ବାରବାଟୀରେ ଟିକଟ୍ କେଳେଙ୍କାରୀ: ଅନ୍‌ଲାଇନ୍‌ରେ କାଟିଲେ, ଏବେ ମିଳୁନି

କଟକ: ବାରବାଟୀରେ ପ୍ରତିଥର ହେଉଥିବା ଅନ୍ତର୍ଜାତୀୟ ମ୍ୟାଚରେ ଟିକଟ୍ କେଳେଙ୍କାରୀ ଓସିଏର ପିଛା ଛାଡ଼ୁନାହିଁ। ଏବର୍ଷ ବି ସମାନ ସ୍ଥିତି ସୃଷ୍ଟି ହୋଇଥିବାର ସନ୍ଦେହ ହେଉଛି। ଅନ୍‌ଲାଇନ୍‌ରେ ଜଣେ କ୍ରିକେଟ୍ ପ୍ରେମୀ ୧୫ ଶହ ଟଙ୍କା ଦେଇ ଦୁଇଟି ଟିକଟ କିଣିଥିଲେ। କିନ୍ତୁ ଅଫ୍‌ଲାଇନରେ ଯେତେବେଳେ ଅନଲାଇନ୍ ରସିଦ୍ ଦେଖାଇ ଟିକେଟ୍ ନେବାକୁ ଆସିଲେ ତାଙ୍କୁ ଏବେ ଟିକେଟ୍ ମିଳୁନାହିଁ। ୨୦୧୭ ଓ ୨୦୧୯ରେ ବାରବାଟୀରେ ହୋଇଥିବା ଦୁଇଟି ଅନ୍ତର୍ଜାତୀୟ ମ୍ୟାଚରେ ଗୋଟିଏ ଟିକେଟ୍ ଜାଲିଆତି କରି ଦୁଇ ଥର ଲେଖାଏ ବିକ୍ରି ହୋଇଥିଲା। ଏଥର ବି ସେଭଳି ହୋଇଥିବା କୁହାଯାଉଥିବା ବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି।

ସୂଚନା ଅନୁଯାୟୀ, ସିଦ୍ଧାର୍ଥ ମହାନ୍ତି ନାମକ ଜଣେ ଯୁବକ ଗଲା ୧ ତାରିଖରେ https://insider.in/cuttack ମାଧ୍ୟମରେ ଗ୍ୟାଲେରୀ ନଂ ୪ର ଦୁଇଟି ଟିକେଟ୍
୧୪୯୯ ଟଙ୍କା ୧୨ ପଇସା ଦେଇ କିଣିଥିଲେ। ୮ ତାରିଖ ଦିନ କେମ୍ବ୍ରିଜ୍ ସ୍କୁଲରେ ଖୋଲିଥିବା ସ୍ବତନ୍ତ୍ର କାଉଣ୍ଟରରୁ ଟିକେଟ୍ ନେବାକୁ କୁହାଯାଇଥିଲା। ୮ ତାରିଖରେ ଶ୍ରୀ ମହାନ୍ତି ଆସି ଫେରିଯାଇଥିଲେ। ୯ ତାରିଖ ଗୁରୁବାର ସକାଳ ୮ଟାରୁ ସେ ପୁଣି କାଉଣ୍ଟରକୁ ଯାଇଥିଲେ। କିନ୍ତୁ ତାଙ୍କୁ ଟିକେଟ୍ ମିଳିନଥିଲା। ତାଙ୍କୁ ଅନ୍‌ଲାଇନ୍‌ରେ ଏକ ରସିଦ୍ ମିଳିଥିବାବେଳେ ଏଥିରେ କ୍ୟୁଆର୍ କୋଡ୍ ଓ ଟିକେଟ୍ ସମ୍ପର୍କିତ ପଞ୍ଜୀକରଣ ନମ୍ବର ବି ରହିଛି। କିନ୍ତୁ କାଉଣ୍ଟରରୁ ତାଙ୍କୁ ଟିକେଟ୍ ମିଳୁନାହିଁ। ଟେକନିକାଲ୍ ଟିମ୍ ସହିତ କଥା ହେବାକୁ କାଉଣ୍ଟର ପକ୍ଷରୁ ତାଙ୍କୁ କୁହାଯାଉଛି। ଆଉ ଦୁଇଦିନ ପରେ ବାରବାଟୀରେ ମ୍ୟାଚ୍ ହେବାକୁ ଯାଉଥିବାବେଳେ ଦୁଇଦିନ ହେବ କାଉଣ୍ଟରକୁ ଟିକଟ୍ ପାଇଁ ଦୌଡ଼ି ନୟାନ୍ତ ହେଲେଣି ଶ୍ରୀ ମହାନ୍ତି। ବର୍ତ୍ତମାନ ସୁଦ୍ଧା ତାଙ୍କୁ ଟିକେଟ୍ ମିଳୁ ନଥିବା ବେଳେ ଟଙ୍କା ବି ଫେରସ୍ତ କରାଯାଉ ନାହିଁ।

୨୦୧୭ ଡିସେମ୍ବରରେ ବାରବାଟୀରେ ଭାରତ-ଶ୍ରୀଲଙ୍କା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୩୧ ଲକ୍ଷ ଟଙ୍କାର ଟିକେଟ କେଳେଙ୍କାରୀ ହୋଇଥିଲା। ମ୍ୟାଚ୍‌ ପାଇଁ ୪୩ ହଜାର ୯୨୯ ଟିକେଟ୍‌ ଛପା ଓ ବିକ୍ରି ଦାୟିତ୍ବ ବାଙ୍ଗାଲୁରର ‘ଗେଟ୍‌ ୨ ଦି ଗେମ୍‌ସ’କୁ ଓସିଏ ପକ୍ଷରୁ ଦିଆଯାଇଥିଲା। ଦର୍ଶକ ଅନ୍‌ଲାଇନ୍‌ରେ ଟଙ୍କା ଦେଇ ଏକ ପ୍ରିଣ୍ଟ୍ ହାତେଇବା ପରେ ଷ୍ଟାଡିୟମ୍‌ ନିକଟରେ ଖୋଲିଥିବା କାଉଣ୍ଟରରେ ପ୍ରିଣ୍ଟ ଦାଖଲ କରି ଓରିଜିନାଲ୍‌ ଟିକେଟ୍‌ ଆଣିବାର ବ୍ୟବସ୍ଥା ହୋଇଥିଲା। କିନ୍ତୁ ସେହି ବର୍ଷ ଯେତେବେଳେ ଦର୍ଶକ କାଉଣ୍ଟରରୁ ଅନ୍‌ଲାଇନ୍‌ରେ ଟିକଟ୍ ଆଣିବାକୁ ଗଲେ ଉକ୍ତ ଟିକେଟରେ ଡିସିପିଙ୍କ ଦସ୍ତଖତ, ଷ୍ଟାମ୍ପ ଏବ˚ ସିକ୍ୟୁରିଟି କୋଡ୍‌ ନଥିବାରୁ ଟିକେଟ୍ ଜାଲିଆତି ହୋଇଥିବା ଜଣାପଡ଼ିଥିଲା। କ୍ୟାଣ୍ଟନ୍‌ମେଣ୍ଟ ଥାନା ପୁଲିସ ଏହି ଘଟଣାର ତଦନ୍ତ କରି ବଡ଼ ଧରଣର କେଳେଙ୍କାରୀ ପର୍ଦ୍ଦାଫାସ କରିଥିଲା। ଟିକେଟ୍‌ ଛପା ଓ ବିକ୍ରି ଦାୟିତ୍ବ ନେଇଥିବା ହାଇଦ୍ରାବାଦ୍‌ର ‘ଗେଟ୍‌ ୨ ଦି ଗେମ୍‌ସ ଏଜେନ୍ସି’ର ମାଲିକ ବିନୟ କର୍ମଚେଟିକୁ ଗିରଫ କରିଥିଲା। ‘ଗେଟ୍‌ ୨ ଦି ଗେମ୍‌ସ’କୁ ୯ହଜାର ୩୧୦ଟି ଟିକେଟ୍‌ ବିକ୍ରି କରିବାକୁ ଅନୁମତି ମିଳିଥିଲା। ୩୦ ଲକ୍ଷ ଟଙ୍କା ମୂଲ୍ୟର ୫ ହଜାରରୁ ଅଧିକ ଟିକେଟ୍‌ ଅନ୍‌ଲାଇନ୍‌ରେ ବିକ୍ରି କରିବା ସହିତ ଅଫ୍‌ଲାଇନ୍‌ରେ ମଧ୍ୟ ବିକ୍ରି କରିଥିଲା ସ˚ସ୍ଥା। ୫ ହଜାର ଟିକେଟ୍‌ ବିନୟ ଦୁଇ ଥର ବିକ୍ରି କରିଥିଲା। ଜାଲିଆତି କରି ଯେଉଁ ଅଧିକ ୫ ହଜାର ଟିକେଟ ବିନୟ ବିକ୍ରି କରିଥିଲା, ସେହି ସ˚ଖ୍ୟାର ଟିକେଟ ବେଆଇନ ଭାବେ ଜାଲିଆତି କରି ପୃଥକ ଛପା ହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା।

୨୦୧୯ ଡିସେମ୍ବରରେ ଇଣ୍ଡିଆ-ଓ୍ବେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚରେ ବି ଟିକେଟ୍ କେଳେଙ୍କାରୀ ହୋଇଥିଲା। ମୋଟ୍‌ ଟିକେଟ୍‌ରୁ ସାଧାରଣ ଦର୍ଶକଙ୍କ ପାଇଁ ପାଖାପାଖି ୨୨ ହଜାର ଟିକେଟ୍ ବିକ୍ରି ଓ ପାସ୍‌ ଆକାରରେ ୨୧ ହଜାର ପାଖାପାଖି ଟିକେଟ୍‌ ବଣ୍ଟାଯାଇଥିଲା। ଅପର ପ୍ରେସ୍‌ ବକ୍ସ ପାସ୍‌ ୫ ହଜାର ୫୦୦ରୁ ୭ ହଜାର ଟଙ୍କା ଭିତରେ ବିକ୍ରି କରାଯାଇଛି। ଏହି ସିଟ୍‌ କେବଳ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବେଳେ ଏଭଳି କେଳେଙ୍କାରୀ ହୋଇଥିଲା। ଏହି ଟିକେଟ୍‌ରେ ହଲୋଗ୍ରାମ ନଥିବାରୁ ବଡ଼ ଧରଣର କେଳେଙ୍କାରୀ ହୋଇଥିବା ଜଣାପଡ଼ିଥିଲା। ଏହି ଟିକେଟ ଓସିଏ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବେ ଛପାଯାଇଥିବା ଜଣାପଡ଼ିଥିଲା। ନିୟମ ଅନୁଯାୟୀ, ପାସ୍‌ କିମ୍ବା ଟିକେଟ୍‌ରେ କଟକ ଡିସିପିଙ୍କ ଦସ୍ତଖତ ଓ ଷ୍ଟାମ୍ପ୍ ସହିତ ଓସିଏ କର୍ତ୍ତୃପକ୍ଷଙ୍କ ହଲୋଗ୍ରାମ୍‌ ଥିଲେ ତାକୁ ବୈଧ ବୋଲି ବିବେଚନା କରାଯିବ। କିନ୍ତୁ ପ୍ରେସ୍‌ ବକ୍ସରେ ଅନେକ ପାସ୍‌ ଓସିଏ କର୍ତ୍ତୃପକ୍ଷଙ୍କ ହଲୋଗ୍ରାମ୍‌ ଆଦୌ ନଥିଲା। ପାସ୍‌ରେ ପ୍ରେସ୍‌ ବକ୍ସ ଲେଖାଟିକୁ ଚ˚ଚକତା କରି ଲିଭାଇ ବିକ୍ରି କରାଯାଇଥିଲା।

ସମ୍ବନ୍ଧିତ ଖବର