ବାରବାଟୀ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ ମ୍ୟାଚ୍‌: ଦିନ ୩ଟାରୁ ଷ୍ଟାଡିୟମ୍‌ରେ ପ୍ରବେଶ, ମାସ୍କ ବାଧ୍ୟତାମୂଳକ

ଷ୍ଟାଡିୟମ୍ ଭିତରକୁ ବୋତଲ, ହେଲମେଟ୍, ଖୁଚୁରା ପଇସା ମନା

କଟକ : ଷ୍ଟାଡିୟମ ଭିତରେ ପ୍ରବେଶ କରୁଥିବା ଦର୍ଶକଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଛି। ମାସ୍କ ନଥିଲେ ପ୍ରବେଶ ଅନୁମତି ମିଳିବ ନାହିଁ। ଦାୟିତ୍ବରେ ଥିବା ପୁଲିସ ଅଧିକାରୀଙ୍କୁ ବି ମାସ୍କ ଯୋଗାଇ ଦିଆଯିବ। ଆସନ୍ତାକାଲି ଅପରାହ୍ନ ୩ଟାରୁ ସମସ୍ତ ଗେଟ୍ ଖୋଲାଯିବ। ଚଳିତ ବର୍ଷ ଏକ ଘଣ୍ଟା ପୂର୍ବରୁ ଗେଟ୍ ଖୋଲାଯିବ। ଦର୍ଶକମାନେ ଯେଭଳି ବିନା ଭିଡ଼ରେ ଷ୍ଟାଡିୟମ ଭିତରେ ପ୍ରବେଶ କରି ପାରିବେ, ସେହି ଉଦ୍ଦେଶ୍ୟରେ ଏଭଳି ବ୍ୟବସ୍ଥା କରାଯାଇଥିବା ଡିସିପି ପିନାକ୍ ମିଶ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବାରବାଟୀରେ ମ୍ୟାଚ୍ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩ ଡିସିପି ଦାୟିତ୍ବରେ ରହିବେ। ତାଙ୍କ ସହିତ ୭ ଜଣ ଅତିରିକ୍ତ ଏଡିସିପି, ୩୨ ଏସିପି, ୪୫ ଇନ୍‌ସ୍ପେକ୍ଟର, ୨୭୦ ଏସଆଇ, ୧୧୩ ଟ୍ରାଫିକ, ୬୨ ପ୍ଲାଟୁନ୍ ଫୋର୍ସ, ୪୩ ମହିଳା କନଷ୍ଟେବଳ, ୧୭୦ ହୋମଗାର୍ଡ ନିୟୋଜିତ ହେବେ। ଷ୍ଟାଡିୟମ୍ ଭିତରେ ଓ ବାହାରେ ସୁରକ୍ଷା ବ୍ୟବସ୍ଥାରେ ଯେଭଳି କୌଣସି ତ୍ରୁଟି ନରହିବ, ସେ ଦିଗରେ ଦୃଢ ପଦକ୍ଷେପ ନିଆଯିବ ‌ବୋଲି ଡିସିପି ସୂଚନା ଦେଇଛନ୍ତି।

ଅନ୍ୟପଟେ ଫିଙ୍ଗାଯିବା ଭଳି ସାମଗ୍ରୀକୁ ଷ୍ଟାଡିୟମ ଭିତରକୁ ନେବା ପାଇଁ ଦର୍ଶକଙ୍କୁ ଅନୁମତି ମିଳିବ ନାହିଁ। ଯେମିତିକି ପାଣି ବୋତଲ, ଲାଠି, ଲାଇଟର୍, ଡିଆସିଲି, ହେଲମେଟ୍, ଖୁଚୁରା ପଇସା, ବ୍ୟାଗ, ଖାଇବା ପ୍ୟାକେଟ୍, ବିସ୍ଫୋରକ ସାମଗ୍ରୀ, ବ୍ୟାନର, ଧାତବ ସାମଗ୍ରୀ, ରେଡିଓ, କାଚ ବୋତଲ, ସିଗାରେଟ, ବିଡି, ରେଜର, କତୁରି, ଛୁରୀ, ଲ୍ୟାପଟପ୍, ରିମୋଟ କଣ୍ଟ୍ରୋଲ, ବାଦ୍ୟଯନ୍ତ୍ର, ଟ୍ରାନଞ୍ଜିଷ୍ଟର ଇତ୍ୟାଦି। ଗେଟ୍ ଭିତରେ ପ୍ରବେଶ ସମୟରେ ଏସବୁ ସାମଗ୍ରୀ ଯାଞ୍ଚ୍ କରାଯିବ। ଯେଉଁମାନେ ଆଣିଥିବେ ସେମାନଙ୍କୁ ଷ୍ଟାଡିୟମ୍ ଭିତରକୁ ପ୍ରବେଶ ଅନୁମତି ଦିଆଯିବ ନାହିଁ। କେବଳ ମୋବାଇଲ୍ ଫୋନ୍ ଓ ଚଷମା ନେବାକୁ ଅନୁମତି ମିଳିବ। ହେଲମେଟ୍ ପାର୍କିଂ ସ୍ଥାନରେ ଗାଡ଼ି ସହିତ ନିଜ ଦାୟିତ୍ବରେ ରଖିଯିବାକୁ କମିସନରେଟ୍ ପୁଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

କଟକ ବାହାର ଦର୍ଶକ କେଉଁବାଟେ ଆସିବେ?
କଟକକୁ ଭୁବନେଶ୍ବର କିମ୍ବା ଜଗତପୁର ପଟୁ କେହି ଆସୁଥିଲେ ଜାତୀୟ ରାଜପଥରେ ଶିଖରପୁର ଦେଇ ଗୁରୁଦ୍ବାରା-ଯୋବ୍ରା- ମାତାମଠ-ଗଡ଼ଗଡ଼ିଆ ମନ୍ଦିର-ବାମ୍ବୋ ଡିପୋ ଦେଇ ୧୪ ନଂ ଗେଟ୍‌ରେ ଷ୍ଟାଡିୟମକୁ ପ୍ରବେଶ କରିବେ। ସେଠୁ ବାରବାଟୀର ବିଭିନ୍ନ ଗେଟ୍‌ରେ ଷ୍ଟାଡିୟମ୍‌କୁ ଟିକେଟ୍‌ରେ ଉଲ୍ଲେଖ ଥିବା ଗ୍ୟାଲେରି ଅନୁଯାୟୀ ପ୍ରବେଶ କରିବେ। ସେହିଭଳି ପଟିଆ ପଟୁ ଆସିଲେ ପଟିଆ ଛକ-ରଘୁନାଥପୁର-ବାରଙ୍ଗ-ତ୍ରିଶୂଳିଆ-ବେଲଭ୍ୟୁ-ସତୀଚଉରା-ଚହଟା-କ୍ୟାଣ୍ଟନମେଣ୍ଟ-ବାମ୍ବୋ ଡିପୋ ଦେଇ ୧୪ ନଂ ଗେଟ୍‌ରେ ପ୍ରବେଶ କରିବେ।

କାଜଲ, ବରୁଣ, ଆକାଶ, ଫ୍ୟାନ୍ସି ଚର୍ଚ୍ଚାରେ…
ଓଡ଼ିଶା ପୁଲିସର ୪ ପୁଲିସ କୁକୁର ଏବେ ଚର୍ଚ୍ଚାରେ। ୪ ଏକ୍ସପ୍ଲୋସିଭ୍ ସ୍ନାଇପର୍ କୁକୁର କାଜଲ, ବରୁଣ, ଆକାଶ, ଫ୍ୟାନ୍ସି ବାରବାଟୀ ଷ୍ଟାଡିୟମର ସବୁ ସ୍ଥାନର ଅନୁଧ୍ୟାନ କରୁଛନ୍ତି। ଅନ୍ତର୍ଜାତୀୟ ମ୍ୟାଚରେ ଯେଭଳି କୌଣସି ପ୍ରକାର ବିସ୍ଫୋରକ ସାମଗ୍ରୀ କାରବାର ନହୁଏ ସେଥିପାଇଁ ଏମାନେ ସଜାଗ ରହିଛନ୍ତି। ବିସ୍ଫୋରକ ସାମଗ୍ରୀ ଠାବ କରିବାରେ ଓଡ଼ିଶା ପୁଲିସର ଏହି କୁକୁର ବେଶ ଧୁରନ୍ଦର। ଫ୍ୟାନ୍ସି ଓ କାଜଲ ଲାବ୍ରେଡର ପ୍ରଜାତିର ଓ ବରୁଣ ଓ ଆକାଶ ଜର୍ମାନ ସେଫର୍ଡ ପ୍ରଜାତିର ବୋଲି ସୂଚନା ମିଳିଛି।

ଷ୍ଟାଡିୟମ୍‌ରେ ଏହିସବୁ ସୁବିଧା
ଷ୍ଟାଡିୟମ ଭିତରେ ଓସିଏ ପକ୍ଷରୁ ଦର୍ଶକଙ୍କ ପାଇଁ ଖାଦ୍ୟ ଓ ପାଣିର ବ୍ୟବସ୍ଥା କରାଯାଇଛି। ଦର୍ଶକ ଟଙ୍କା ଦେଇ ଖାଦ୍ୟ, ପାଣି କିଣି ପାରିବେ। ଷ୍ଟାଡିୟମ ଭିତରେ ଶୌଚାଳୟର ବ୍ୟବସ୍ଥା ବି କରାଯାଇଛି। ଦର୍ଶକ ଖେଳ ସମୟରେ ଷ୍ଟାଡିୟମ ବାହାରକୁ ଆସି ପୁଣି ଭିତରକୁ ଯିବାର ଅନୁମତି ନଥିବାରୁ ଓସିଏ ପକ୍ଷରୁ ଶୌଚାଳୟ ବ୍ୟବସ୍ଥା କରାଯାଇଛି।

ପାର୍କିଂ ଦେୟ ୧୦ରୁ ୫୦ ଟଙ୍କା
ତଳ ବାଲିଯାତ୍ରା ପଡ଼ିଆରେ ଦର୍ଶକଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ହୋଇଥିବା ବେଳେ ଯାନ ଅନୁଯାୟୀ ଚାରି ପ୍ରକାର ମୂଲ୍ୟ ସ୍ଥିର ହୋଇଛି। ଚାରି ଚକିଆ ଗାଡ଼ି ପାଇଁ ୫୦ ଟଙ୍କା, ତିନି ଚକିଆ ଗାଡ଼ି ପାଇଁ ୩୦ ଟଙ୍କା, ଦୁଇ ଚକିଆ ଗାଡ଼ି ପାଇଁ ୨୦ ଟଙ୍କା, ବାଇସାଇକେଲ୍ ପାଇଁ ୧୦ ଟଙ୍କା ଧାର୍ଯ୍ୟ ହୋଇଛି। ସକାଳ ୮ଟାରୁ ରାତି ୧୧ଟା ଯାଏ ପାର୍କିଂ ଖୋଲା ରହିବ। ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଟଙ୍କା ଯଦି ପାର୍କିଂ ଦାୟିତ୍ବରେ ଥିବା ବ୍ୟକ୍ତି ନିଅନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଟ୍ରାଫିକ୍ ପୁଲିସ ଓ ସିଏମ୍‌ସିର ଅଧିକାରୀ ମିଳିତ ଭାବେ କାର୍ଯ୍ୟ କରିବେ।

କେଉଁଠି କିଏ କରିବେ ପାର୍କିଂ
୧. ତଳ ବାଲିଯାତ୍ରା ପଡ଼ିଆରେ ସର୍ବସାଧାରଣଙ୍କ ପାଇଁ ସିଏମ୍‌ସି ପକ୍ଷରୁ ପାର୍କିଂ ବ୍ୟବସ୍ଥା କରାଯାଇଛି।
୨. ଉପର ବାଲିଯାତ୍ରା ପଡ଼ିଆରେ ଜରୁରିକାଳୀନ ସେବା ଯୋଗାଉଥିବା ସରକାରୀ ସଂସ୍ଥାର ଅଧିକାରୀଙ୍କ ପାଇଁ ପାର୍କିଂ ବ୍ୟବସ୍ଥା କରାଯାଇଛି। ଯେମିତିକି ଅଗ୍ନିଶମ, ପୁଲିସ, ଆମ୍ବୁଲାନ୍ସ ଭଳି ସେବା ଯୋଗାଉଥିବା ସଂସ୍ଥାର ଅଧିକାରୀ ଗାଡ଼ି ପାର୍କିଂ କରିବେ।
୩. ଗେଟ୍ ନଂ ୧ରେ ପ୍ରବେଶ କଲା ପରେ କ୍ରିକେଟ୍ ଏକାଡେମିରେ ଓସିଏ ସଦସ୍ୟଙ୍କ ପାଇଁ ପାର୍କିଂର ବ୍ୟବସ୍ଥା ରହିଛି।
୪. ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ କେମ୍ବ୍ରିଜ ସ୍କୁଲ ପରିସରରେ ପାର୍କିଂ ବ୍ୟବସ୍ଥା ରହିଛି।
୫. ୧୪ ନଂ ଗେଟ୍‌ରେ ପ୍ରବେଶ କରି ସେଣ୍ଟ ଜାଭିଅର ସ୍କୁଲ ପରିସରରେ ବିସିସିଆଇର ଅଧିକାରୀ, ମ୍ୟାଚ୍ ରେଫରି, ଅମ୍ପେୟାର, ଓସିଏ ଅଧିକାରୀ ଓ ଅତିଥିଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି।
୬. ହର୍ସ ଗେଟ୍ ସାମନାରେ ବିଚାରପତି ଏବଂ ଟିଭି କ୍ରିଉଙ୍କ ପାଇଁ ପାର୍କିଂ ବ୍ୟବସ୍ଥା ରହିଛି।

ସମ୍ବନ୍ଧିତ ଖବର