ବାରବାଟୀରେ ଆନ୍ତର୍ଜାତିକ ମ୍ୟାଚ୍ ବନ୍ଦ ପାଇଁ ମାମଲା

କଟକ : ବାରବାଟୀ ଷ୍ଟାଡିୟମ୍‌ରେ ଆନ୍ତର୍ଜାତିକ ମ୍ୟାଚ୍ ଆୟୋଜନ ବନ୍ଦ କରିବାକୁ ଅନୁରୋଧ କରି ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ବାରବାଟୀ ଷ୍ଟାଡିୟମ୍‌ର ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଏବଂ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ନାହିଁ। ଦର୍ଶକଙ୍କ ସୁରକ୍ଷା ପାଇଁ ଆସନ୍ତା ୧୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଆନ୍ତର୍ଜାତିକ ମ୍ୟାଚ୍‌ରେ ଗ୍ୟାଲେରିକୁ ଅନୁମତି ନଦେବା ପାଇଁ ମାନବାଧିକାର କର୍ମୀ ସ˚ଜୟ କୁମାର ନାଏକ ହାଇକୋର୍ଟରେ ଏହି ଜନସ୍ବାର୍ଥ ମାମଲା ଦାୟର କରିଛନ୍ତି। ଏହି ଦୁଇ ପ୍ରମାଣପତ୍ର ନମିଳିବା ପର୍ଯ୍ୟନ୍ତ କୌଣସି ଆନ୍ତର୍ଜାତିକ ମ୍ୟାଚ୍‌ ନକରିବାକୁ ଓଡ଼ିଶା କ୍ରିକେଟ ସ˚ଘ ଓ ଓଡ଼ିଶା ଅଲିମ୍ପିକ ସ˚ଘକୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି।

ଆସନ୍ତା ୧୨ ତାରିଖରେ ବାରବାଟୀରେ ହେବାକୁ ଯାଉଥିବା ଟ୍ବେଣ୍ଟି-୨୦ ମ୍ୟାଚ୍‌କୁ ପୂର୍ଣ୍ଣ କ୍ଷମତାରେ ଦର୍ଶକ ଖେଳ ଉପଭୋଗ କରିବେ। ଏଥିପାଇଁ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି। ଯାହାଫଳରେ; ମ୍ୟାଚ୍‌ ସମୟରେ ପାଖାପାଖି ୪୫ ହଜାର ଦର୍ଶକ, ଭିଆଇପି, ଭିଭିଆଇପି ଉପସ୍ଥିତ ରହିବେ। କିନ୍ତୁ ପୁରୁଣା ଢାଞ୍ଚାରେ ଗ୍ୟାଲେରିଗୁଡ଼ିକ ନିର୍ମାଣ ହୋଇଥିବାରୁ ଯେକୌଣସି ସମୟରେ ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇ ନପାରେ। ତେଣୁ ଏଠାରେ ଧନଜୀବନ ପ୍ରତି ବିପଦ ରହିଛି। ତେଣୁ ବିଶେଷଜ୍ଞଙ୍କ ଯାଞ୍ଚ ପରେ ନିୟମ ଅନୁସାରେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ଓ ନିର୍ମାଣଗତ ନିରାପତ୍ତା ପ୍ରମାଣପତ୍ର ହାସଲ କରିବା ନିହାତି ଜରୁରୀ। କିନ୍ତୁ, ଓଡ଼ିଶା କ୍ରିକେଟ୍‌ ସ˚ଘ ଓ ଓଡ଼ିଶା ଅଲିମ୍ପିକ ସ˚ଘ ଦୀର୍ଘଦିନ ଧରି ଏହା ପୂରଣ କରିପାରୁନାହିଁ। ପୂର୍ବରୁ ଓଡ଼ିଶା ମାନବାଧିକାର କମିସନଙ୍କ ନିକଟରେ ଦୁଇଟି ମାମଲା ରୁଜୁ ହୋଇଥିଲା। ମ୍ୟାଚ୍‌ ବେଳକୁ ସମସ୍ତ ପ୍ରକାରର ସୁରକ୍ଷାଜନିତ ପଦକ୍ଷେପ ନେବାକୁ କମିସନ ଓସିଏ ଓ କଟକ ଡିସିପିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖକୁ ଧାର୍ଯ୍ୟ ହୋଇଛି। ତେଣୁ ବିନା ନିରାପତ୍ତା ପ୍ରମାଣପତ୍ରରେ ମ୍ୟାଚ୍‌ ଆୟୋଜନ ହେବାକୁ ଯାଉଥିବାରୁ ଏହାଉପରେ ହାଇକୋର୍ଟ ହସ୍ତକ୍ଷେପ କରିବାକୁ ଆବେଦନକାରୀ ଅନୁରୋଧ କରିଛନ୍ତି।

ମାମଲାରେ ରାଜ୍ୟ ସରକାର, ଅଗ୍ନିଶମ ଡିଜି, ପୁଲିସ କମିସନର, ଓସିଏ, ବିସିସିଆଇ, ଓଡ଼ିଶା ଓଲିମ୍ପିକ ଆସୋସିଏସନ୍‌ ଓ ଅନ୍ୟମାନଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନ ସହିତ ମାନବାଧିକାର କମିସନ୍‌ ପ୍ରଦାନ କରିଥିବା ନିର୍ଦ୍ଦେଶର କପି ସହିତ ‘ସମ୍ବାଦ’ରେ ପ୍ରକାଶିତ ଖବରକୁ ସ˚ଲଗ୍ନ କରାଯାଇଛି।

ସମ୍ବନ୍ଧିତ ଖବର