ବାରବାଟୀ ମୁକାବିଲା : ମନ ଖୁସି ହୋଇଗଲା, ମଜା ଉଠାଇଲେ ଦର୍ଶକ

କୋହଲି, ରୋହିତଙ୍କ ନୂଆ ରେକର୍ଡ, ଆୟୋଜକ, ପୁଲିସ ଖାତାରେ ପ୍ରଶଂସା

ଭୁବନେଶ୍ବର : ଉଭୟ ଭାରତ-ୱେଷ୍ଟଇଣ୍ଡିଜ ପାଇଁ କର ବା ମର ପରିସ୍ଥିତି ଥିଲା। ସମସ୍ତଙ୍କ ମନରେ ପ୍ରଶ୍ନ ଥିଲା, କାହା ସପକ୍ଷରେ ଯିବ ବାରବାଟୀ। ଖେଳକୁ ନେଇ ଉତ୍କଣ୍ଠା ବଢ଼ିଯାଇଥିଲା ନିଶ୍ଚୟ। ହେଲେ ଓଡ଼ିଶାରେ ଖେଳ ହେଉଥିବା କାରଣରୁ ଖେଳାଳିଙ୍କୁ ନେଇ ଗତ ତିନି ଦିନ ଧରି ଏହା ବହୁଗୁଣିତ ହୋଇଯାଇଥିଲା। ଭାରତ ଓ ୱେଷ୍ଟଇଣ୍ଡିଜର ଖେଳାଳିଙ୍କ ଉପରେ ନଜର ରଖିଥିଲା ସମଗ୍ର ଓଡ଼ିଶା। ଗଣମାଧ୍ୟମରେ ଛାଇଯାଇଥିଲେ ଖେଳାଳି।

ଆଜି ଖେଳ ଆରମ୍ଭ ବେଳକୁ ପାଗ ସାମାନ୍ୟ ଥଣ୍ଡା ଥିଲା ଏବଂ କୁହୁଡ଼ିର ଏକ ଧୂଆଁଳିଆ ଚାଦର ଘୋଡାଇ ରଖିଥିଲା ବାରବାଟୀ ଷ୍ଟାଡିମୟକୁ। ଖେଳକୁ ନେଇ ଉଷ୍ଣତା କେତେବେଳେ ଦର୍ଶକଙ୍କୁ ଉତ୍ତେଜିତ କରୁଥିଲା, ଅଧିନାୟକ ବିରାଟ କୋହଲିଙ୍କ ନିଷ୍ପତ୍ତିକୁ ସାବାସୀ ମିଳୁଥିଲା, ତ ଆଉ କେଉଁ ମୁହୂର୍ତରେ ଗୋଟିଏ ଗୋଟିଏ ଘଟଣା ସବୁ ଉତ୍ସାହ ଓ ଉଦ୍ଦୀପନାକୁ ଦଳିଚକଟି ଦେଉଥିଲା। ଏ ଭିତରେ ଶେଷ ପର୍ଯ୍ୟନ୍ତ ଅତି ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ର ଗୋଟିଏ ପରେ ଗୋଟିଏ ରେକର୍ଡ ନିଜ ନାମରେ କରିନେଉଥିଲେ ବାରବାଟୀ ପଡିଆ ଓ ଆଜିର ଶ୍ରେଷ୍ଠ ଖେଳାଳି ଭାରତୀୟ ଦଳ। ଖେଳର ପୂରା ମଜା ଉଠାଇ ଦର୍ଶକ ବାରବାଟୀ ଛାଡ଼ିବା ବେଳକୁ ପ୍ରତିପକ୍ଷ ଦଳ ୱେଷ୍ଟଇଣ୍ଡିଜ ଅଧିନାୟକ କିରଣ ପୋଲାର୍ଡ ତାଙ୍କ ପ୍ରତିକ୍ରିୟା ରଖୁଥିବା ବେଳେ ଭାରତ ୧ ନମ୍ବର ଦଳ ବୋଲି କହୁଥିଲେ।

କାକର ଅଡ଼ୁଆ ସୃଷ୍ଟି କରିପାରେ ବୋଲି କ୍ରିକେଟ୍ ବିଶେଷଜ୍ଞମାନେ ପୂର୍ବାନୁମାନ କରିଥିଲେ। ବ୍ୟାଟିଂରେ ଅତ୍ୟନ୍ତ ସଶକ୍ତ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଟସ୍ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ଖେଳର ରୋମାଞ୍ଚକୁ ବହୁଗୁଣିତ କରିଦେଇଥିଲା। କ୍ରିକେଟ୍ ପ୍ରେମୀ ଓ ବିଶେଷଜ୍ଞ ଆରମ୍ଭ କରିଥିଲେ ଖେଳକୁ ନେଇ ଅବଗଣନା। କୋହଲିଙ୍କର ଗୋଟିଏ ପରେ ଗୋଟିଏ ନିଷ୍ପତ୍ତି ଓ ପୋଲା଼ର୍ଡଙ୍କ ଜବାବ ଭିତରେ ବାରମ୍ବାର ମୋଡ ବଦଳାଇଥିଲା ଖେଳ। ପାଖାପାଖି ୮ ଘଣ୍ଟାର ଅତି ସଂଘର୍ଷପୂର୍ଣ୍ଣ ଏହି ମ୍ୟାଚ୍‌ର ଶେଷ ପରିଣାମ ହେଲା, ଭାରତର କ୍ରୀଡ଼‌ା ରାଜଧାନୀ ଭାବେ ପରିଗଣିତ ଓଡ଼ିଶାର ବାରବାଟୀ ପଡ଼ିଆରେ ବିରାଟ କୀର୍ତ୍ତିମାନ ସ୍ଥାପନ ହେଲା। ଚଳିତ ବର୍ଷର ଶେଷ ମ୍ୟାଚ୍‌ରେ ଅନେକ ରେକର୍ଡର ଅଧିକାରୀ ହେଲେ ବିରାଟ ବାହିନୀ ଓ ଶୃଙ୍ଖଳା ଜିତିଲେ।

ଏହାସହିତ ଲଗାତର ଦଶମ ବିଜୟ ହାସଲ କଲା ଟିମ୍ ଭାରତ। ୧୭ ବର୍ଷ ଧରି ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତରେ ଅପରାଜିତ ରହିବାରେ ବି। ବାରବାଟୀରେ ଭାରତ ତାର ବିଜୟ ଧାରା ଅବ୍ୟାହତ ରଖିବାରେ ମଧ୍ୟ ସମର୍ଥ ହେଲା। ଏହି ପଡିଆରେ ଚତୁର୍ଥ ଥର ପାଇଁ ୱେଷ୍ଟଇଣ୍ଡିଜକୁ ହରାଇଲେ କୋହଲିଙ୍କ ଧୁରନ୍ଧର ବାହିନୀ।

ସର୍ବାଧିକ ୧୭ ଥର ତିନି ଶହରୁ ଅଧିକ ରନ୍‌ର ପିଛା କରି ସଫଳ ହୋଇଥିଲା ଭାରତ। କେବଳ ସେତିକି ନୁହେଁ, କୋହଲି ଏବଂ ତାଙ୍କ ଟିମ ସଦସ୍ୟ ରେକର୍ଡ ଗୋଟାଇ ଚାଲିଥିଲେ। ବାରବାଟୀ ପଡିଆରେ ନିଜ ବିଫଳତା ଧାରା ଭାଙ୍ଗି କୋହଲି ପ୍ରଥମ ଥର ପାଇଁ ଅର୍ଧଶତକ କରିଥିଲେ। ଜଣାଇଥିଲେ, ତାଙ୍କ ଟିମ୍ ଆଜି ମଧ୍ୟ ୩୦୦+ ରନ୍ ପିଛା କରିବାର ସାମର୍ଥ୍ୟ ରଖିଛି। ଭାରତର ଅନ୍ୟତମ ଶ୍ରେଷ୍ଠ ଖେଳାଳି ରୋହିତ ଶର୍ମା ୬୩ ରନ୍‌ କରି ଆଉଟ୍‌ ହେବା ପୂର୍ବରୁ ନୂଆ ବିଶ୍ବ କୀର୍ତ୍ତିମାନ ନିଜ ନାମରେ କରି ନେଇଥିଲେ। ପ୍ରାରମ୍ଭିକ ବ୍ୟାଟ୍‌ସମ୍ୟାନ୍‌ ଭାବେ ଗୋଟିଏ କ୍ୟାଲେଣ୍ଡର (୨୦୧୯) ବର୍ଷରେ ସର୍ବାଧିକ ଆନ୍ତର୍ଜାତିକ ରନ୍‌ (ଦିନିକିଆ, ଟେଷ୍ଟ୍‌ ଓ ଟ୍ବେଣ୍ଟି୨୦ରେ) କରିବାରେ ସେ ୨୨ ବର୍ଷ ତଳେ ଶ୍ରୀଲଙ୍କା ବ୍ୟାଟ୍‌ସମ୍ୟାନ୍‌ ସନତ ଜୟସୂରିଆଙ୍କ ନାମରେ ରହିଥିବା ରେକର୍ଡକୁ ଭାଙ୍ଗି ଦେଇଥିଲେ। ଜୟସୂରିଆ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ସର୍ବାଧିକ ୨୩୮୭ ରନ୍‌ କରିଥିଲା ବେଳେ ରୋହିତଙ୍କ ରନ୍‌ ଆଜି ୨୪୪୨ରେ ପହଞ୍ଚିଯାଇଛି।

ବିରାଟ ଆଜି ତାଙ୍କ ଦଳରେ ଜଣେ ନୂଆ ବୋଲରଙ୍କୁ ନେଇ ପ୍ରମାଣିତ କରିଦେଇଥିଲେ ଯେ ଭାରତରେ ଦ୍ରୁତ ବୋଲରଙ୍କର ଆଉ ଅଭାବ ନାହିଁ। ଅନ୍ୟତମ ଦ୍ରୁତତମ ବୋଲର ଦୀପକ ଚହରଙ୍କ ପାଇଁ ଚିନ୍ତା ଓ ଚ୍ୟାଲେଞ୍ଜ ବଢାଇ ଦେଇଥିଲେ। ବାରବାଟୀରେ ପଦାର୍ପଣ କରିଥିଲେ ନବଦୀପ ସଇନି। ପ୍ରଥମ ମ୍ୟାଚରେ ହିଁ ୨ ଵିକେଟ୍ ସହ ସଫଳତା ଗୋଟାଇଥିଲେ। ନୂଆବର୍ଷ ଆରମ୍ଭରୁ ଶ୍ରୀଲଙ୍କାକୁ ସାମ୍ନା କରିବା ବେଳକୁ ବିରାଟ ବାହିନୀର ମନୋବଳ ବଢାଇବାରେ ଆଜିର ମ୍ୟାଚ ନିଶ୍ଚୟ ସହାୟକ ହେବ।

ବାରବାଟୀରେ ଆନ୍ତର୍ଜାତିକ ମ୍ୟାଚ କରାଇବାରେ ନୂଆ ସଂପାଦକ ଓ ତାଙ୍କ ସହଯୋଗୀ ସମର୍ଥ ବୋଲି ଜଣାଇ ଦେଇଛନ୍ତି। ନୂଆ ପୁଲିସ ମହାନିର୍ଦେଶକ ଯୋଗଦେବାର ହାତଗଣତି କେଇ ଦିନ ମଧ୍ୟରେ ଶାନ୍ତି ଓ ଶୃଙ୍ଖଳାର ସହିତ ମ୍ୟାଚ୍ କରାଇ ନେଲେ, ସେଥିପାଇଁ ସାବାସୀ ନେବେ, ପୁଲିସ କମିସନର ବି। ଓଡ଼ିଶାର ଦର୍ଶକ ଆଶା କରୁଥିଲେ ଯେ ଶୃଙ୍ଖଳା ଜିତି ବିରାଟ ସଫଳତା ଲାଭ କରୁ ଭାରତ। କୋହଲି ଓ ରୋହିତ ମଧ୍ୟ ଭଲ ପ୍ରଦର୍ଶନ କରନ୍ତୁ। ଏହା ହିଁ ହେଲା। ବିରାଟ ଦଳ ସେମାନଙ୍କ ମନ ରଖି ନୂଆବର୍ଷ ଭେଟି ଦେଲେ।

ସମ୍ବନ୍ଧିତ ଖବର