ବାରବାଟୀ ଟିକେଟ କେଳେଙ୍କାରୀ: ଦୌରା ଅଦାଲତରେ ବିନୟଙ୍କ ଜାମିନ ଖାରଜ

କଟକ: ବାରବାଟୀ ଟେ୍ଵଣ୍ଟି-୨୦ ଆନ୍ତର୍ଜାତିକ କ୍ରିକେଟ ମ୍ୟାଚ୍‌ ପାଇଁ ଅନ୍‌ ଲାଇନ ଟିକେଟ ବିକ୍ରିରେ କେଳେଙ୍କାରୀ ଅଭିଯୋଗରେ ଗିରଫ ହୋଇଥିବା କର୍ଣ୍ଣାଟକ ବେଙ୍ଗାଲୁରୁ ଅଞ୍ଚଳର ବିନୟ କୁମାର କର୍ମଚେଟିଙ୍କ ଜାମିନ କଟକ ପ୍ରଥମ ଅତିରିକ୍ତ ଦୌରା ଜଜ୍‌ ସଂଜୟ କୁମାର ସାହୁ ଖାରଜ କରିଛନ୍ତି। ଘଟଣାର ତଦନ୍ତ ଚାଲିଥିବା ବେଳେ ଅଭିଯୁକ୍ତ ବାହାର ରାଜ୍ୟର ବାସିନ୍ଦା ହୋଇଥିବା ଦୃଷ୍ଟିରୁ ତାଙ୍କ ଜାମିନ ଆବେଦନ ଅଦାଲତ ଖାରଜ କରିଛନ୍ତି। କ୍ୟାଣ୍ଟମେଣ୍ଟ ଥାନା ପୁଲିସ ଏ ନେଇ ଆଇପିସିର ଦଫା ୪୨୦, ୪୬୭, ୪୬୮ରେ ମାମଲା ରୁଜୁ କରି ତାଙ୍କୁ ୨୧ ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିଲା। କଟକ ସଦର ଏସଡିଜେଏମ୍‌ ଅଦାଲତ ଜାମିନ ଖାରଜ କରିବା ପରେ ବିନୟ ଜାମିନ ପାଇଁ ଦୌରା ଜଜ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ଘଟଣାର ତଦନ୍ତ ଚାଲିଥିବା ବେଳେ ବାରବାଟୀ ଟିକେଟ କେଳେଙ୍କାରୀ ନେଇ କ୍ୟାଣ୍ଟନମେଣ୍ଟ ଥାନାରେ ଆଇପିସିର ଦଫା ୪୨୦ ଓ ଆଇଟି ଆକ୍ଟର ଧାରା ୬୬-ଡି ଆଉ ଏକ ମାମଲା ରୁଜୁ ହୋଇଛି। ଏପରି ପରିସ୍ଥିତିରେ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଗଲେ ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା।

ଏଠାରେ ସୂଚନା ଯୋଗ୍ୟ ଯେ ଭାରତ-ଶ୍ରୀଲଙ୍କା ମ୍ୟାଚରେ ଅନ୍‌ ଲାଇନରେ ଟିକେଟ ବିକ୍ରି ଦାୟିତ୍ୱ ‘ଗେଟ୍‌ ୨ ଦି ଗେମ୍ସ’କୁ ପ୍ରଦାନ କରାଯାଇଥିଲା। କ୍ରିକେଟପ୍ରେମୀ ଅନ୍‌ ଲାଇନରେ ଟିକେଟ କିଣିବା ପରେ ଏକ ପ୍ରିଣ୍ଟ ସେମାନଙ୍କର ଅନ୍‌ ଲାଇନରେ ହସ୍ତଗତ ହୋଇଥିଲା। ଷ୍ଟାଡିୟମ ପରିସରସ୍ଥ କାଉଣ୍ଟରରେ ଉକ୍ତ ପ୍ରିଣ୍ଟ ଦାଖଲ ପରେ ଓରିଜିନାଲ ଟିକେଟ ଦିଆଯିବା ପାଇଁ ବ୍ୟବସ୍ଥା ହୋଇଥିଲା। କିନ୍ତୁ ପ୍ରଦାନ କରାଯାଇଥିବା ଟିକେଟରେ ସିଟ୍‌ ନମ୍ବର, କଟକ ଡିସିପିଙ୍କ ସ୍ୱାକ୍ଷର, ଷ୍ଟାମ୍ପ ଓ ସିକ୍ୟୁରିଟି କୋଡ୍‌ ନଥିବାରୁ ଚେକିଂ ବେଳେ ବହୁ କ୍ରିକେଟପ୍ରେମୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସଂସ୍ଥାର ପ୍ରୋପ୍ରାଇଟର ବିନୟଙ୍କୁ ଧରି ଟିକେଟ କିଣିଥିବା ବ୍ୟକ୍ତିମାନେ ମାଡ ମାରିଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ବିନୟଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଥିଲା। ଘଟଣାର ତଦନ୍ତ କରି ପରବର୍ତ୍ତୀ ସମୟରେ ପୁଲିସ ବିନୟଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର