁ ଅଭିଯୁକ୍ତ ପୁଲିସ ଗିରଫ ହୋଇପାରୁ ନାହିଁ ବୋଲି କହିଛନ୍ତି।

ବାର ଆସୋସିଏସନ୍‌ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ନଭେମ୍ବର ୧ରେ ସବୁ ବାର ଆସୋସିଏସନ କର୍ମକର୍ତ୍ତାଙ୍କ ମିଳିତ ବୈଠକ ହେବ। ଆନ୍ଦୋଳନର ପରବର୍ତ୍ତୀ ପନ୍ଥା ଗୁରୁବାର ସ୍ଥିର କରାଯିବ। ୪ ଜଣ ହାଇକୋର୍ଟ ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ। ସେମାନେ ହେଲେ ଟହଲି ଚରଣ ମହାନ୍ତି, ମିଲନ କାନୁନ୍‌ଗୋ, ଅସୀମ ଅମିତାଭ ଦାଶ ଓ ବଂଶୀଧର ଶତପଥୀ।

 

ସମ୍ବନ୍ଧିତ ଖବର