ବାରବାଟୀ ଟେ୍ଵଣ୍ଟି-୨୦ : ଟିକେଟ୍‌ ମିଳିଲାନି, କାଉଣ୍ଟରରେ ଭଙ୍ଗାରୁଜା

କଟକ : ଆସନ୍ତା ୨୦ ତାରିଖରେ ବାରବାଟୀ ଷ୍ଟାଡିୟମରେ ଖେଳାହେବାକୁ ଥିବା ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ କ୍ରିକେଟ ମ୍ୟାଚ୍‌ ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ପରିଲକ୍ଷିତ ହେଉଥିବା ବେଳେ ଆଜି ଟିକେଟ ନ ମିଳିବା କାରଣରୁ ଷ୍ଟାଡିୟମ୍‌ ଟିକେଟ୍‌ କାଉଣ୍ଟରରେ ହଙ୍ଗାମା ହୋଇଛି। ଏ ନେଇ ଭଙ୍ଗାରୁଜା ଓ ପୁଲିସ ଲାଠିଚାଳନା ହୋଇଛି। ଅନ୍ୟ ପକ୍ଷରେ ଗ୍ୟାଲେରୀ ଟିକେଟ୍‌ ସରିଯିବାର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଚଢ଼ାଦରରେ ଏହି ଟିକେଟର କଳାବଜାର କରିଛନ୍ତି। ୬୦୦ ଟଙ୍କିଆ ଟିକେଟକୁ ୨ହଜାର ଟଙ୍କାରେ ବିକ୍ରି କରୁଥିବା ଜଣାପଡ଼ିବା ପରେ କମିସନ୍‌ରେଟ ପୁଲିସ୍‌ର ସ୍ୱତନ୍ତ୍ର ସ୍କ୍ଵାଡ୍‌ ପକ୍ଷରୁ ଏକାଧିକ ସ୍ଥାନରେ ଚଢ଼ଉ କରାଯାଇଛି। ଏହି ଚଢ଼ଉରେ ୬ ଜଣ ଟିକେଟ କଳାବଜାରରୀଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ଠାରୁ ୩୯ଟି ଟିକେଟ ଜବତ ହୋଇଥିବା ସୂଚନା ମିଳିଛି।

ଆଜି ଟିକେଟ୍‌ ପାଇଁ ଷ୍ଟାଡିୟମ୍‌ କାଉଣ୍ଟରରେ ପୁଣି ଭିଡ ହୋଇଥିଲା । ପାଖାପାଖି ୩ହଜାର କ୍ରିକେଟ୍‌ପ୍ରେମୀ ଆଜି ଭୋର ପ୍ରାୟ ୪ଟା ବେଳୁ ଏହି ଦୁଇଟି କାଉଣ୍ଟରରେ ଧାଡ଼ି ଲଗାଇଥିଲେ। ଗତକାଲିଠୁ ୨ ଓ ୩ ନମ୍ବର କାଉଣ୍ଟରରୁ ସମସ୍ତ ଟିକେଟ ଶେଷ ହୋଇଯାଇଥିଲା ବୋଲି ସେମାନେ ଜାଣି ନଥିଲେ। ଏ ସମ୍ପର୍କରେ କାଉଣ୍ଟର ପାଖରେ ଘୋଷଣା ବି କରାଯାଇ ନଥିଲା। ରାତି ଅଧରେ ଓସିଏ ପକ୍ଷରୁ ଏ ନେଇ ଗଣମାଧ୍ୟମକୁ ପ୍ରେସ୍‌ ବିବୃତି ମାଧ୍ୟମରେ ଜଣାଇ ଦିଆଯାଇଥିଲା। କେବଳ ସ୍ପେଶାଲ ଏନ୍‌କ୍ଲୋଜର, ଏସି ଗ୍ୟାଲେରୀ ଓ କର୍ପୋରେଟ୍‌ ବକ୍ସ ପାଇଁ ଟିକେଟ ବଳକା ଥିଲା। ସେଗୁଡ଼ିକୁ ଆଜି ୧ ନମ୍ବର କାଉଣ୍ଟରରେ ବିକ୍ରି କରାଯାଉଥିଲା।

ଏ ବିଷୟରେ ଜାଣି ନଥିବା କ୍ରିକେଟପ୍ରେମୀ ଭୋର୍‌ରୁ ୨ ନମ୍ବର ଏବଂ ୩ ନମ୍ବର କାଉଣ୍ଟରରେ ଧାଡ଼ି ଲଗାଇ ଠିଆ ହୋଇଥିଲେ। ସେମାନେ ଦୀର୍ଘ ସମୟ ଧରି ଲାଇନ୍‌ରେ ଠିଆ ହୋଇଥିଲେ ବି ଦିନ ୧୦ଟା ବେଳକୁ ଟିକେଟ ନ ଥିବା ଘୋଷଣା କରାଯାଇଥିଲା। ଫଳରେ କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ତେଜି ଉଠିଥିଲା। କାଉଣ୍ଟର ପାଖରେ ନିର୍ମାଣ ହୋଇଥିବା ବ୍ୟାରିକେଡ୍‌ ଭାଙ୍ଗିବା ସହ କାଉଣ୍ଟରର ଝରକା କାଚକୁ ମଧ୍ୟ ଭଙ୍ଗାରୁଜା କରିଥିଲେ। ଉପସ୍ଥିତ ପୁଲିସ୍‌ କର୍ମଚାରୀମାନେ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ଲାଠିମାଡ଼ କରି ପୁଲିସ ଉତ୍ତେଜନା ସୃଷ୍ଟି କରୁଥିବା ଜଣେ ଯୁବକକୁ ଉଠାଇ ନେଇଥିଲା। ଅନ୍ୟ ଦର୍ଶକମାନଙ୍କୁ ବି ସେଠାରୁ ଘଉଡ଼ାଇ ଦେଇଥିଲା।

ଅନ୍ୟପକ୍ଷରେ ଟିକେଟ୍‌ କଳାବଜାର କରୁଥିବା ଦୁର୍ବୃତ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କମିସନରେଟ୍‌ ପୁଲିସ । ଆଜି ଏସିପି ପ୍ରମୋଦ ରଥଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ଵାଡ୍‌ ପକ୍ଷରୁ ଏକ ସ୍ୱତନ୍ତ୍ର ଡ୍ରାଇଭ୍‌ ଜରିଆରେ ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି କଲେଜ ଛକରେ ରହୁଥିବା ଜଗତସିଂହପୁର ଜିଲ୍ଲା ପାରାଦୀପର ଅଞ୍ଜୁ କୁମାର ଶୁକ୍ଳା(୨୩), ଲାଲବାଗ ଥାନା କାଜିବଜାର ଅଞ୍ଚଳର ରଘୁନାଥ ବେହେରା(୧୯), ଚଣ୍ଡୀ ମନ୍ଦିର ଅଞ୍ଚଳର ଜ୍ୟୋତି ରଞ୍ଜନ ନାୟକ(୨୧), ଦରଘାବଜାର ଥାନା ମକରାବାଗ ଅଞ୍ଚଳର ଚନ୍ଦ୍ରକାନ୍ତ ସାହୁ(୨୪), କ୍ୟାଣ୍ଟନ୍‌ମେଣ୍ଟ ଥାନା ବାଟମଙ୍ଗଳା ସାହିର କେ. ଜଗା(୧୮), ମଙ୍ଗଳାବାଗ ଥାନା ଜୁନୁସ ପାଟଣାର ତନ୍ମୟ ପାତ୍ର(୨୮) । ପୁଲିସ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୮୫, ୪୨୦ରେ ଏକ ମାମଲା (କେସ୍‌ ନଂ ୧୦୭) ରୁଜୁ କରିଛି । ଆସନ୍ତାକାଲି ସେମାନଙ୍କୁ କୋର୍ଟଚାଲାଣ କରାଯିବ । ଗିରଫ ଅଭିଯୁକ୍ତଙ୍କ ନିକଟରୁ ୩୯ଟି ଟିକେଟ୍‌ ପୁଲିସ ଜବତ କରିଥିବା ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି ।

ସମ୍ବନ୍ଧିତ ଖବର