ବରଗଡ଼ : ପଦ୍ମପୁର ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ପ୍ରାର୍ଥିଙ୍କ ନାମ ଘୋଷଣା କରି ସାରିଛନ୍ତି। ରାଜନୀତିକୁ ନେଇ ଉଷ୍ମତା ମଧ୍ୟ ବଢ଼ିସାରିଛି। ଏହି ପରିପ୍ରେକ୍ଷୀରେ ବିଗତ ନିର୍ବାଚନର ପରିସଂଖ୍ୟାନକୁ ନେଇ ଏବେ ରାଜନୈତିକ ବିଶେଷଜ୍ଞଙ୍କ ମଧ୍ୟରେ ଚର୍ଚ୍ଚାର ଆରମ୍ଭ ହୋଇଯାଇଛି। ବିଶେଷକରି, ଗତ ୩ଟି ନିର୍ବାଚନର ପରିସଂଖ୍ୟାନ ଉପରେ ସମସ୍ତଙ୍କ ଦୃଷ୍ଟିନିବଦ୍ଧ କରିଛନ୍ତି।
୨୦୦୯ ମସିହା ନିର୍ବାଚନରେ ବିଜୟ ହାସଲ କରିଥିଲେ ବିଜୟ ରଂଜନ ବରିହା। ସେହି ନିର୍ବାଚନରେ ୧,୫୩,୮୩୭ ଭୋଟର୍ ମତଦାନ କରିଥିଲେ। ସେଥିରୁ ୪୪.୧୫ ପ୍ରତିଶତ ଭୋଟ୍ ବିଜେଡି ପାଇଥିଲା। କିନ୍ତୁ, ୨୦୦୪ ନିର୍ବାଚନ ତୁଳନାରେ ଏହା ୪.୫୮ ପ୍ରତିଶତ କମ୍ ରହିଥିଲା। କଂଗ୍ରେସ ଦ୍ବିତୀୟ ସ୍ଥାନରେ ରହିଥିଲେ ହେଁ ୧୮.୮୬ ପ୍ରତିଶତ ଭୋଟ୍ ପୂର୍ବ ନିର୍ବାଚନ ତୁଳନାରେ କମ୍ ରହିଥିଲା। ତୃତୀୟ ସ୍ଥାନରେ ଥିବା ବିଜେପି ମାତ୍ର ୧୯.୨୮ ଭୋଟ୍ ପାଇଥିଲା। ୨୦୧୪ ମସିହା ନିର୍ବାଚନରେ ରାଜନୈତିକ ପଟ୍ଟ ପରିବର୍ତନ ଘଟିଥିଲା। ବିଜେପିର ଭୋଟ୍ ଅଚାନକ ୧୯ ପ୍ରତିଶତ ଉପରକୁ ବୃଦ୍ଧି ପାଇଥିଲା।
ଅପରପକ୍ଷେ, ପୂର୍ବବର୍ଷ ପୂର୍ବ ତୁଳନାରେ ବିଜେଡି ୭.୭୬ ପ୍ରତିଶତ ଭୋଟ୍ ହରାଇଥିଲା। ସେହିବର୍ଷ ୧,୭୭,୦୩୭ ଜଣ ଭୋଟର ମତଦାନ କରିଥିଲେ। ବିଜେପି ମାତ୍ର ୩୮.୯୪ ପ୍ରତିଶତ ଭୋଟ୍ ପାଇ ମଧ୍ୟ ବିଜୟ ହାସଲ କରିଥିଲା। ବିଜେପି ଏବଂ ବିଜେଡି ମଧ୍ୟରେ ମାତ୍ର ୪,୫୧୩ ଭୋଟ୍ର ଫରକ୍ ରହିଥିଲା। ୨୦୧୯ ମସିହା ନିର୍ବାଚନରେ ଏହି ଆସନକୁ ପୁଣି ବିଜେଡି ଅକ୍ତିଆର କରିଥିଲା। ସମୁଦାୟ ୨,୦୧,୭୨୯ଟି ଭୋଟ୍ରୁ ବିଜେଡି ମାତ୍ର ୪୧.୨୯ ଭୋଟ୍ ପାଇ ବିଜୟ ନିଶ୍ଚିତ କରିଥିଲା। ବିଜେପି ୩୮.୪୫ ପ୍ରତିଶତ ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲା। ବିଜେପି ପାଇଁ ଗୋଟିଏ ଆଶ୍ବସନା ଥିଲା ଯେ, ୨୦୧୪ ଏବଂ ୨୦୧୯ରେ ନିଜ ଭୋଟ୍ ପ୍ରତିଶତ ସମାନ ରହିଥିଲା। ଅର୍ଥାତ୍ ବିଜେପି ନିଜ ଭୋଟ୍ ବ୍ୟାଙ୍କ୍ ଦୁଇଟି ନିର୍ବାଚନ ହେଲା ସ୍ଥିର ରଖିଛି। ଉଭୟ ନିର୍ବାଚନରେ ପ୍ରାର୍ଥୀ ପ୍ରଦୀପ ପୁରୋହିତ ଥିଲେ। ତେଣୁ ଉପନିର୍ବାଚନରେ ଏହି ଭୋଟ୍ ବ୍ୟାଙ୍କ୍କୁ ସୁନିଶ୍ଚିତ କରିବା ସହ ତ୍ରୁଣମୂଳରୁ ଆହୁରି ଭୋଟ୍ ଆଦାୟ କରିବାକୁ ବିଜେପି ଚେଷ୍ଟା କରିବ ବୋଲି ଦଳୀୟ ନେତା କହିଛନ୍ତି। ସେହିଭଳି, ବିଜେଡି ଏହାର ମୁକାବିଲା କରିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/padmapur-vote.jpg)