କଟକ: ସରକାର ବଦଳିବାପରେ ବାରବାଟୀ ରାଜନୀତି କଡ଼ ଲେଉଟିବା ଆରମ୍ଭ କରିଛି। ରାଜ୍ୟ ଫୁଟ୍‌ବଲ୍ ସଂଘ (ଫାଓ) ସଭାପତି ନିର୍ବାଚନରେ ପୂର୍ବତନ ମନ୍ତ୍ରୀ ସମୀର ଦେ’ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ଏକ ପ୍ରକାର ସ୍ପଷ୍ଟ ହୋଇଛି। କାରଣ ସଭାପତି ପଦ ଲାଗି ସେ ଏକମାତ୍ର ପ୍ରାର୍ଥୀ ରହିଛନ୍ତି। ଏହାର ଠିକ୍ ପରେ ପରେ ସମୀରଙ୍କ ସହ ବରିଷ୍ଠ କ୍ରୀଡ଼ା ସଂଗଠକ ତଥା ‘ଫାଓ’ ସମ୍ପାଦକ ଆଶୀର୍ବାଦ ବେ‌ହେରାଙ୍କ ମନ୍ତବ୍ୟ ତାତିକୁ ଆହୁରି ବଢ଼ାଇ ଦେଇଛି। ଓଡ଼ିଶା କ୍ରିକେଟ୍‌ ସଂଘ (ଓସିଏ)ରେ ସଭାପତି ଥିବା ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ପ‌ରେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର (ବେବି)ଙ୍କ ଏଣ୍ଟ୍ରିକୁ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇଥିଲା। ଏହି ଖବର ଉପରେ ପ୍ରତିକ୍ରିୟା ଦେଇ ସମୀର କହିଛନ୍ତି ନୈତିକତା ଦୃଷ୍ଟିରୁ ବବି ଓସିଏ ସଭାପତି ପଦ ଛାଡ଼ିଦେବା ଉଚିତ। ତାଙ୍କ ମନ୍ତବ୍ୟକୁ ଆଶୀର୍ବାଦ ପରୋକ୍ଷ ସମର୍ଥନ ଦେବା ସ୍ଥିତିକୁ ଆହୁରି ରୋଚକ କରିଛି।

Advertisment

ସମୀର ଦେ ‘ଫାଓ’ ସଭାପତି
ନୈତିକତା ଦୃ‌ଷ୍ଟିରୁ ଓସିଏ ସଭାପତି ପଦ ଛାଡି ଦିଅନ୍ତୁ ବବି: ସମୀର
ଯେଉଁ ଦଳ କ୍ଷମତାକୁ ଆସିବ ଆମେ ତାଙ୍କ ସହିତ ରହିବୁ: ଆଶୀର୍ବାଦ

ରାଜ୍ୟ ଫୁଟବଲ୍‌ ସଂଘର ସଭାପତି ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବାପରେ ଶ୍ରୀ ଦେ ନୂଆ ସଭାପତି ଭ‌ାବେ ଦାୟିତ୍ବ ଗ୍ରହଣ କରିବେ। ‘ଫାଓ’ ସମ୍ପାଦକ ଆଶୀର୍ବାଦ ବେ‌ହେରାଙ୍କୁ ଭଲଲୋକ ବୋଲି କହିଛନ୍ତି ସମୀର। ସେହିଭଳି ଏବେ ଓସିଏର ସଭାପତି ଥିବା ବବି ପଦ ଛାଡ଼ିଲେ ବାରବାଟୀର ଉନ୍ନତି ହେବ, କ୍ରୀଡ଼ାର ବିକାଶ ହେବ ବୋଲି କହିଛନ୍ତି। ଏପଟେ ଫାଓ ସଂପାଦକ ଆଶୀର୍ବାଦ ବେହେରା ମଧ୍ୟ ଖୋଲାଖୋଲି ନିଜର ମତ ରଖିଛନ୍ତି। ସରକାରକୁ ଯିଏ ଆସିବ ତାଙ୍କୁ ସମର୍ଥନ କରିବାକୁ ବାଧ୍ୟ। ସରକାରଙ୍କୁ ସାଥୀରେ ନେଇ ଚାଲିଲେ ଖେଳର ବିକ‌ାଶ ହେବ। ସରକାରଙ୍କୁ ସମର୍ଥନ ଦେଲେ ପାଣ୍ଠି ମିଳିବ, କ୍ରୀଡାର ବିକାଶ ହେବ। ପୂର୍ବରୁ ବିଜେଡିକୁ ସମର୍ଥନ କରୁଥିଲେ ଏବେ ସେ ବିଜେପିକୁ ସମର୍ଥନ କରିବେ ବୋଲି ଖୋଲା‌ଖୋଲି କହିଛନ୍ତି। ପୂର୍ବରୁ ସମୀର ଦେ ରାଜ୍ୟ ଅଲମ୍ପିକ୍‌ ସଂଘ ସଭାପତି ପଦରେ ଥିଲେ। ତାଙ୍କସହିତ ଭଲ ସମ୍ପର୍କ ରହିଛି। ଏବେ ଫାଓ ସଭାପତି ଭାବେ ସମୀରଙ୍କ ନାମ ଚୂଡ଼ାନ୍ତ ‌‌ହୋଇଛି। ଆସନ୍ତା ୨୧ ତାରିଖରେ ଔପଚାରିକ ଭାବେ ଘୋଷଣା ହେବ। ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବାପରେ ସମୀରଙ୍କ ନାମ ‘ରାଇଜିଂ ଷ୍ଟୁଡେଣ୍ଟ୍‌ କ୍ଲବ୍‌’ରୁ ଆସିଥିଲା। ସମୀରଙ୍କୁ ଅପ୍ରତିଦ୍ବନ୍ଦ୍ବୀ ଭାବେ ସଭାପତି ଘୋଷଣା କରାଯିବ ବୋଲି କହିଛନ୍ତି। ଏଥିସହିତ, ସେ ବିଜେଡି ଦଳରେ ନ ଥିଲେ ଏବଂ ଦଳର ସେ ସଦସ୍ୟ ମଧ୍ୟ ନୁହନ୍ତି। ଦଳ ତ‌ାଙ୍କୁ ସମର୍ଥନ ମାଗିଥିଲା, ତେଣୁ ସେ ସହଯୋଗ କରିଥି‌ଲେ। ଏବେ ସେ ବିଜେପିକୁ ସମର୍ଥନ କରିବେ। ଲଳିତେନ୍ଦୁ ଯଦି ଓସିଏକୁ ଆସିବାକୁ ଚାହିଁବେ, ଆମେ ତାଙ୍କୁ ସମର୍ଥନ କରିବୁ ବୋଲି ଖୋଲାଖୋଲି ସେ କହିଛନ୍ତି।