ବିସିସିଆଇ ଦେଲା ଅନୁମତି: ପୂର୍ଣ୍ଣ ଦର୍ଶକରେ ହେବ ବାରବାଟୀ ଟି-୨୦

ମୁମ୍ବାଇ/ଭୁବନେଶ୍ବର : କ୍ରିକେଟ୍ ପ୍ରଶଂସକଙ୍କୁ ଗୁରୁବାର ମିଳିଛି ବଡ଼ ଖୁସି ଖବର। ଆଗାମୀ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଆୟୋଜନ କରିବାକୁ ବିସିସିଆଇ ଆଜି ରାଜ୍ୟସଂଘଗୁଡ଼ିକୁ ଅନୁମତି ପ୍ରଦାନ କରିଛି। ଫଳରେ ବାରବାଟୀରେ ଖେଳାଯିବାକୁ ଥିବା ଏହି ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଖେଳାଯିବାର ବାଟ ଖୋଲିଛି। ତେବେ ଏଥିନେଇ ଓସିଏ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ। ଖବର ଅନୁସାରେ ଶୁକ୍ରବାର ରାଜ୍ୟ କ୍ରୀଡ଼ା ବିଭାଗ ସହ ଏଥିନେଇ ଆଲୋଚନା ହେବାର ଅଛି। ଆଲୋଚନା ପରେ ଯାଇ ଓସିଏ ପକ୍ଷରୁ ଏହି ବିଷୟରେ ଯାହା କିଛି ସୂଚନା ଦିଆଯିବ।

ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି-୨୦ ଶୃଙ୍ଖଳା ଜୁନ୍ ୯ ତାରିଖରୁ ଆରମ୍ଭ ହୋଇ ଜୁନ୍ ୧୯ ତାରିଖରେ ଶେଷହେବ। ନୂଆଦିଲ୍ଲୀରେ ପ୍ରଥମ ମ୍ୟାଚ୍ ଜୁନ୍ ୯ରେ ଖେଳାଯିବା ପରେ ଦ୍ବିତୀୟ ମ୍ୟାଚ୍ ଜୁନ୍ ୧୨ ତାରିଖରେ କଟକରେ ଆୟୋଜିତ ହେବ। ସେହିଭଳି ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ମୁକାବିଲା ଯଥାକ୍ରମେ ବିଶାଖାପାଟଣା, ରାଜକୋଟ ଏବଂ ବେଙ୍ଗାଲୁରୁରେ ଜୁନ୍ ୧୪, ୧୭ ଏବଂ ୧୯ ତାରିଖରେ ଖେଳାଯିବ। ଏହା ପୂର୍ବରୁ ବିସିସିଆଇ ଆଇପିଏଲ୍ ପ୍ଲେ ଅଫ୍‌କୁ ମଧ୍ୟ ପୂର୍ଣ୍ଣ ଦର୍ଶକ କ୍ଷମତାରେ ଆୟୋଜନ କରିବାକୁ ଅନୁମତି ଦେଇସାରିଛି। କୋଭିଡ୍ ସଂକ୍ରମଣ ସଂଖ୍ୟା ଧୀରେଧୀରେ କମୁଥିବାରୁ ଦର୍ଶକଙ୍କୁ ଷ୍ଟାଡିୟମ୍ ଆସି ମ୍ୟାଚ୍‌ର ମଜା ନେବାର ସୁଯୋଗ ଦେବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସେମିଫାଇନାଲ୍ ଖେଳିବାରୁ ଅଳ୍ପକେ ବଞ୍ଚିତ ହେବାପରେ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ଟ୍ବେଣ୍ଟି-୨୦ ଶୃଙ୍ଖଳା ହେବ। ଭାରତ ମଧ୍ୟ ଦୀର୍ଘ ବ୍ୟବଧାନ ପରେ କୌଣସି ଅନ୍ତର୍ଜାତୀୟ ଶୃଙ୍ଖଳା ଖେଳିବ। ତା ଛଡ଼ା ବାଂଲାଦେଶ ଓ ପାକିସ୍ତାନ ସହ ଉଭୟ ଭାରତ ଏବଂ ଦକ୍ଷିଣ ଆଫ୍ରିକା ଚଳିତବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଗୋଟିଏ ଗ୍ରୁପ୍‌ରେ ସ୍ଥାନ ପାଇଛନ୍ତି। ଏଣୁ ଏହି ଶୃଙ୍ଖଳାକୁ ନେଇ ଉଭୟ ଦେଶର ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି।

ତେବେ ଏହି ଶୃଙ୍ଖଳାରେ ବିରାଟ କୋହଲି, ରୋହିତ ଶର୍ମା ଏବଂ ଯଶପ୍ରୀତ ବୁମ୍‌ରାଙ୍କ ଭଳି ଖେଳାଳିଙ୍କୁ ବିଶ୍ରାମ ଦିଆଯିବ ବୋଲି ବିସିସିଆଇ ଆଗୁଆ ସଙ୍କେତ ଦେଇସାରିଛି। ଯଦି ଓଡ଼ିଶା କ୍ରିକେଟ୍ ପ୍ରଶଂସକଙ୍କ କଥା କୁହାଯାଏ, ତାହେଲେ ‌ସେମାନେ ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ବାରବାଟୀ ଗ୍ୟାଲେରିରେ ବସି ଅନ୍ତର୍ଜାତୀୟ ମ୍ୟାଚ୍ ଦେଖିବାର ସୁଯୋଗ ପାଇବେ। କାରଣ ଏଠାରେ ୨୦୧୯ ଡିସେମ୍ବର ୨୨ ତାରିଖର ଭାରତ-ୱେଷ୍ଟଇଣ୍ଡିଜ୍ ଏକଦିବସୀୟ ମ୍ୟାଚ୍‌ ପରେ ଅନ୍ୟ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇନି। ଶେଷଥର ପାଇଁ ବାରବାଟୀରେ ୨୦୧୭ ଡିସେମ୍ବର ୨୦ ତାରିଖରେ ଭାରତ-ଶ୍ରୀଲଙ୍କା ମଧ୍ୟରେ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯାଇଥିଲା। ଉଭୟ ମ୍ୟାଚ୍‌କୁ ଭାରତ ଯଥାକ୍ରମେ ୪ ୱିକେଟ୍ ଏବଂ ୯୩ ରନ୍‌ରେ ଜିତି ନେଇଥିଲା।

ସମ୍ବନ୍ଧିତ ଖବର