ବରଗଡ଼ରେ ୨୦ରେ ଖୋଲିବ କୋଭିଡ୍‌ ହସ୍ପିଟାଲ

ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲା ଗସ୍ତ କରି ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ ଓ ଫାଇଭ୍‌ ଟି ସଚିବ

ବଲାଙ୍ଗୀର/ବରଗଡ଼/ସୋନପୁର : ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ବଲାଙ୍ଗୀର, ସୁବର୍ଣ୍ଣପୁର ଓ ବରଗଡ଼ ଜିଲ୍ଲା ଗସ୍ତ କରି ଏହି ତିନି ଜିଲ୍ଲାରେ କୋଭିଡ୍‌ ଡାକ୍ତରଖାନା ନିର୍ମାଣର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏଥିସହ ସଂପୃକ୍ତ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି। ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ବରଗଡ଼ କୋଭିଡ୍‌ ହସ୍ପିଟାଲ ଲୋକାର୍ପଣ କରିବେ ବୋଲି ଏହି ଗସ୍ତ ଅବସରରେ ସୂଚନା ମିଳିଛି।

ଶନିବାର ଏକ ସ୍ବତନ୍ତ୍ର ବିମାନରେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ତୁଷୁରା ଏୟାର୍‌ଷ୍ଟ୍ରିପ୍‌ରେ ଅବତରଣ କରିଥିଲେ। ସେଠାରୁ ଏକ ହେଲିକପ୍ଟରରେ ବଲାଙ୍ଗୀର ଆସି ଜେଆଇଟିଏମ୍‌ କଲେଜ ପରିସରରେ କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଥିଲେ। ପରେ ୨ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାର ୧୦ ଶଯ୍ୟାର ଆଇସିୟୁ ଓ ୧୦ ଶଯ୍ୟାର ଏଚ୍‌ଡିୟୁ ବ୍ୟବସ୍ଥାର ସ୍ଥିତି ଓ ପ୍ରସ୍ତୁତି ବିଷୟରେ ଜିଲ୍ଲାପାଳ, ସ୍ବାସ୍ଥ୍ୟ ବିଭାଗ ଓ କିମ୍‌ସର ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। କୋଭିଡ ଡାକ୍ତରଖାନା ପରିଦର୍ଶନ ବେଳେ କାର୍ଯ୍ୟରତ ଡାକ୍ତର, ପାରା ମେଡିକାଲ କର୍ମଚାରୀଙ୍କୁ ସାକ୍ଷାତ କରି ଉତ୍ସାହିତ କରିଥିଲେ। ଜିଲ୍ଲାପାଳ ଅରିନ୍ଦମ ଡାକୁଆ, ଏସ୍‌ପି ମଡ଼କର ସନ୍ଦୀପ ସମ୍ପତ ଓ ଅନ୍ୟ ଅଧିକାରୀଙ୍କ ସହ କରୋନା ମୁକାବିଲା ପାଇଁ ଜିଲ୍ଲାରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ। ଏହି ପରିଦର୍ଶନ ସମୟରେ ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ଜିଲ୍ଲାପାଳ, ଏସ୍‌ପିଙ୍କ ସହ ଭୀମଭୋଇ ମେଡିକାଲ କଲେଜର ଡିନ୍‌ ଡା. ଲଳିତ ମେହେର, ସିଡିଏମ୍‌ଓ ଡା. ନାରାୟଣ ଥନାପତି, ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ଅଧୀକ୍ଷକ ଡା. ମହେନ୍ଦ୍ର ନାୟକ, କିମ୍‌ସର କୋଭିଡ ନୋଡାଲ ଅଧିକାରୀ ଦିଲୀପ ପଣ୍ଡା, ବଲାଙ୍ଗୀର କୋଭିଡ ଡାକ୍ତରଖାନାର ଡା. ଅଭିନାଶ ନାୟକଙ୍କ ସହ ବଲାଙ୍ଗୀର କୋଭିଡ ଡାକ୍ତରଖାନାର ଡାକ୍ତର ଓ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ଏହାପରେ ଦୁଇ ସଚିବ ସୋନପୁରରେ ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହ ସମୀକ୍ଷା କରିଥିଲେ। ଜିଲ୍ଲାପାଳ ମୋନୀଷା ବାନାର୍ଜୀ, ଉତ୍ତରାଞ୍ଚଳ ଡିଆଇଜି ହିମାଂଶୁ ଲାଲ, ଏସ୍‌ପି ଦେବୀପ୍ରସାଦ ଦାଶ, ସିଡିଏମଓ ଡା.ଦିଲ୍ଲୀପ ପଣ୍ତା, କୋଭିଡ୍ ସ୍ବାସ୍ଥ୍ୟ କେନ୍ଦ୍ରର ପ୍ରାଧିକୃତ ଚିକିତ୍ସା ଅଧିକାରୀ ଡା. ପ୍ରଦୀପ ଗୁରୁ ପ୍ରମୁଖ ଉପସ୍ଥିତ ଥିଲେ।

ଏହାପରେ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ଏବଂ ୫-ଟି ସଚିବ ଭିକେ ପାଣ୍ଡିଆନ୍‌ ବରଗଡ଼ ସହର ଉପକଣ୍ଠସ୍ଥ ଟୁକୁର୍ଲାସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ସେଠାରେ କାର୍ଯ୍ୟକ୍ଷମ ହେବାକୁ ଥିବା ଶହେ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ବୁଲି ଦେଖିଥିଲେ। ଏହି ହସ୍ପିଟାଲର ପରିଚାଳନା ଏବଂ ଭିତ୍ତିଭୂମି ବିକାଶ ଦାୟିତ୍ବ ବିକାଶ ମଲ୍‌ଟି ସ୍ପେସାଲିଟି ହସ୍ପିଟାଲ ମୁଣ୍ଡାଇଛି। ବିକାଶ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଡି. ମୂରଲୀ କ୍ରିଷ୍ଣାଙ୍କ ସହିତ ମଧ୍ୟ ଉଭୟ ସଚିବ ଆଲୋଚନା କରିଥିଲେ। ସଂକ୍ଷିପ୍ତ ଗସ୍ତ ପରେ ଉଭୟ ସଚିବ ଅସ୍ଥାୟୀ ହେଲିପେଡ୍‌ରୁ ହେଲିକପ୍ଟରରେ ଫେରି ଯାଇଥିଲେ। ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ, ସିଡିଏମ୍‌ଓ ଡା. ବିଭୂତି ଭୁଷଣ ମେହେରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଏବଂ ଚିକିତ୍ସାଧିକାରୀ ଉପସ୍ଥିତ ଥିଲେ। ଆସନ୍ତା ୨୦ ତାରିଖ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ହସ୍ପିଟାଲ ଲୋକାର୍ପଣ କରିବେ। ଅନ୍ୟପକ୍ଷରେ ହସ୍ପିଟାଲ ନିକଟସ୍ଥ ସରକାରୀ ପଲିଟେକ୍‌ନିକ୍ କଲେଜ୍‌ରେ ଶହେ ଶଯ୍ୟା ବିଶିଷ୍ଟ କେୟାର ୟୁନିଟ୍‌ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଏବଂ ଶିଶୁ ଚିକିତ୍ସା କେନ୍ଦ୍ରକୁ କୋଭିଡ୍‌ ହସ୍ପିଟାଲ ଭାବେ ପ୍ରସ୍ତୁତ କରାଯାଇଛି। ମାତୃ ଏବଂ ଶିଶୁ ଚିକିତ୍ସା କେନ୍ଦ୍ର ୧୨୫ ଶଯ୍ୟା ବିଶିଷ୍ଟ। ଏହାକୁ କାର୍ଯ୍ୟକ୍ଷମ କରିବା ପୂର୍ବରୁ ଅସ୍ଥାୟୀ ଭାବେ ଏଠାରେ କୋଭିଡ୍‌-୧୯ ହସ୍ପିଟାଲ କାମ କରିବ। ଏଠାରେ ବର୍ତମାନ ଯାଏ ୧୦୦ଟି ଶଯ୍ୟା ଉପଲବ୍ଧ ରହିଛି। ଯାହା ଆବଶ୍ୟକତା ଦୃଷ୍ଟିରୁ ପରେ ବଢ଼ାଯିବ। ହସ୍ପିଟାଲରେ ୮ଟି ଆଇସିୟୁ ୟୁନିଟ୍‌ ବ୍ୟବସ୍ଥା ରହିବ। ଏଠାରେ ମାଇକ୍ରୋ ବାୟୋଲୋଜି ଲାବ୍‌ ଏବଂ କର୍ମଚାରୀ ରହିବେ। ଫଳରେ କରୋନା ସନ୍ଦିଗ୍ଧଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇପାରିବ। କରୋନା ରୋଗୀଙ୍କୁ ମଧ୍ୟ ଏଠାରେ ପ୍ରାରମ୍ଭିକ ଉପଚାର କରାଯାଇପାରିବ।

ସମ୍ବନ୍ଧିତ ଖବର