ବରଗଡ଼ : ବର୍ତମାନ ସବୁଠି ବୃକ୍ଷରୋପଣ ସପ୍ତାହ ଚାଲିଛି। ତେବେ ଅଧିକାଂଶ କ୍ଷେତ୍ରରେ ବୃକ୍ଷରୋପଣ କେବଳ ପ୍ରହସନ ପାଲଟିଛି। ଗଣମାଧ୍ୟମରେ ଫଟୋ ପ୍ରକାଶ ପାଇଲେ କାମ ସରିଲା। କିନ୍ତୁ କିଛି ପ୍ରକୃତିପ୍ରେମୀ ଏଭଳି ବି ଅଛନ୍ତି, ଯେଉଁମାନେ ବାସ୍ତବରେ ପରିବେଶ କଥା ଚିନ୍ତା କରୁଛନ୍ତି ଏବଂ ନିରବରେ ଏଥିପାଇଁ କାମ କରୁଛନ୍ତି। ତନ୍ମଧ୍ୟରୁ ଜଣେ ହେଲେ ଡ. ଡୋଳାମଣି ଶତପଥୀ। ଜିଲ୍ଲାରେ ଜଣେ ଦକ୍ଷ ଶିକ୍ଷକ ଓ ସମାଜସେବୀ ଭାବେ ସେ ବେଶ୍ ପରିଚିତ। ପ୍ରକୃତିବନ୍ଧୁ ଉପାଧି ସହ ବିଭିନ୍ନ ସମ୍ମାନ ପାଇଛନ୍ତି। ଡ. ଶତପଥୀଙ୍କ ହାତରେ ତିଆରି କୃତ୍ରିମ ଜଂଗଲ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି।
ଅମ୍ବାଭୋନା ବ୍ଲକ୍ ବାରପାହାଡ଼ର ପାଦ ଦେଶରେ ରହିଛି ସନ୍ଥରା ଗାଁ। ଜନବସତି ସେଠାରେ ଅତି କମ୍। ଏହି ଗାଁକୁ ଲାଗି ୧୪ ଏକର ଜମି କିଣି ଏହାକୁ ଏକ ଘଞ୍ଚ ଜଂଗଲରେ ପରିଣତ କରିଛନ୍ତି ଡ. ଶତପଥୀ। ୧୯୯୮ ମସିହାରେ ସେ ଏଠାରେ ଜଂଗଲ ସୃଷ୍ଟି କରିବା ଆରମ୍ଭ କରିଥିଲେ। ବିଭିନ୍ନ ସ୍ଥାନରୁ ଆମ୍ବ, କରଞ୍ଜ, ଲିମ୍ବ ଏବଂ ଔଷଧୀୟ ଗଛର ଚାରା କିଣି ସେ ପୋତି ଚାଲିଲେ। ବିନା କୌଣସି ବ୍ୟକ୍ତିବିଶେଷ କିମ୍ବା ସଂସ୍ଥାର ସହାୟତାରେ ସେ ନିଜେ ଏହି କାର୍ଯ୍ୟ ଚଲାଇଥିଲେ। ଏବେ ଏହା ଏକ ସବୁଜ ଜଂଗଲରେ ପରିଣତ ହୋଇଥିବାବେଳେ ଏଠାରେ ବହୁ ପ୍ରଜାତିର ଜଂଗଲୀ ଜୀବଜନ୍ତୁ ଆସି ରହିବା ଆରମ୍ଭ କରିଛନ୍ତି। ମୟୂର, ଜଂଗଲି କୁକୁଡ଼ା, ବାର୍ହା, ହରିଣ, ସମ୍ବର ସମେତ ବିଭିନ୍ନ ବନ୍ୟଜନ୍ତୁ ଏଠାରେ ସ୍ଥାୟୀ ବସବାସ କରୁଛନ୍ତି। ବିରଳ ବଜ୍ରକାପ୍ତା ମଧ୍ୟ ଏଠାରେ ଦେଖିବାକୁ ମିଳୁଛି। ଆଖପାଖ ଗାଁଲୋକେ ଏଠାରେ ବଣଭୋଜି କରିବାକୁ ଆସୁଛନ୍ତି। ଏହି ଜଂଗଲ ତିଆରି କରି ଡ. ଶତପଥୀ କେବଳ ନିଜର ଏକ ସ୍ବପ୍ନକୁ ବାସ୍ତବ ରୂପ ଦେବାକୁ ଚେଷ୍ଟା କରିଛନ୍ତି। ତାଙ୍କର ଏଭଳି ପ୍ରଚେଷ୍ଟାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି। ଭବିଷ୍ୟତରେ ଏଠାରେ ଏକ ଗୁରୁକୁଳ ଆଶ୍ରମ ଖୋଲିବାକୁ ଡ. ଶତପଥୀ ଯୋଜନା ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/dolamani.jpg)