ବରଗଡ଼ : ବାରମ୍ବାର ମରୁଡ଼ି, ରୋଗପୋକ ଯୋଗୁଁ ଜିଲ୍ଲାର ଚାଷୀ ଦୁର୍ଦ୍ଦଶା ମଧ୍ୟରେ ଗତି କରୁଛନ୍ତି। ଫସଲ ବୀମା ଚାଷୀର କଷ୍ଟ ଲାଘବ କରିବା ବଦଳରେ କଷ୍ଟ ଦୁଇ ଗୁଣା କରି ଦେଉଛି। ବୀମା ବିଭ୍ରାଟରେ ସନ୍ତୁଳି ହୋଇଥିବା ଚାଷୀ ଏବେ ପାରମ୍ପାରିକ କଟନି ଛଟନିର ଶିକାର ହେଉଛି। ଏଣେ କୋହଲା ପାଗ ଏବଂ ଅଦିନିଆ ବର୍ଷା ଚାଷୀଙ୍କ ନିଦ ହଜାଇ ଦେଇଛି।

Advertisment

ଶନିବାର ଦିନ ତମାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଛିଞ୍ଚିଛି। କୋହଲା ପାଗ ଲାଗି ରହିବାରୁ ଚାଷୀ ମହଲରେ ଆଶଂକା ଲାଗି ରହିଛି। ବର୍ଷା ଯୋଗୁଁ ଖଳାଗୁଡ଼ିକରେ ଧାନ ଭିଜିଛି। ଏଣେ ମଣ୍ଡି ଖୋଲିବାରେ ଆହୁରି ବିଳମ୍ବ ରହିଛି। ପାଖାପାଖି ୫୦ ପ୍ରତିଶତ ଧାନ କଟି ଏବେ ଖଳାରେ ପଡ଼ିଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କିଛି ଯୋଜନା ବି ପ୍ରସ୍ତୁତ ହୋଇନାହିଁ। ବର୍ଷା ଯୋଗୁଁ ଧାନର ଆର୍ଦ୍ରତା ଆହୁରି ବୃଦ୍ଧି ପାଇବ। ଫଳରେ କଟନି ଛଟନି ଯୋଗୁଁ ଚାଷୀମାନେ ଆହୁରି ଶୋଷଣର ଶିକାର ହେବା ନିଶ୍ଚିତ। ଏହି ଶୋଷଣର କର୍ତା ସାଜିଛନ୍ତି ମୁନାଫାଖୋର ମିଲର୍ସମାନେ। ଧାନବିକ୍ରି ପ୍ରକ୍ରିୟାରେ ଯେତେ ସ˚ସ୍କାର ଆଣିବାକୁ ସରକାର ଏବ˚ ପ୍ରଶାସନ ଚେଷ୍ଟା କଲେ ବି ମିଲର୍ସମାନେ ଏହାକୁ ଖାତିର କରୁନାହାନ୍ତି।

ଜିଲ୍ଲାର ଜଣାଶୁଣା ଚାଷୀଙ୍କୁ ବାଦ୍‌ ଦେଲେ ଅଗଣିତ ଚାଷୀ ମିଲର୍ସ ହାବୁଡ଼ରେ ପଡ଼ି ସ୍ବଳ୍ପ ଦରରେ ଧାନ ଟେକି ଦେଉଛନ୍ତି। କେହାଲା ପାଗ ଯୋଗୁଁ ଆର୍ଦ୍ରତା ବଢ଼ି ଯାଇଛି। ଫଳରେ ବିଭିନ୍ନ ୟାର୍ଡକୁ ଆସିବା ଅପେକ୍ଷାରେ ଥିବା ଧାନର ଏଫ୍‌ଏକ୍ୟୁ ମାନ ହାରାହରି ୨୦ ଉପରେ ରହିବା ନିଶ୍ଚିତ। ତେଣୁ କ୍ବିଣ୍ଟାଲ ପିଛା କିଲେ ଦୁଇ କିଲୋ ହିସାବରେ କଟ୍‌ନି ଛଟ୍‌ନି ନିଶ୍ଚିତ। ଧାନ ଶୁଖାଇବାକୁ କିଛି ବନ୍ଦୋବସ୍ତ ନଥିବାରୁ ଚାଷୀ ଚିନ୍ତାରେ ପଡ଼ିଛନ୍ତି। ରାସ୍ତା ଉପରେ ଧାନ ରଖିଲେ ବି ବର୍ଷାରୁ ନିସ୍ତାର ମିଳୁନି। ପୂର୍ବରୁ ଚାଷୀ ସଂଗଠନମାନେ ଏହି ଆଶଂକା ରଖି ନଭେମ୍ବର ପହିଲା ସପ୍ତାହରୁ ଧାନ ସଂଗ୍ରହ ଆରମ୍ଭ କରିବାକୁ ପ୍ରଶାସନ ପାଖରେ ଦାବି ରଖିଥିଲେ। କିନ୍ତୁ ଦୂରଦୃଷ୍ଟି ଅଭାବରୁ ପ୍ରଶାସନ ହାତ ଟେକି ଦେଇଛି। ଏଭଳି ସ୍ଥିତିରେ ଚାଷୀର ଦୁଃଖ ଆହୁରି ବଢ଼ିଛି।