ବାରବାଟୀ ପାସ୍‌ ବି ବ୍ଲାକ୍‌! ବ୍ଲାକର୍‌ଙ୍କ ହାତରେ ଟିକେଟ୍ ଯାହାକୁ ଯେତେ

ଭୈରବ ମହାନ୍ତିଙ୍କ ପରିବାରକୁ ଅଣଦେଖା ନେଇ କ୍ଷୋଭ
ଘରୋଇ ସଂସ୍ଥା କହି ଖସି ଯାଉଛି ଓସିଏ

କଟକ : ବାରବାଟୀ ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ- ଦକ୍ଷିଣ ଆଫ୍ରିକା ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ପୁଲିସ-ପ୍ରଶାସନର ଏବେ ସବୁ କାମ ବନ୍ଦ। ସମସ୍ତେ ଏବେ ମ୍ୟାଚ୍ ଆୟୋଜନରେ ବ୍ୟସ୍ତ। କଟକରେ ପୁଲିସ ଓ ପ୍ରଶାସନର ସବୁ ବିଭାଗ ଯାହାହେବ ୧୨ ତାରିଖ ପରେ ବୋଲି କହି ହାତ ଝାଡ଼ି ଦେଉଛନ୍ତି। ମେୟର, କମିସନର, ଜିଲ୍ଲାପାଳ, ସିପି, ଡିସିପିଙ୍କଠାରୁ ବିଭିନ୍ନ ବିଭାଗର ଅଧିକାରୀ ବାରବାଟୀରେ ଦିନରାତି ଚକ୍କର କାଟି ସ୍ଥିତି ସମୀକ୍ଷା କରୁଛନ୍ତି। କିନ୍ତୁ; ବାରବାଟୀରେ ଖେଳକୁ ନେଇ ରହିଥିବା ଟିକେଟ୍ ଓ ପାସ୍‌ ବିକ୍ରି, ବଣ୍ଟନ ବ୍ୟବସ୍ଥାରେ ବ୍ୟାପକ ବିଭ୍ରାଟ ଦେଖାଦେଇଥିବା ବେଳେ ପୁଲିସ-ପ୍ରଶାସନ ନିଜ ସ୍ବାର୍ଥ ଜଗି ନିରବ ରହୁଛି। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) କର୍ତ୍ତୃପକ୍ଷ ନିଜକୁ ଘରୋଇସଂସ୍ଥା ବୋଲି ଦର୍ଶାଇ ଏଥିରେ କାହାର କିଛି କହିବାର ଅଧିକାର ନାହିଁ ବୋଲି ଉତ୍ତର ଦେବାକୁ ବି ପଛାଉ ନାହାନ୍ତି। ଯଦି ଘରୋଇ ସଂସ୍ଥା ଓସିଏର ମ୍ୟାଚ୍ ଆୟୋଜନ ବ୍ୟବସ୍ଥାକୁ ନେଇ କାହାର କିଛି କହିବାର ନାହିଁ, ତେବେ ସବୁ କାମଛାଡ଼ି ସରକାରୀ କଳ ମ୍ୟାଚ୍‌ ଆୟୋଜନରେ କାହିଁକି ମାତିଛନ୍ତି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୂର୍ବରାତିରୁ ଟିକେଟ୍‌ ପାଇଁ ଲୋକେ ଲାଇନ୍‌ ଲଗାଇଥିଲେ। ଟିକେଟ୍‌ ତ ପାଇଲେନି, ପୁଲିସ ନିକଟରୁ ମାଡ଼ଖାଇ ଘରକୁ ଫେରିଲେ। ୮ ଘଣ୍ଟା ଭିତରେ ସବୁ ଟିକେଟ୍ ସରିଗଲା। ଏବେ ଟିକେଟ୍ କଳାବଜାରୀ କରୁଥିବା ଲୋକଙ୍କ ହାତରେ ଯାହାକୁ ଯେତେ। ପ୍ରଶ୍ନଉଠୁଛି, ଟିକେଟ୍‌ ସରିଯାଇଥିବାବେଳେ ପୁଣି ଏତେ ସଂଖ୍ୟକ ଆସିଲା କେମିତି? ପୁଣି, ୯ଶହ ଟଙ୍କାର ଗ୍ୟାଲେରି ଟିକେଟ୍‌କୁ ୩ରୁ ୪ ହଜାର ଟଙ୍କାରେ ସେମାନେ ଖୁଲମଖୁଲା ବିକୁଛନ୍ତି କେମିତି? କେଉଁଠୁ ପାସ୍ ଆଣି ତାହାକୁ ଚଢାଦରରେ ବିକାଯାଉଛି? କେଉଁ ଭିଆଇପିମାନଙ୍କୁ ଓସିଏ ପାସ୍ ଆଗୁଆ ବାଣ୍ଟି ଦେଇଛି ଯେ ସେମାନଙ୍କ ପାସ୍ ଏବେ କଳାବଜାର ହେଉଛି? ସାମାଜିକ ଗଣମାଧ୍ୟମରେ ଟ‌ିକେଟ୍ ପାଇଁ ଯୋଗାଯୋଗ କରିବାକୁ ଫୋନ୍ ନମ୍ବର ଦେଉଥିବା ଲୋକଙ୍କ ପଛରେ କାହା ହାତ ରହିଛି? ଏଭଳି ଅନେକ ପ୍ରଶ୍ନ ଏବେ ଓସିଏ ଏବଂ ପୁଲିସ, ପ୍ରଶାସନକୁ କାଠଗଡ଼ାରେ ଛିଡା କରି ଦେଇଥିବାବେଳେ ସାଧାରଣ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ଅନ୍ୟପକ୍ଷରେ, ବାରବାଟୀ ଷ୍ଟାଡିୟମ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସ୍ବର୍ଗତ ଭୈରବ ଚନ୍ଦ୍ର ମହାନ୍ତିଙ୍କ ପରିବାର ପାଖରେ ଖଣ୍ଡିଏ ବି ପାସ୍ ପହଞ୍ଚି ନଥିବା ଜଣାପଡ଼ିଛି। ବାରବାଟୀ ଷ୍ଟାଡିୟମ ନିର୍ମାଣରେ ଭୈରବ ମହାନ୍ତିଙ୍କ ଅବଦାନ କାହାକୁ ଅଛପା ନାହିଁ। କିନ୍ତୁ, ତାଙ୍କ ମୃତ୍ୟୁ ପରେ ତାଙ୍କ ପରିବାରକୁ ନିରନ୍ତର ଭାବେ ଅଣଦେଖା କରାଯାଉଥିବା ଅଭିଯୋଗ ହୋଇଛି। କ୍ର‌ିକେଟ୍ ମ୍ୟାଚ୍ ହେଉ ବା ଅନ୍ୟ କୌଣସି ଉତ୍ସବ, କେଉଁଥିରେ ବି ଶ୍ରୀ ମହାନ୍ତିଙ୍କ ପରିବାରକୁ ନିମନ୍ତ୍ରଣ କରାଯାଉନାହିଁ। ସ୍ବର୍ଗତ ମହାନ୍ତିଙ୍କ ପୁଅ ଦେବାଶିଷ ମହାନ୍ତି ପ୍ରଥମ ଶ୍ରେଣୀ କ୍ରିକେଟ୍ ଖେଳିଥିଲେ ମଧ୍ୟ ପୂର୍ବତନ ଖେଳାଳି ଭାବେ ତାଙ୍କୁ ମଧ୍ୟ ପଚରାଯାଉନାହିଁ।

ଏ ସଂପର୍କରେ ସ୍ବର୍ଗତ ଭୈରବ ମହାନ୍ତିଙ୍କ ପୁଅ ପ୍ରଫେସର ଖାରବେଳ ମହାନ୍ତି କହିଛନ୍ତି , ବାରବାଟୀ ଷ୍ଟାଡିୟମ ପ୍ରତି ବା ରାଜ୍ୟ‌ରେ କ୍ରୀଡ଼ାର ବିକାଶ ପାଇଁ ବିଶେଷ ଅବଦାନ ଥିବାରୁ ଭୈରବ ମହାନ୍ତିଙ୍କ ପରିବାରକୁ ସବୁ କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ଓସିଏ ସମ୍ବିଧାନରେ ଉଲ୍ଲେଖ ରହିଛି। ଓସିଏର ପୂର୍ବତନ କର୍ମକର୍ତ୍ତା ବିଭୂତି ଭୂଷଣ ଦାସ, ବନବିହାରୀ ପଟ୍ଟନାୟକଙ୍କ ସମୟରେ ତାଙ୍କ ପରିବାରକୁ ସବୁ କ୍ଷେତ୍ରରେ ସମ୍ମାନ ଦିଆଯାଉଥିଲା। କିନ୍ତୁ ଏବେ ତାଙ୍କ ପରିବାରକୁ ଜାଣିଶୁଣି ଅବହେଳା କରାଯାଉଛି। ୨୦୨୧ ମେ ୧ତାରିଖରେ ମା ଗୀତାଞ୍ଜଳି ମହାନ୍ତି (ଭୈରବ ମହାନ୍ତିଙ୍କ ପତ୍ନୀ)ଙ୍କ ପରଲୋକ ଘଟିଲା। ସେ ବଞ୍ଚିଥିବାବେଳେ ମଧ୍ୟ ଓସିଏ ପକ୍ଷରୁ କେବେ ନିମନ୍ତ୍ରଣଟିଏ ପାଇ ନଥିବା ପ୍ରଫେସର ଖାରବେଳ ମହାନ୍ତି କ୍ଷୋଭର ସହ କହିଛନ୍ତି।

ସମ୍ବନ୍ଧିତ ଖବର