ବରଗଡ଼ : ମମିତା ମେହେର ହତ୍ୟାକାଣ୍ଡ ସହିତ ବରଗଡ଼ ହାଜତ ମୃତ୍ୟୁ ଘଟଣା। ଏହି ଦୁଇ ପ୍ରସଂଗ ନେଇ ବରଗଡ଼ ବିଭିନ୍ନ ସମୟରେ ଅଶାନ୍ତ ହେଉଛି। ୧୩ ତାରିଖ ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ ପୂର୍ବରୁ ପୁଣି ଏହି ଦୁଇଟି ପ୍ରସଂଗକୁ ନେଇ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ମମିତା ହତ୍ୟାକାଣ୍ଡ ମାମଲା ନେଇ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିଭିନ୍ନ ସ୍ଥାନରେ ବିରୋଧ କରି ଆସୁଥିବା ବିଜେପି ଯୁବମୋର୍ଚ୍ଚା ବରଗଡ଼ରେ ବିକ୍ଷୋଭ ପ୍ରଦର୍ଶନ କରିଛି। ବିକ୍ଷୋଭ ସମୟରେ ପୁଲିସ ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି।

Advertisment

ମୋର୍ଚ୍ଚ‌ାର ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ନେତୃତ୍ବରେ ବିଜେପି ଜିଲ୍ଲା ସଭାପତି ଅଶ୍ବିନୀ ଷଡ଼ଙ୍ଗୀ , ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅମିତ ପଣ୍ଡାଙ୍କ ସମେତ ଶତାଧିକ କର୍ମକର୍ତା ନିଶାମଣି ପଡ଼ିଆରୁ ଶୋଭାଯାତ୍ରାରେ ବାହାରିଥିଲେ। ଏସ୍‌ପି ଅଫିସ୍‌ ସମ୍ମୁଖରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ସେଠାରେ ମମିତା ହତ୍ୟାକାଣ୍ଡ ମାମଲାରେ ମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ବହିଷ୍କାର ଏବଂ ସିବିଆଇ ତଦନ୍ତ ଦାବି ହୋଇଥିଲା। ସେହିପରି ବରଗଡ଼ ହାଜତ ମୃତ୍ୟୁ ଘଟଣାକୁ ମାସେ ବିତି ଯାଇଥିଲେ ହେଁ ଦୋଷୀ ପୁଲିସ୍‌ ଅଧିକାରୀଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଏହି ମାମଲାକୁ ପାଣିଚିଆ କରିବାକୁ ପୁଲିସ୍‌ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିବା ସହ ଏସ୍‌ପି ଅଫିସ୍‌କୁ ଧସେଇ ପଶିବାକୁ ଉଦ୍ୟମ କରିଥିଲା। ସେଠାରେ ଥିବା ବ୍ୟାରିକେଡ୍‌କୁ ମଧ୍ୟ ଭାଂଗି ଦେଇଥିଲେ କର୍ମୀମାନେ। ସେଠାରେ ପୁଲିସ୍‌ ସହ ଧସ୍ତାଧସ୍ତି ହୋଇଥିଲା। ସ୍ଥିତି ବେକାବୁ ହେବାରୁ ଶତାଧିକ କର୍ମୀଙ୍କୁ ପୁଲିସ୍‌ ଉଠାଇ ନେଇଥିଲା। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଯୁବମୋର୍ଚ୍ଚାର ବିରୋଧ ପ୍ରଦର୍ଶନ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଅନ୍ୟପକ୍ଷରେ ଆନ୍ଦୋଳନ ଆହୁରି ତୀବ୍ରତର ହେବ ବୋଲି ମୋର୍ଚ୍ଚାର ରାଜ୍ୟ ସଭାପତି ଇରାଶିଷ ଚେତାବନୀ ଦେଇଛନ୍ତି।