ବେଳାଭୂମିରେ ଖୋଲିବ ‌ବାର୍‌-ରେସ୍ତୋରାଁ

୬ଟି ବେଳାଭୂମିରେ ହେବ ୨୦ଟି ଷ୍ଟଲ୍‌, ମଦ କିଣିବ ଓଟିଡିସି, ବିକିବେ ଘରୋଇ ସଂସ୍ଥା‌

ଭୁବନେଶ୍ବର : ଗୋଆ ବେଳାଭୂମିରେ ଯେପରି ପର୍ଯ୍ୟଟକଙ୍କୁ ମଦ ସହ ସୁସ୍ବାଦୁ ଖାଦ୍ୟ ଏବଂ ସଂଗୀତର ମଜା ମିଳେ, ଠିକ୍‌ ସେମିତି ସୁବିଧା ସୁଯୋଗ ରାଜ୍ୟର ୬ଟି ବେଳାଭୂମିରେ ମିଳିବ। ଲୋକମାନେ ସମୁଦ୍ର କୂଳରେ ଯେପରି ଅଧିକ ସମୟ ବିତାଇବେ ଏବଂ ସାଙ୍ଗସାଥୀଙ୍କ ଗହଣରେ ମସଗୁଲ୍‌ ହେବେ, ସେହଭିଳି ବ୍ୟବସ୍ଥା ପର୍ଯ୍ୟଟନ ବିଭାଗ କରିବାକୁ ଯାଉଛି। ୬ଟି ‌ବେଳାଭୂମିରେ ବାର୍‌-ରେସ୍ତୋରାଁ ଖୋଲିବାକୁ ଷ୍ଟଲ୍‌ (ସ୍ୟାକ୍) ପିଛା ୨୦ ମିଟରରେ ୨୦ ମିଟରର ଜାଗା ଦିଆଯିବ। ଓଟିଡିସି ମଦ କିଣିକି ଦେବ, ଘରୋଇ ସଂସ୍ଥା ଏହାକୁ ବିକିବେ। ବର୍ଷକୁ ବର୍ଷ ଭଡ଼ା, ବାର୍‌ ଲାଇସେନ୍ସ ଫି’, ପଞ୍ଜୀକରଣ ଫି’ ବାବଦକୁ ୧ଲକ୍ଷ ୯୦ହଜାର ଟଙ୍କା ନେବ। ଏହାବାଦ୍ ବେଳାଭୂମି ଅନୁଯାୟୀ, ୭୫ହଜାରରୁ ଦେଢଲକ୍ଷ ଟଙ୍କା ଗୋଟିଏ ଲେଖାଏଁ ସ୍ୟାକ୍‌ ପାଇଁ ନେବ।

ଏଥିପାଇଁ ପର୍ଯ୍ୟଟନ ବିଭାଗ ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ୍‌ରେ ୫ଟି ସ୍ୟାକ୍‌, ତଳସାରି-ଉଦୟପୁର ବେଳାଭୂମିରେ ତିନିଟି, ପାରାଦୀପ ବେଳାଭୂମିରେ ତିନିଟି, ଚାନ୍ଦିପୁରରେ ଦୁଇଟି, ପାତି ସୋନାପୁରରେ ଦୁଇଟି ଏବଂ ଗୋପାଳପୁର ବେଳାଭୂମିରେ ୫ଟି ସ୍ୟାକ୍‌ କରିବାକୁ ଯୋଜନା କରିଛି। ଓଟିଡିସି ଏନେଇ ଟେଣ୍ଡର ଆହ୍ବାନ କରିଥିବା ବେଳେ ଆଜି ଏହାର ପ୍ରି-ବିଡ୍ ବୈଠକ ଭୁବନେଶ୍ବରସ୍ଥିତ ପାନ୍ଥନିବାସଠାରେ ଅନୁଷ୍ଠିତ ହୋଇଯାଇଛି। ଜୁଲାଇ ୩୦ ତାରିଖ ସୁଦ୍ଧା ଏନେଇ ଆବେଦନ କରିବାକୁ ସମୟସୀମା ଦିଆଯାଇଥିବା ବେଳେ ସେହିଦିନ ହିଁ ଏହି ଟେଣ୍ଡର ଖୋଲିବ। ଯେଉଁମାନେ ଟେଣ୍ଡର୍‌ ପାଇବେ, ସେମାନଙ୍କୁ ତିନି ବର୍ଷ ପାଇଁ ଏହି ସ୍ୟାକ୍ ଆବଣ୍ଟନ ହେବ। କେଉଁ ବେଳାଭୂମିରେ କେଉଁଠି ସ୍ୟାକ୍ ଖୋଲିବାକୁ ଜମି ଦିଆଯିବ, ସେନେଇ ପର୍ଯ୍ୟଟନ ବିଭାଗ ଏବଂ ଜଙ୍ଗଲ ଓ ପରିବେଶ, ପାଣିପାଗ ବିଭାଗ ମିଳିତ ଭାବେ ନିଷ୍ପତ୍ତି ନେବେ। ଯେପରି ସ୍ୟାକ୍‌ର ଆବର୍ଜନା ଓ ବର୍ଜ୍ୟ ସମୁଦ୍ରରେ ନ ମିଶିବ, ସେଥିପାଇଁ ପର୍ଯ୍ୟଟନ ବିଭାଗ ଏକ କ୍ଲଷ୍ଟର ନିର୍ମାଣ କରିବ। ତାହାରି ଭିତରେ ସବୁ ସ୍ୟାକ୍ ରହିବ। ଏଠାକୁ ବିଦ୍ୟୁତ୍‌, ପାଣି ଓ ସ୍ୟାକ୍ ପର୍ଯ୍ୟଟନ ବିଭାଗ ଯୋଗାଇବ। କିନ୍ତୁ ଯେଉଁ ସଂସ୍ଥା ଟେଣ୍ଡର୍‌ ପାଇବ, ସେ ପର୍ଯ୍ୟଟନ ବିଭାଗର ନିୟମାବଳୀ ଅନୁଯାୟୀ ସ୍ୟାକ୍ ନିର୍ମାଣ କରିବ।

ସମ୍ବନ୍ଧିତ ଖବର