ବାରବାଟୀ-କଟକ ନିର୍ବାଚନୀ ମାମଲା : ଜବାବ ରଖିବାକୁ ମୋକିମଙ୍କୁ ମହଲତ

କଟକ : ବାରବାଟୀ-କଟକ ବିଧାନସଭା ଆସନ ନିର୍ବାଚନକୁ ନେଇ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଦାୟର କରିଥିବା ମାମଲାରେ ପ୍ରତିପକ୍ଷ ତଥା ବିଧାୟକ ମହମ୍ମଦ ମୋକିମ ଆଜି ଓକିଲଙ୍କ ମାଧ୍ୟମରେ ହାଇକୋର୍ଟରେ ହାଜର ହୋଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ ଜବାବ ରଖିବାକୁ ଆଜି ମୋକିମଙ୍କ ପକ୍ଷରୁ ସମୟ ଲୋଡ଼ାଯାଇଥିଲା। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୨୫କୁ ଧାର୍ଯ୍ୟ କରାଯାଇଥିବାବେଳେ ଏହାପୂର୍ବରୁ ବିଧାୟକ ମୋକିମ ଜବାବ ରଖିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ, ବାରବାଟୀ-କଟକ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ମୋକିମ ବିଜୟୀ ହୋଇଥିବାବେଳେ ନାମାଙ୍କନ ପତ୍ର ଦାଖଲ ସମୟରେ ଅସଂପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିବାରୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରାଯାଉ ଏବଂ ସାନି ନିର୍ବାଚନ ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ୨୦୧୯, ଅଗଷ୍ଟ ୨୬ରେ ହାଇକୋର୍ଟ ଏହି ନିର୍ବାଚନୀ ମାମଲାର ଶୁଣାଣି କରି ପ୍ରତିପକ୍ଷ ତଥା ବିଧାୟକ ମୋକିମଙ୍କୁ ନୋଟିସ୍ ଜାରି କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନ୍‌ଗୋ, ଆଇନଜୀବୀ ଗୋପାଳ ଅଗ୍ରୱାଲ ଏବଂ ବିଧାୟକଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର