ଚିରଞ୍ଜୀବୀ କର
କଟକ: ବାରବାଟୀ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ରେ ପାସ୍ ଓ ଟିକେଟ୍ କେଳେଙ୍କାରୀ ପ୍ରସଙ୍ଗ ଏବେ ରାଜନୈତିକ ମୋଡ଼ ନେଇଛି। ଟିକେଟ୍ ଓ ପାସ୍ କଳାବଜାର ପ୍ରସଙ୍ଗ ବିଧାନସଭାରେ ଉଠାଇବାକୁ କଂଗ୍ରେସ ପକ୍ଷରୁ ବୟାନ ଦିଆଯାଇଛି। ଗତକାଲି ଆୟୋଜିତ ଭାରତ-ଇଂଲଣ୍ଡ ମ୍ୟାଚ୍ରେ ପାଖାପାଖି ୨୦ ହଜାର ୯୨୦ ଟିକେଟ୍ ପାସ୍ ଆକାରରେ ବଣ୍ଟାଯାଇଛି। କିନ୍ତୁ ଏହି ପାସ୍କୁ ଦଲାଲମାନେ ନେଇ ଚଢ଼ା ଦରରେ ବିକିଥିଲେ। ଏମିତିକି ପ୍ରେସ୍ବକ୍ସ ପାସ୍ ୧୮ ହଜାର ଟଙ୍କାରେ ଦଲାଲ ବିକିଥିଲେ। ବାରବାଟୀରେ ୨୦୧୭, ୨୦୧୯ ଓ ୨୦୨୨ ମ୍ୟାଚରେ ବି ଏଭଳି ଟିକେଟ୍ ଓ ପାସ୍ କେଳେଙ୍କାରୀ ସାମନାକୁ ଆସିଥିଲା। ଏଭଳି ସ୍ଥିତିରେ ପାସ୍ ବ୍ୟବସ୍ଥା ଉଚ୍ଛେଦ କରି ଦର୍ଶକଙ୍କ ପାଇଁ ସବୁ ଟିକେଟ୍ ସମ୍ପୂର୍ଣ୍ଣ ଭାବେ ଅନ୍ଲାଇନ୍ରେ ଉପଲବ୍ଧ କରିବାକୁ ବିଭିନ୍ନ ମହଲରେ ଦାବି ଉଠିଥିଲା। ଏହା ଦ୍ବାରା ଟିକେଟ୍ କଳାବଜାରି ଓ ଅବ୍ୟବସ୍ଥା ଉପରେ ଅଙ୍କୁଶ ଲାଗି ପାରିବ ବୋଲି କୁହାଯାଇଥିଲା। ସବୁ ଟିକେଟ୍ ବିକ୍ରି ହେଲେ ଟିକେଟ୍ ଦର ବି ହ୍ରାସ ପାଇବ ଏବଂ ଏଥିରେ ସାଧାରଣ କ୍ରିକେଟ୍ ପ୍ରେମୀ ବିଶେଷ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଥିଲା। କିନ୍ତୁ ତାହାକୁ କେଉଁ ଉଦ୍ଦେଶ୍ୟରେ କାର୍ଯ୍ୟକାରୀ ନ କରି ଏଭଳି ଦୁର୍ନୀତି ଆଉ ଅବ୍ୟବସ୍ଥାକୁ ପ୍ରୋତ୍ସାହନ ଦିଆଯାଉଛି, ତାହାକୁ ନେଇ ପ୍ରଶ୍ନ ଉଠୁଛି।
ବାରବାଟୀ ଷ୍ଟାଡିୟମରେ ପାଖାପାଖି ୪୫ ହଜାର ଦର୍ଶକ ବସିବାର କ୍ଷମତା ଥିବା ବେଳେ ଭାରତ-ଇଂଲଣ୍ଡ ମ୍ୟାଚ ପାଇଁ ୨୪ ହଜାର ୮୦ ଟିକେଟ୍ ଅନ୍ଲାଇନ୍ ଓ ବାରବାଟୀ ଷ୍ଟାଡିୟମରେ ଖୋଲିଥିବା ୪ଟି କାଉଣ୍ଟରରେ ବିକ୍ରି ହୋଇଥିଲା। ଅବଶିଷ୍ଟ ୨୦ ହଜାର ୯୨୦ ଟିକେଟ୍ ପାସ୍ ଆକାରରେ ବଣ୍ଟାଯାଇଥିଲା। ସ୍ଥିତି ଏଭଳି ହେଲା ଯେ ରବିବାର ଷ୍ଟାଡିୟମ ନିକଟ ମା’ ଚର୍ଚ୍ଚିକା ବସ୍ତି ସଂଘ ଗଳି, ଷ୍ଟାଡିୟମ୍ ସାମନା ଡିଭାଇଡର୍, ଫୁଡ୍କୋର୍ଟ ନିକଟରେ ଦଲାଲମାନେ ନିର୍ଭୟରେ ଟିକେଟ୍ ଆଉ ପାସ୍ର କଳାବଜାର କରିଥିଲେ। ୨ ଓ ୪ ନମ୍ବର ଗ୍ୟାଲେରି ଟିକେଟ୍ର ଦାମ ୯୦୦ ଟଙ୍କା ଥିବା ବେଳେ ୪ ନମ୍ବର ଗ୍ୟାଲେରିକୁ ୬ ହଜାର ଓ ୨ ନମ୍ବର ଗ୍ୟାଲେରିକୁ ୧୩ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା। ସ୍ବତନ୍ତ୍ର ଏନ୍କ୍ଲୋଜର ଟିକେଟ୍ ଦାମ ୬ ହଜାର ଟଙ୍କା ହୋଇଥିବା ବେଳେ ଦଲାଲ ଏହାକୁ ୧୨ ହଜାର ଟଙ୍କାରେ ବିକ୍ରି କରିଥିଲେ। ଅପର୍ ପ୍ରେସ୍ବକ୍ସ ପାସ୍କୁ ୧୮ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା। ଫେବ୍ରୁଆରି ୫ରେ ଷ୍ଟାଡିୟମ କାଉଣ୍ଟର୍ରୁ ପାଖାପାଖି ୨୦ ହଜାର ଦର୍ଶକ ଟିକେଟ୍ ନପାଇ ଫେରିଥିଲେ। ଏଭଳି ପ୍ରସଂଗକୁ ନେଇ କ୍ରୀଡ଼ା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଟିକେଟ୍ ଓ ପାସ୍ର କଳାବଜାର ହେବା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଏହି ପ୍ରସଂଗରେ କଂଗ୍ରେସ ଓ ବିଜେଡିର ନେତାମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛି।
୨୦୧୭, ୨୦୧୯, ୨୦୨୨ରେ ଧରାପଡ଼ିଥିଲା ଦୁର୍ନୀତି
ପାସ୍ ବ୍ୟବସ୍ଥା ଉଚ୍ଛେଦ, ସବୁ ଟିକେଟ୍ ଅନ୍ଲାଇନ୍ ବିକ୍ରି ପାଇଁ ବଢୁଛି ଦାବି
ପୂର୍ବରୁ ୨୦୨୨ରେ ଏଭଳି ଟିକେଟ୍ କେଳେଙ୍କାରୀ ହୋଇଥିଲା। ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ପାଇଁ ଅନ୍ଲାଇନ୍ରେ ଟିକେଟ୍ କିଣିଥିବା ଦର୍ଶକ ଯେତେବେଳେ କେମ୍ବ୍ରିଜ୍ ସ୍କୁଲରେ ଖୋଲିଥିବା ସ୍ବତନ୍ତ୍ର କାଉଣ୍ଟରରୁ ଟିକେଟ୍ର ହାର୍ଡ କପି ନେବାକୁ ଯାଇଥିଲେ; ସେମାନଙ୍କୁ ଟିକେଟ୍ ମିଳିନଥିଲା। ଗୋଟିଏ ଟିକେଟ୍ ଦୁଇ ଥର ବିକ୍ରି ହୋଇଥିବା ଭଳି ସଂଗିନ ଅଭିଯୋଗ ଆସିଥିଲା। ୨୦୧୯ ଡିସେମ୍ବରରେ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଦିନିକିଆ ବାରବାଟୀ ମ୍ୟାଚରେ ବି ସମାନ ଅଭିଯୋଗ ହୋଇଥିଲା। ମୋଟ ଟିକେଟ୍ରୁ ସାଧାରଣ ଦର୍ଶକଙ୍କ ପାଇଁ ପାଖାପାଖି ୨୨ ହଜାର ଟିକେଟ୍ ବିକ୍ରି ଓ ପାସ୍ ଆକାରରେ ୨୧ ହଜାର ପାଖାପାଖି ଟିକେଟ୍ ବଣ୍ଟାଯାଇଥିଲା। ଅପର ପ୍ରେସ୍ବକ୍ସ ପାସ୍ ୫୫୦୦ରୁ ୭ ହଜାର ଟଙ୍କାରେ ବିକ୍ରି କରାଯାଇଥିଲା। ବିକ୍ରି ହୋଇଥିବା ଟିକେଟ୍ରେ ହଲୋଗ୍ରାମ ନଥିବାରୁ ବଡ଼ଧରଣର କେଳେଙ୍କାରୀ ହୋଇଥିବା ଜଣାପଡ଼ିଥିଲା। ଏହି ଟିକେଟ୍କୁ ସ୍ଥାନୀୟ ଅଞ୍ଚଳରେ ବେଆଇନ ଭାବେ ଛପାଯାଇଥିବା ଜଣାପଡ଼ିଥିଲା। ପାସ୍ କିମ୍ବା ଟିକେଟ୍ରେ କଟକ ଡିସିପିଙ୍କ ଦସ୍ତଖତ ଓ ଷ୍ଟାମ୍ପ୍ ସହିତ ଓସିଏ କର୍ତ୍ତୃପକ୍ଷଙ୍କ ହଲୋଗ୍ରାମ୍ ଥିଲେ ତାକୁ ବୈଧ ବୋଲି ବିବେଚନା କରାଯାଏ। କିନ୍ତୁ ଅପର୍ ପ୍ରେସ୍ବକ୍ସର ଅନେକ ପାସ୍ରେ ଓସିଏ କର୍ତ୍ତୃପକ୍ଷଙ୍କ ହଲୋଗ୍ରାମ୍ ଆଦୌ ନଥିଲା।
୨୦୧୭ ଡିସେମ୍ବରରେ ବାରବାଟୀରେ ଭାରତ-ଶ୍ରୀଲଙ୍କା ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ୩୧ ଲକ୍ଷ ଟଙ୍କାର ଟିକେଟ କେଳେଙ୍କାରୀ ହୋଇଥିଲା। ମ୍ୟାଚ୍ ପାଇଁ ୪୩ ହଜାର ୯୨୯ ଟିକେଟ୍ ଛପା ଓ ବିକ୍ରି ଦାୟିତ୍ବ ବାଙ୍ଗାଲୁରର ‘ଗେଟ୍ ୨ ଦି ଗେମ୍ସ’କୁ ଓସିଏ ପକ୍ଷରୁ ଦିଆଯାଇଥିଲା। ଦର୍ଶକ ଅନ୍ଲାଇନ୍ରେ ଟଙ୍କା ଦେଇ ଏକ ପ୍ରିଣ୍ଟ୍ ହାତେଇବା ପରେ ଷ୍ଟାଡିୟମ୍ ନିକଟରେ ଖୋଲିଥିବା କାଉଣ୍ଟରରେ ପ୍ରିଣ୍ଟ ଦାଖଲ କରି ଓରିଜିନାଲ୍ ଟିକେଟ୍ ଆଣିବାର ବ୍ୟବସ୍ଥା ହୋଇଥିଲା। କିନ୍ତୁ ସେହି ବର୍ଷ ଯେତେବେଳେ ଦର୍ଶକ କାଉଣ୍ଟରରୁ ଅନ୍ଲାଇନ୍ରେ ଟିକଟ୍ ଆଣିବାକୁ ଗଲେ ଉକ୍ତ ଟିକେଟ୍ରେ ଡିସିପିଙ୍କ ଦସ୍ତଖତ, ଷ୍ଟାମ୍ପ ଏବ˚ ସିକ୍ୟୁରିଟି କୋଡ୍ ନଥିବାରୁ ଜାଲିଆତି ହୋଇଥିବା ଜଣାପଡ଼ିଥିଲା। କ୍ୟାଣ୍ଟନ୍ମେଣ୍ଟ ଥାନା ପୁଲିସ ଟିକେଟ୍ ଛପା ଓ ବିକ୍ରି ଦାୟିତ୍ବ ନେଇଥିବା ହାଇଦ୍ରାବାଦ୍ର ‘ଗେଟ୍ ୨ ଦି ଗେମ୍ସ’ ଏଜେନ୍ସିର ମାଲିକ ବିନୟ କର୍ମଚେଟିକୁ ଗିରଫ କରିଥିଲା। ‘ଗେଟ୍ ୨ ଦି ଗେମ୍ସ’କୁ ୯ହଜାର ୩୧୦ଟି ଟିକେଟ୍ ବିକ୍ରି କରିବାକୁ ଅନୁମତି ମିଳିଥିଲା। ୩୦ ଲକ୍ଷ ଟଙ୍କା ମୂଲ୍ୟର ୫ ହଜାରରୁ ଅଧିକ ଟିକେଟ୍ ଅନ୍ଲାଇନ୍ରେ ବିକ୍ରି କରିବା ସହିତ ଅଫ୍ଲାଇନ୍ରେ ମଧ୍ୟ ଟିକେଟ୍ ବିକ୍ରି କରିଥିଲା ସ˚ସ୍ଥା। ୫ ହଜାର ଟିକେଟ୍ ଦୁଇ ଥର ବିକ୍ରି କରିଥିଲେ। ଜାଲିଆତି କରି ଯେଉଁ ଅଧିକ ୫ ହଜାର ଟିକେଟ୍ ବିକ୍ରି ହୋଇଥିଲା ସେହି ସ˚ଖ୍ୟାର ଟିକେଟ୍ ବେଆଇନ ଭାବେ ପୃଥକ ଛପାହୋଇଥିବା ତଦନ୍ତରୁ ଜଣାପଡ଼ିଥିଲା। ପ୍ରତ୍ୟେକ ଥର ବାରବାଟୀ ମ୍ୟାଚ୍ ସମୟରେ ଟିକେଟ୍ ବିକ୍ରିକୁ ନେଇ ସ୍ବଚ୍ଛତା ରହୁନଥିବା ବେଳେ କଳାବଜାରୀକୁ ରୋକାଯିବା ବଦଳରେ ଏହାକୁ ଉଭୟ ଓସିଏ ଓ କମିସନରେଟ୍ ପୁଲିସ ପ୍ରୋତ୍ସାହିତ କରିବା ଘଟଣା ଉଦ୍ବେଗ ସୃଷ୍ଟି କରିଛି। ଖେଳ ଆୟୋଜନ ସମୟରେ ଏହି ପ୍ରସଙ୍ଗ ଉଠୁଥିବା ବେଳେ ଖେଳ ସରିଲା ପରେ ସବୁ କିଛି ଥଣ୍ଡା ପଡ଼ିଯାଉଥିବାରୁ ଏଭଳି କେଳେଙ୍କାରୀ ବଢ଼ି ଚାଲିଥିବା କୁହାଯାଉଛି।