ସୀମାନ୍ତରେ ଅନୁପ୍ରବେଶ ଚିନ୍ତା : ମୁଖ୍ୟ ରାସ୍ତା ସିଲ୍‌, ଗାଁ ରାସ୍ତା ହୁଗୁଳା

ରାତିରେ ମହାନଦୀ ଡେଉଁଛନ୍ତି ଛତିଶଗଡ଼ୀ

ବରଗଡ଼ : କରୋନା ଗ୍ରିନ୍‌ ଜୋନ୍‌ରେ ରହିଛି ବରଗଡ଼ ଜିଲ୍ଲା। କିନ୍ତୁ ଜିଲ୍ଲା ପ୍ରଶାସନ ‌ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ବେଳେ କିଛି ରିସ୍କ ନେବାକୁ ଚାହିଁନାହିଁ। ପ୍ରଥମ ପର୍ଯ୍ୟାୟ ଭଳି ଦ୍ବିତୀୟରେ ମଧ୍ୟ କଟକଣା ବଳବତ୍ତର ରହିଛି। କିନ୍ତୁ ଓଡ଼ିଶା ସୀମାନ୍ତ ଗାଁଗୁଡ଼ିକରେ ବିପଦ ରହିଛି। ପୂର୍ବରୁ ଏନେଇ ‘ସମ୍ବାଦ’ରେ ବିସ୍ତୃତ ଖବର ପ୍ରକାଶ ପାଇବା ପ‌େର ପ୍ରବେଶପଥ ଗୁଡ଼ିକରେ ସୁରକ୍ଷା ବଢ଼ାଇ ଦିଆଯାଇଛି। ସୋହେଲା ବ୍ଲକ୍‌ର ଲୁହୁରାଚଟି ଏବଂ ଗ୍ରିଞ୍ଜେଲ, ଅମ୍ବାଭୋନା ବ୍ଲକ୍‌ର ରୁଚିଦା ଏବଂ ଝାରବନ୍ଧ ବ୍ଲକ୍‌ର ଜଗଦଲପୁରଠ‌ାରେ ଛତିଶଗଡ଼ ସହ ସଂଯୋଗ କରୁଥିବା ରାସ୍ତାଗୁଡ଼ିକୁ ସଂପୂର୍ଣ୍ଣ ସିଲ୍‌ କରାଯାଇଛି। କିନ୍ତୁ ସୀମାନ୍ତରେ ଶହ ଶହ ଗଳାବାଟ ରହିଛି। କିଛି ଗାଁରେ ଗ୍ରାମବାସୀ ନି‌ଜେ ଲକ୍‌ଡାଉନ୍‌ କରିଥିବାରୁ ସ୍ଥିତି ସ୍ବାଭାବିକ ରହିଛି। ଏହା ସତ୍ତ୍ବେ ଆହୁରି ଅନେକ ରାସ୍ତା ହୁଗୁଳା ହୋଇ ପଡ଼ିଛି।

ସୋହେଲା ବ୍ଲକ୍‌ ଲୁହୁରାଚଟିଠାରେ ଓଡ଼ିଶା ପୁଲିସ୍‌ ଏବଂ ଗ୍ରିଞ୍ଜେଲ (ସୋହେଲା-ବରମକେଲା) ଠାରେ ଛତିଶଗଡ଼ ପୁଲିସ୍‌ ପହରା ରହିଛି। କିନ୍ତୁ ଲୁହୁରାଚଟି-ଲେଖାପଥର (ଛତିଶଗଡ଼), କୁଦୋପାଲି-ଡୁଂଗୁରିପାଲି (ଛତିଶଗଡ଼), ମାଛିମୋରା-ସାହାଜବାହାଲ (ଛତିଶଗଡ଼) ଏବଂ ଦାମପାଲି-ଡୁମେରପାଲି (ଛତିଶଗଡ଼)କୁ ସଂଯୋଗ କରୁଥିବା ରାସ୍ତା ସଂପୂର୍ଣ୍ଣ ମୁକୁଳା ରହିଛି। ଏହି ରାସ୍ତା ଦେଇ ଛତିଶଗଡ଼ରୁ ଯାତାୟାତ ଚାଲିଥିବା ଜଣାପଡ଼ିଛି। ସେହିପରି ଝାରବନ୍ଧର ଭଏଁସାଦର୍ହା, ନିଲିପତ୍ରା, ଲୋହାରସିଂହ, ବଡ଼ଅନିକି, ବଲାଂଗୀର, ଲଉଡ଼ିଦରା ଠାରେ ପୁଲିସ୍‌ ପହରା ଥିଲେ ହେଁ ଓଡ଼ିଶାକୁ ପଶିବାକୁ ବହୁ ଗଳାବାଟ ରହିଛି। ଜଗଦଲପୁର ଅଂଚଳରେ ଥିବା କିରାଲ ନଦୀ ହେଲା ଓଡ଼ିଶା-ଛତିଶଗଡ଼ ସୀମା। ନଦୀ ଲଂଘିଲେ ଛତିଶଗଡ଼। ଜଂଗଲ ଭିତରେ ଗୁଡ଼ାଏ ରାସ୍ତା ଛତିଶଗଡ଼କୁ ସଂଯୋଗ କରୁଛି। ଅମ୍ବାଭୋନା ବ୍ଳକ୍‌ରେ ରୁଚିଦା ଠା‌ରେ ପୁଲିସ୍‌ ପ୍ରବେଶପଥ ସିଲ୍‌ କରିଛି। ‌ତେ‌ବେ ଆହୁରି ‌ଅନେକ ରାସ୍ତାରେ ଉଭୟ ରାଜ୍ୟ ମଧ୍ୟରେ ଯାତାୟାତ ଜାରି ରହିଛି। ଭୈନାତୋରାରୁ ବେନିଆଁପାଲି-ବଡ଼ ସରାଇପାଲି ଦେଇ ଛତିଶଗଡ଼ ଲୁକାପରା, ବୋରଦା ଠେଙ୍ଗାଗୁଡ଼ି ଦେଇ ସରିଆକୁ ଭଲ ରାସ୍ତା ରହିଛି। ସେହିପରି କପାସିରା ପଞ୍ଚାୟତ ଅନ୍ତରାଡ଼ି ଦେଇ ଛତିଶଗଡ଼ର ରେବୋ, ମହୋଦି, ସଂକରାକୁ ରାସ୍ତା ସଂଯୋଗ ରହିଛି। ରୁଚିଦା ପଞ୍ଚାୟତ ବେହେରାପାଲି ଦେଇ ଛତିଶଗଡ଼ର ଖୟରଗଡ଼ି,ଜଡ଼ଗଡ଼, ଅମୁରା, ବରପାଲି ଏବଂ କୁମ୍ମୋ ଗ୍ରାମପଞ୍ଚାୟତ ସାନ ସରାଇପାଲି ଦେଇ ଛତିଶଗଡ଼ର କେନାଡ଼ିପା,ରିସୋଢା, କଣ୍ଠିପାଲି, ସରିଆ, ବରମକେଲାକୁ ସିଧା ରାସ୍ତା ଅଛି। ଏହାବାଦ କୁମ୍ମୋ ପଞ୍ଚାୟତ ଦେ‌ଇ ଛତିଶଗଡ଼ର କୁମ୍ମୋ ଗ୍ରାମପଞ୍ଚାୟତ କୁମ୍ମୋ ଗ୍ରାମ ଦେଇ ଛତିଶଗଡ଼ର ରିସୋଢା, କଣ୍ଠିପାଲି, ବରମକେଲାକୁ ରାସ୍ତା ରହିଛି। ଏସବୁ ରାସ୍ତାରେ ପୁଲିସ୍‌ ପାଟ୍ରୋଲିଂ ନଥିବାରୁ ଅନୁପ୍ରବେଶ ଆଶଂକା ବଢ଼ି ଚାଲିଛି।

ରାତିରେ ମହାନଦୀ ଡେଉଁଛନ୍ତି ଛତିଶଗଡ଼ୀ
ବରଗଡ଼/ଅମ୍ବାଭୋନା : ସଡ଼କ ପଥରେ ଛତିଶଗଡ଼ରୁ ଓଡ଼ିଶାକୁ ଅନୁପ୍ରବେଶ କମ୍‌ ରହିଛି। କାରଣ ପୁଲିସ୍‌ କିମ୍ବା ଗ୍ରାମବାସୀଙ୍କ ହାତରେ ଧରାପଡ଼ିବାର ଭୟ ରହିଛି। କିନ୍ତୁ ମହାନଦୀରେ ରାତିରେ ଛତିଶଗଡ଼ର ଲୋକେ ଓଡ଼ିଶା ପଶୁଛନ୍ତି। ଏଠାରୁ ବି ଲୋକେ ଡଂଗାରେ ଛତିଶଗଡ଼ର ବିଭିନ୍ନ ଗାଁକୁ ଯାଉଛନ୍ତି। ଚିଖିଲିର ମହୁଲପାଲି ଡଙ୍ଗା ଘାଟ, ଜରୀମୂଲିରୁ ତିଲଗି ଡଂଗାଘାଟ, କୁରୁମକେଲରୁ ସୁଆକାନୀ ଡଂଗାଘାଟ, ତାମଦେଇରୁ ପଲସଦା ଡଂଗାଘାଟ ଏବଂ ପଥରସେନୀରୁ ଶରଧାପାଲି ଡଂଗାଘାଟ ଦେଇ ଛତିଶଗଡ଼ର ରାୟଗଡ଼କୁ ଯାତ୍ରୀବାହୀ ଡଂଗା ଚାଲିଥାଏ। କିନ୍ତୁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ପରେ ଯାତ୍ରୀବାହୀ ଡଂଗା ବନ୍ଦ ରହିଛି। କିନ୍ତୁ ରାତିରେ ମାଛମରା ଡଂଗା ଦେଇ ଲୋକେ ଗଳି ଆସୁଛନ୍ତି। ଏହା ଉପ‌େର ତୀକ୍ଷ୍ଣ ନଜର ରଖିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର