ଭୁବନେଶ୍ୱର: ଭାରତୀୟ ବାର୍ କାଉନସିଲ୍ ଓ ରାଜ୍ୟ ବାର୍ କାଉନ୍ସିଲ୍ଗୁଡ଼ିକର ପ୍ରତିନିଧିଙ୍କ ଯୁଗ୍ମ କମିଟି ବୈଠକରେ ନିଷ୍ପତ୍ତି ମୁତାବକ ବିଭିନ୍ନ ଦାବି ନେଇ ଆଜି ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଓକିଲ ସଂଘର ପ୍ରତିନିଧି ରାଜ୍ୟପାଳଙ୍କୁ ଭେଟିଛନ୍ତି। ଭୁବନେଶ୍ବର ଓକିଲ ସଂଘ କାର୍ଯ୍ୟାଳୟ ପରିସରରୁ ଏକ ଶୋଭାଯାତ୍ରାରେ ହଜାର ହଜାର ଓକିଲ ରାଜ ଭବନରେ ପହଞ୍ଚିବା ପରେ ସେଠାରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ହାଇକୋର୍ଟ ବାର୍ କାଉନସିଲ ସହ ଅନ୍ୟ ସମସ୍ତ ଜିଲ୍ଲାରେ ରହିଥିବା ଓକିଲ ସଂଘ ସଦସ୍ୟ ଏଥିରେ ସାମିଲ ହୋଇଥିଲେ। ପ୍ରତ୍ୟେକ ଓକିଲ ସଂଘରେ ଅତ୍ୟାବଶ୍ୟକ ଗୃହ, ଆବଶ୍ୟକ ସରଞ୍ଜାମ, ଲାଇବ୍ରେରି, ଇଣ୍ଟରନେଟ୍ ଓ ଟଏଲେଟ୍ ବ୍ୟବସ୍ଥା କରିବା, ଓକିଲ ଓ ତାଙ୍କ ପରିବାର ପାଇଁ ବୀମା, ନୂଆ ଓକିଲଙ୍କ ପାଇଁ ମାସିକ ୧୦ ହଜାର ଷ୍ଟାଇପେଣ୍ଡ, ମୃତ୍ୟୁ କିମ୍ବା ଅକର୍ମଣ୍ୟ ହେଲେ ତେଲେଙ୍ଗାନା ଭଳି ସହାୟତା ଦେବା ପାଇଁ ସରକାର ବାର୍ଷିକ ବଜେଟ୍ରେ ୫ ହଜାର କୋଟି ବ୍ୟୟବରାଦ କରିବା, ହରିୟାଣା ସରକାରଙ୍କ ଭଳି ସମସ୍ତ ରାଜ୍ୟରେ ଘର ତିଆରି ପାଇଁ ଶସ୍ତାରେ ଜମି ଯୋଗାଇବା, ଟ୍ରିବ୍ୟୁନାଲ, କମିସନ, ଫୋରମ୍ ଓ ଅଥରିଟି ସମେତ ଆଇନ ସେବା ପ୍ରାଧିକରଣ ଆଇନରେ ସଂଶୋଧନ କରାଯାଇ ଆଇନଜୀବୀଙ୍କୁ ସରକାରୀ ପଦପଦବି ପ୍ରଦାନ କରିବା ପ୍ରମୁଖ ଦାବିକୁ ସରକାର ପୂରଣ କରନ୍ତୁ ବୋଲି ସେମାନେ କହିଛନ୍ତି। ରାଜ୍ୟ ବାର୍ କାଉନସିଲ ଅଧ୍ୟକ୍ଷ ଡ. ଟହଲି ଚରଣ ମହାନ୍ତି, ସୀତାଂଶୁ ଦ୍ବିବେଦୀ, ବିଭୁପ୍ରସାଦ ତ୍ରିପାଠୀ, ଅସୀମ ଅମିତାଭ ଦାସ, ଭୁବନେଶ୍ବର ଓକିଲ ସଂଘ ସଭାପତି ଦୁର୍ଗାମାଧବ ମିଶ୍ର, ସମ୍ପାଦକ ଅଞ୍ଜନ ସାମନ୍ତରାୟ, ଉପ-ସଭାପତି ଅଶୋକ ବେହେରାଙ୍କ ସମେତ ଅନ୍ୟ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।
ରାଜ୍ୟପାଳଙ୍କୁ ଭେଟିଲା ଓକିଲ ସଂଘ
/sambad/media/post_attachments/wp-content/uploads/2019/02/Untitled-5-10.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)