କ୍ରିକେଟ୍‌ ଟିକେଟ୍‌ ଜାଲିଆତି ଘଟଣା : କର୍ଣ୍ଣାଟକରେ କଟକ ପୁଲିସର ଚଢ଼ଉ

କଟକ : ବାରବାଟୀ କ୍ରିକେଟ୍‌ ମ୍ୟାଚ୍‌ ପାଇଁ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରିରେ ‘ଗେଟ୍‌ ୨ ଦି ଗେମ୍‌ସ’ ଏଜେନ୍‌ସି ମୋଟ୍‌ ୩୦ ଲକ୍ଷ ଟଙ୍କାର ଟିକେଟ୍‌ ଜାଲିଆତି କରିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି । ଏହି ଜାଲିଆତି ପଛରେ ସମ୍ପୃକ୍ତ ର‍୍ୟାକେଟର ପର୍ଦ୍ଦାଫାସ କରିବାକୁ କ୍ୟାଣ୍ଟନ୍‌ମେଣ୍ଟ ଥାନା ପୁଲିସ କର୍ଣ୍ଣାଟକର ବେଙ୍ଗାଲୁରୁରେ ଚଢ଼ଉ କରିଛି । ଗିରଫ ହୋଇଥିବା ସମ୍ପୃକ୍ତ ଏଜେନ୍ସିର ମୁଖ୍ୟ ବିନୟ କର୍‌ମଚେଟି ଟିକେଟ୍‌ ଛାପିଥିବା ନିଜ ପ୍ରେସ୍‌ରେ ପୁଲିସ ଦୁଇ ଦିନ ହେବ ଚଢ଼ଉ ଜାରି ରିଖିଛି। ପୁଲିସ ହାତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଥିବା ବେଳେ ର‍୍ୟାକେଟ୍‌ରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ଖାନତଲାସ ଆରମ୍ଭ କରିଥିବା ସୂଚନା ମିଳିଛି ।

ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଶ୍ରୀଲଙ୍କା ଆନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ ପାଇଁ ଟେଣ୍ଡର ମାଧ୍ୟମରେ ଓସିଏ ପକ୍ଷରୁ କର୍ଣ୍ଣାଟକ ବେଙ୍ଗାଲୁରୁର ବିନୟ କରମଚେଟିକୁ ଟିକେଟ୍‌ ଛପା, ବିକ୍ରି ଏବଂ ଗେଟ୍‌ରେ ଏଣ୍ଟ୍ରି ବେଳେ ଦର୍ଶକଙ୍କ ଟିକେଟ୍‌ ଚେକିଂ ଦାୟିତ୍ୱ ଦିଆଯାଇଥିଲା । ଉଭୟ କମିସନରେଟ୍‌ ପୁଲିସ ଏବଂ ଓସିଏର ନିଷ୍ପତ୍ତି ଅନୁଯାୟୀ, ଚଳିତ ବର୍ଷ ମୋଟ ୪୩ ହଜାର ୯୨୯ ଟିକେଟ୍‌ ଛାପିବାକୁ ବିନୟର ‘ଗେଟ୍‌ ୨ ଦି ଗେମ୍‌ସ’ ଏଜେନି୍ସକୁ ଅନୁମତି ମିଳିଥିଲା । ସେହି ଅନୁଯାୟୀ ଟିକେଟ୍‌ ଛାପିବା ପରେ ସମସ୍ତ ଟିକେଟ୍‌ ଓସିଏ କର୍ତ୍ତୃପଙ୍କୁ ହସ୍ତାନ୍ତର କରାଯାଇଥିଲା । ଓସିଏ ଟିକେଟ୍‌ଗୁ଼ଡ଼ିରେ କମିସନରେଟ୍‌ ପୁଲିସର ସିକ୍ୟୁରିଟି କୋଡ୍‌ ଲଗାଇବାକୁ କଟକ ଡିସିପି ଅଖିଳେଶ୍ୱର ସିଂହଙ୍କୁ ଦେଇଥିଲା । ଡିସିପି ମୋଟ ଟିକେଟ୍‌ରୁ ୧୧ ହଜାର ୫୨୬ ଟିକେଟ୍‌ ପାସ୍‌ ଆକାରରେ ବାଣ୍ଟିବାକୁ ଓସିଏକୁ ଦେଇଥିବା ବେଳେ ଅବଶିଷ୍ଟ ୩୨ ହଜାର ୪୦୩ ଟିକେଟ୍‌ ଚୁକ୍ତି ଅନୁଯାୟୀ ଆଇସିସିଆଇ ବ୍ୟାଙ୍କ୍‌କୁ ଦେଇଥିଲେ ।

ବ୍ୟାଙ୍କ ଉକ୍ତ ଟିକେଟ୍‌ରୁ ୨୩ ହଜାର ୦୯୩ ଟିକେଟ୍‌ ନିଜେ କାଉଣ୍ଟରରେ ବିକ୍ରି କରିବାକୁ ରଖି ଅବଶିଷ୍ଟ ୯ହଜାର ୩୧୦ଟି ଟିକେଟ୍‌ ଅନ୍‌ଲାଇନ୍‌ରେ ବିକ୍ରି କରିବାକୁ ‘ଗେଟ୍‌ ୨ ଦି ଗେମ୍‌ସ’ ଏଜେନ୍ସିକୁ ଦେଇଥିଲା । ଉକ୍ତ ଏଜେନ୍ସିର ମାଲିକ ବିନୟ ପାଖାପାଖି ୩୦ ଲକ୍ଷ ଟଙ୍କା ମୂଲ୍ୟର ୪ ହଜାରରୁ ଅଧିକ ଟିକେଟ୍‌ ଅନ୍‌ଲାଇନ୍‌ରେ ବିକ୍ରି କରିବା ସହିତ ଅଫ୍‌ଲାଇନ୍‌ରେ ମଧ୍ୟ ବିକ୍ରି କରିଦେଇଥିଲା। ଅର୍ଥାତ ୪ ହଜାର ଟିକେଟ୍‌ ବିନୟ ଦୁଇ ଥର ବିକ୍ରି କରିଥିଲା। ଖେଳ ସମୟରେ ଯେପରି ଅଡ଼ୁଆ ନହୁଏ ସେଥିପାଇଁ ବିନୟ ଡିସେମ୍ବର ୧୮ ତାରିଖରେ ଅଧିକ ଚାରି ହଜାର ଜାଲ୍‌ ଟିକେଟ୍‌ ଛପାଇ କଟକ ଆଣିଥିଲା। କିନ୍ତୁ ସେଥିରେ ସିଟ୍‌ ନମ୍ବର କିମ୍ବା ଡିସିପିଙ୍କ ସିକ୍ୟୁରିଟି କୋଡ ନଥିଲା । ଜାଲ୍‌ ଟିକେଟ୍‌ ବଳରେ ଅଧିକ ୩୦ ଲକ୍ଷ ଟଙ୍କା ସିଧା ବିନୟର ପକେଟ୍‌କୁ ଆସିଥିଲା । ୨୦ ତାରିଖ ଅପରାହ୍ନରେ ମ୍ୟାଚ୍‌ ଆରମ୍ଭ ପୂର୍ବରୁ ଅନ୍‌ଲାଇନ୍‌ରେ ଟିକେଟ୍‌ କାଟିଥିବା କ୍ରିକେଟ୍‌ ପ୍ରେମୀ ନେଟ୍‌ରୁ ବାହାରିଥିବା ପ୍ରିଣ୍ଟ କାଉଣ୍ଟର୍‌ରେ ଦେଖାଇ ଓରିଜିନାଲ୍‌ କୁହାଯାଉଥିବା ଜାଲ୍‌ ଟିକେଟ୍‌ ନିଜ ଅଜାଣତରେ ସଂଗ୍ରହ କରିଥିଲେ । ଗେଟ୍‌ରେ ପ୍ରବେଶ ସମୟରେ ଜଣେ ପୁଲିସ ଅଧିକାରୀଙ୍କ ହାତରେ ଉକ୍ତ ଟିକେଟ୍‌ ପଡ଼ିଯାଇଥିଲା । ଏଥିରେ ଡିସିପିଙ୍କ ସିକ୍ୟୁରିଟି କୋଡ୍‌ ଏବଂ ସିଟ୍‌ ନମ୍ବର ନଥିବାରୁ ଘଟଣାର ଖୋଳତାଡ଼ ପରେ ଟିକେଟ୍‌ ଜାଲିଆତି ହୋଇଥିବା ସାମ୍‌ନାକୁ ଆସିଥିଲା ।

ବିନୟ ଟିକେଟ୍‌ ଜାଲିଆତି କରି ଅଫ୍‌ଲାଇନ୍‌ରେ ବିକ୍ରି କରିଥିବା ଅଭିଯୋଗରେ ପୁଲିସ ତା’କୁ ଡିସେମ୍ବର ୨୧ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ କ୍ୟାଣ୍ଟନ୍‌ମେଣ୍ଟ ଥାନାର ଦୁଇ ବରିଷ୍ଠ ଅଧିକାରୀ ଗତ ସୋମବାର ଦିନ ୫ ଦିନିଆ ଗସ୍ତରେ ବେଙ୍ଗାଲୁରୁ ଯାଇଛନ୍ତି। ସେଠି ବିନୟଙ୍କ ଟିକେଟ୍‌ ଛପା ହେଉଥିବା ପ୍ରେସ୍‌ରେ ଚଢ଼ଉ ଚାଲିଛି । କେତେ ଟିକେଟ୍‌ ପ୍ରକୃତରେ ଛପା ହୋଇଥିଲା, କେତେ ଥର ଛପା ହୋଇଛି, ଓସିଏ ଏବଂ ‘ଗେଟ୍‌ ୨ ଦି ଗେମ୍‌ସ’ ମଧ୍ୟରେ ହୋଇଥିବା ପ୍ରତ୍ୟେକ ମେଲ୍‌ ଯାଞ୍ଚ ଚାଲିଛି । ଟିକେଟ୍‌ ଜାଲିଆତି ପଛରେ ବିନୟର ନିର୍ଦ୍ଦିଷ୍ଟ କିଛି ସହଯୋଗୀଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି । ତେବେ ସେମାନଙ୍କୁ ଚିହ୍ନଟ କରିବାକୁ ବେଙ୍ଗାଲୁରୁ ପୁଲିସ ସହାୟତାରେ କ୍ୟାଣ୍ଟନ୍‌ମେଣ୍ଟ ଥାନା ପୁଲିସ ଉଦ୍ୟମ ଚଳାଇଛି। ଜାଲିଆତି ପଛରେ ଏକ ବଡ଼ ର‍୍ୟାକେଟ୍‌ ସାମିଲ ଥିବା ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।

ସମ୍ବନ୍ଧିତ ଖବର