ଶ୍ରୀମନ୍ଦିରରେ ବନ୍ଦ ହେବ ବରାଦି ଅବଢ଼ା

ପୁରୀ : ପୁରୀ ଜିଲ୍ଲାରେ କରୋନା ଭୟଙ୍କର ରୂପ ନେଲାଣି। ଦିନକୁ ଦିନ ଯେଉଁଭଳି ସଂକ୍ରମଣ ବଢ଼ିଚାଲିଛି, ତାହା ପ୍ରଶାସନ ପାଇଁ ମୁଣ୍ଡବଥାର କାରଣ ପାଲଟିଛି। ସବୁଠୁ ଭୟଙ୍କର ସ୍ଥିତି ଦେଖାଦେଇଛି ପୁରୀ ସହରରେ। ଏହା ଭିତରେ ପୁରୀ ସହର ଆକ୍ରାନ୍ତ ସଂଖ୍ୟା ୧୫୨୮ରେ ପହଞ୍ଚିଛି। ଯେଉଁଥିରୁ ସର୍ବାଧିକ ସ୍ଥାନୀୟ ସଂକ୍ରମିତ। ଏହି ବିପଦ ଏବେ ଶ୍ରୀମନ୍ଦିର ସେବାୟତଙ୍କୁ ବି ମାଡ଼ି ଆସିଲାଣି। ପରିସ୍ଥିତି ଏପରି ହୋଇଛି ଯେ ଯଦି ସଂକ୍ରମଣ ନିୟନ୍ତ୍ରଣକୁ ନଆସେ, ସ୍ଥିତି ଅସମ୍ଭାଳ ହୋଇପଡ଼ିବ।

ଏହାକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ଶ୍ରୀମନ୍ଦିର ରୋଷଶାଳାରେ ମହାପ୍ରସାଦ ରୋଷେଇ ବନ୍ଦ କରିବାକୁ ଯୋଜନା କରିଛି। ଜିଲ୍ଲାପାଳ ଆଜି ବୈଠକ ଡାକି ଏ ସଂପର୍କିତ ପ୍ରସ୍ତାବ ବି ସୁଆର ମହାସୁଆର ନିଯୋଗକୁ ଦେଇ ସାରିଥିବା ଜଣାପଡ଼ିଛି। ଅନ୍ୟପଟେ ଜିଲ୍ଲାପାଳଙ୍କ ଏହି ପ୍ରସ୍ତାବ ପରେ ସୁଆର ମହାସୁ୍ଆର ନିଯୋଗ ଶ୍ରୀମନ୍ଦିର ଭିତରେ ରହିଥିବା କାର୍ଯ୍ୟାଳୟରେ ବୈଠକ ଡାକିଛି। ଶ୍ରୀମନ୍ଦିର ପ୍ରଶାସନର ତାଗିଦ ସତ୍ତ୍ବେ ନିଯୋଗର ଏହି ବୈଠକ ସେବାୟତଙ୍କୁ ବିପଦ ଭିତରକୁ ଠେଲି ଦେଇଛି।

ଅବଢ଼ା ପାଇଁ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଦୈନିକ ଭକ୍ତଙ୍କ ଭିଡ଼ ରହୁଛି। ବିଭିନ୍ନ ପର୍ବପର୍ବାଣୀରେ ଏହି ଭିଡ଼ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଯାହା ଭୟଙ୍କର ସଂକ୍ରମଣର ବାତାବରଣ ସୃଷ୍ଟି କରୁଛି। ଯାହାର ପ୍ରତିଫଳନ ବି ଏହା ଭିତରେ ଜଳଜଳ ଦେଖାଗଲାଣି। ଶ୍ରୀମନ୍ଦିର ସେବା ଦାୟିତ୍ବରେ ଥିବା ବହୁ ସେବାୟତ ଏହା ଭିତରେ ସଂକ୍ରମଣ ହୋଇ ସାରିଲେଣି। ଏହାକୁ ଆଖି ଆଗରେ ରଖି ଶ୍ରୀମନ୍ଦିର ପ୍ରଶାସନ ଗତ ୨୬ ତାରିଖରେ ସମସ୍ତ ସେବାୟତ ନିଯୋଗର ସଂପାଦକମାନଙ୍କୁ ଏକ ଚିଠି (୬୪୧୬/୨୬.୦୮.୨୦୨୦) କରିଥିଲା। ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ରହିଥିଲା କି ସଂପ୍ରତି କରୋନା ଜନିତ ସଂକ୍ରମଣରେ ପୁରୀ ସହର ତଥା ପୁରୀ ଆଖପାଖର ବହୁ ଲୋକ ଆକ୍ରାନ୍ତ ହେବା ଦୃଷ୍ଟିକୁ ଆସିଛି। ଏହାର ପ୍ରତିକାରାତ୍ମକ ବ୍ୟବସ୍ଥା ସ୍ବରୂପ ସାମାଜିକ ଦୂରତା ବଜାୟ ରଖି ମାସ୍କ ପିନ୍ଧିବା ସହ ସଭାସମିତି ଓ ଭୋଜିଭାତ ଆୟୋଜନ ଉପରେ ସରକାରୀ କଟକଣା ଜାରି ରହିଛି।

ଏହା ସତ୍ତ୍ବେ ଶ୍ରୀମନ୍ଦିର ପରିସର ମଧ୍ୟରେ କେତେକ ସ୍ଥାନରେ ସାମାଜିକ ଦୂରତା ରକ୍ଷା କରାଯାଉନଥିବା ପରିଲକ୍ଷିତ ହେଉଛି। ମନ୍ଦିର ପରିସରରେ ସରକାରୀ କଟକଣା ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ନହେଲେ ଭବିଷ୍ୟତରେ ସଂକ୍ରମଣ ଭୀଷଣ ରୂପ ନେବାର ଆଶଙ୍କା ରହିଛି। ଏହି ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ଭିତର ପରିବେଶରେ କୌଣସି ସଭାସମିତି ଓ ଭୋଜିଭାତ ଆୟୋଜନ ନ କରିବାକୁ ଚିଠି ମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନ ଅନୁରୋଧ କରିଛି। ଏହା ଫଳରେ ସମସ୍ତ ନିଯୋଗର ସଦସ୍ୟମାନେ ସୁରକ୍ଷିତ ରହିବା ସହ ଶ୍ରୀମନ୍ଦିରର ସମସ୍ତ ସେବାୟତ ସଂପ୍ରଦାୟ ସୁରକ୍ଷିତ ରହିପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ ଉଲ୍ଲେଖ କରିଛି। ଏହାକୁ ଗୁରୁତ୍ବର ସହ ଗ୍ରହଣ କରିବାକୁ ବି କୁହାଯାଇଛି। ଏଭଳି ପରିସ୍ଥିତିରେ ସୁଆର ମହାସୁଆର ନିଯୋଗର ସଦସ୍ୟମାନଙ୍କୁ ନେଇ ଆଜି ଜିଲ୍ଲାପାଳଙ୍କ ଅବଢ଼ା ଉପରେ ବୈଠକ ଓ ମହାପ୍ରସାଦ ରୋଷେଇ ବନ୍ଦ ପାଇଁ ପ୍ରସ୍ତାବ ଚର୍ଚ୍ଚାର ବିଷୟ ପାଲଟିଛି। ବରାଦି ଅବଢ଼ା ରୋଷେଇ ବନ୍ଦ କରି କେବଳ କୋଠଭୋଗ ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦିଆଯାଇଛି।

ପୂର୍ବରୁ ବି ଶ୍ରୀମନ୍ଦିର ପ୍ରଶାସନ ଏ ସଂପର୍କରେ ଆଲୋଚନା କରିଥିଲା। ମହାପ୍ରସାଦ ରୋଷେଇ କିଛିଦିନ ବନ୍ଦ ରଖିବାକୁ କୁହାଯାଇଥିଲା। କିନ୍ତୁ ସୁଆର ମହାସୁଆର ନିଯୋଗ ଏଥିରେ ରାଜି ହୋଇନଥିଲେ। କିନ୍ତୁ ଆଜି ଜିଲ୍ଲାପାଳ ବୈଠକ ଡାକି ମହାପ୍ରସାଦ ରୋଷେଇ ବନ୍ଦ ପ୍ରସ୍ତାବ ଦେବା ପରେ ଆସନ୍ତାକାଲି ପୂର୍ବାହ୍ଣ ପ୍ରାୟ ୧୧ଟାରେ ସୁଆର ମହାସୁଆର ନିଯୋଗ ମହାପ୍ରସାଦ ଦୋକାନୀ ଓ ଖନ୍ଦାର ମୁନିବମାନଙ୍କୁ ନେଇ ଏକ ବୈଠକ କରୁଛି। ବୈଠକରେ ମହାପ୍ରସାଦ ରୋଷେଇ ବନ୍ଦ ପ୍ରସ୍ତାବ ଉପରେ ବିସ୍ତୃତ ଆଲୋଚନା ହେବ । ବୈଠକରେ ସଭ୍ୟମାନଙ୍କ ମତାମତ ଲୋଡ଼ାଯାଇଛି। କଟକଣା ଭିତରେ ଏ ଭଳି ବୈଠକକୁ ନେଇ ଅନ୍ୟ ସେବାୟତମାନେ ବି ଅସନ୍ତୋଷ ପ୍ରକାଶ କଲେଣି। ଯେଉଁଠି ଶ୍ରୀମନ୍ଦିର ପ୍ରଶାସନ ମନ୍ଦିର ଭିତରେ ସଭାସମିତି ଆୟୋଜନ ନକରିବା ପାଇଁ ଚିଠି ଲେଖିଛି, ସେଠି ଏଭଳି ସଭା ସମିତି କରୋନା ସଂକ୍ରମଣ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ ବୋଲି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର