ବାର୍‌ ଫାଙ୍କା, ମଦୁଆ ସାବାଡ୍‌

ଭୁବନେଶ୍ବର : ବାର୍‌ରେ ଆଉ ଜମୁନି ମଦ ମଉଜ। ମୋଟର ଯାନ ଆଇନ୍‌ ଆସିବା ପରେ ବାର୍‌ ଏବେ ଫାଙ୍କା। ସଂଜ ନଇଁଲେ ଆବୁରୁ ଜାବୁରୁ ଆଳାପ ସହ ଜମୁଥିବା ମଦ ଆସର ଏବେ ସମ୍ପୂର୍ଣ୍ଣ ଫିକା। ୩ ଶହ ଟଙ୍କାରେ ମଦ ପିଇ ବାଇକ୍‌ରେ ଫେରିବା ବେଳେ କା‌ଳେ ଟ୍ରାଫିକ୍‌ ହାବୁଡ଼ରେ ପଡ଼ିବେ, ୧୦ ହଜାର ଟଙ୍କାର ତଣ୍ଡ ଗଣିବେ, ଜେଲ୍‌ ଯିବେ ସେଇ ଭୟ ଘାରୁଛି। ଧରପଗଡ଼ କଡ଼ାକଡ଼ି ହେବା ପରେ ‘ନିଶା, ଜଣାପଡ଼େ ନାହିଁ ଟାଣେ ପଇସା’ ସ୍ଳୋଗାନର ମୂଲ୍ୟ ଅନେକ ବୁଝିଗଲେଣି। ପୂର୍ବରୁ ପୁଲିସ୍‌ ମଦ ପିଇ ଗାଡ଼ି ଚଳାଉଥିବା ବେ‌ଳେ ଧରପଗଡ଼ ବେଳେ ଦୈନିକ ୧୫ ଜଣଙ୍କୁ ଧରୁଥିବା ‌ରେକର୍ଡ ଥିବା ବେଳେ ଏବେ କଟକଣା ପରେ ୫ ଜଣ ମଦ ପିଇ ଗାଡ଼ି ଚଳାଉଥିବା ଅବସ୍ଥାରେ ଧରାପଡ଼ୁଛନ୍ତି।

ସଂପ୍ରତି ଭୁବନେଶ୍ବରରେ ୬୩ଟି ବାର୍ କମ୍‌ ରେଷ୍ଟୁରାଣ୍ଟ୍‌ ରହିଛି। ଏହା ବ୍ୟତୀତ ୪୨ଟି ହୋଟେଲ୍‌ ଓ କ୍ଲବ୍‌ରେ ବାର୍‌ ଚାଲିଥିବା ବେଳେ ୧୪ଟି ବିୟର ପାର୍ଲର ରହିଛି। ତେବେ ବାର୍‌ ମାଲିକଙ୍କ କହିବା ମୁତାବକ ଆଗରୁ ବାର୍‌କୁ ୧୫୦ ଲୋକ ଆସୁଥିବା ବେଳେ ଏବେ ଏଇ ସଂଖ୍ୟା ୬୦-୭୦ ମଧ୍ୟରେ ସୀମିତ ରହୁଛି। ଏହା କାହାର କେତେ ଲାଭ ବା କ୍ଷତି କରୁଛି ତାହା ଭିନ୍ନ କଥା, ମାତ୍ର ମୋଟରଯାନ ଆଇନ୍‌ ଲାଗୁ ହୋଇ ଧରପଗଡ଼ ପରର ଏହି ତଥ୍ୟ ନିଶା ମୁକ୍ତ ରାଜ୍ୟ ପାଇଁ ଆନ୍ଦୋଳନରତ କର୍ମୀମାନଙ୍କୁ ନିଶ୍ଚେ ଟିକେ ସାନ୍ତ୍ବନା ଦେଉଥିବ।

ଅସଲ କଥାଟି ହେଉଛି ଏବେ ମଦ ଦୋକାନରେ ଆଉ ଭିଡ଼ ଜମୁନାହିଁ। ଯେଉଁମାନେ ବି ମଦ କିଣି ସେଇଠି କୋଉ ଦୋକାନ ପଛରେ, ପାଖ ଅନ୍ଧାରିଆ ସ୍ଥାନରେ ୩-୪ ପେକ୍‌ ମାରିଦେଇ ଘରକୁ ଫେରୁଥିଲେ ସେମାନଙ୍କର କିନ୍ତୁ ମଦ ବନ୍ଦ। ସଂଜ ନଇଁବା କ୍ଷଣି ମଦ ପିଇବାକୁ ମଦ ଦୋକାନ ଆଗରେ ପ୍ରବଳ ଭିଡ଼ ଲାଗୁଥିଲେ ହେଁ ଏବେ ଆଉ ସେ ଚିତ୍ର ନାହିଁ। ଘରକୁ ମଦ ନେଇ ଯିବାକୁ ବି ସେମାନେ ସାହସ ଜୁଟାଇ ପାରୁନାହାନ୍ତି। ମଦ ପିଇ ଗାଡ଼ି ଚଳାଇବା ବେ‌ଳେ ୧୦ ହଜାର ଟଙ୍କା ତଣ୍ଡ ଗଣୁଗଣୁ କାଳେ ଆଉ କିଛି ଖୁଣ ବାହାରିଯିବ ଏବଂ ସେଥିପାଇଁ ତଣ୍ଡର ବୋଝ ମୁଣ୍ଡ ବିନ୍ଧା କରିବ ସେଇ କଥା ଭାବିଲା ବେଳକୁ ମୁଣ୍ଡ ଘୂରି ଯାଉଛି।

ସମ୍ବନ୍ଧିତ ଖବର