ବରଗଡ଼ : ଆସନ୍ତା ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା ପାଇଁ କଂସ, ମନ୍ତ୍ରୀ, ସେନାପତି ସମେତ ଆଉ କିଛି ମୁଖ୍ୟ ଚରିତ୍ର ସକାଶେ କଳାକାର ଚୟନ ହେବ। ଏ ନେଇ କଳାକାର ସମନ୍ବୟ ସମିତି ସୋମବାର ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି। ଫଳରେ କଳାକାର ଚୟନକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅବସାନ ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ୨ତାରିଖରେ ଧନୁଯାତ୍ରା ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ବସିଥିଲା। ସେଠାରେ କେତେକ କଳାକାର ଦୁର୍ବଳ ଅଭିନୟ ପ୍ରଦର୍ଶନ କରୁଥିବା ନେଇ ଆଲୋଚନା ହୋଇଥିଲା। ତେଣୁ କଂସ ସମେତ ମୁଖ୍ୟ ଚରିତ୍ର ଚୟନ କରିବା ପାଇଁ ସ୍ଥିର ହୋଇଥିଲା। କିନ୍ତୁ ଏ ନେଇ ଆଜି କଳାକାର ସମନ୍ବୟ ସମିତି ଚୂଡ଼ାନ୍ତ ନିଷ୍ପତ୍ତି ନେଇଛି। ସୂଚନା ମୁତାବକ, ଚୟନରେ ଭାଗ ନେବାକୁ ଥିବା କଳାକାରମାନେ ଆସନ୍ତା ୧୬ ତାରିଖ ସଂଧ୍ୟା ସୁଦ୍ଧା ଆବେଦନ କରିବେ। ୨୦ରୁ ୨୫ ତାରିଖ ମଧ୍ୟରେ ସମସ୍ତ ଚୟନ ପ୍ରକ୍ରିୟା ସରିବ। ଏ ନେଇ ବିଜ୍ଞାପନ ପ୍ରକାଶ କରିବାକୁ ମଧ୍ୟ ବୈଠକରେ ସ୍ଥିର ହୋଇଛି। ଏଡିଏମ୍ ମିର୍ଦ୍ଧା ଟପ୍ପୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଧନୁଯାତ୍ରା ମହୋତ୍ସବ କମିଟି ଆବାହକ ସୁରେଶ୍ବର ଶତପଥୀ, କଳାକାର ସମନ୍ବୟ ସମିତିର ଅଶୋକ ବେହେରା, ନକୁଳ ବାଦୀ, ହରିହର ମିଶ୍ର, ଭୁବନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
ଅନ୍ୟପକ୍ଷରେ ଉପଜିଲ୍ଲାପାଳ ପ୍ରଭାସ ଡନ୍ସେନାଙ୍କ ଅଧ୍ୟକ୍ଷତାରେ ଗୋପପୁର କମିଟି କର୍ମକର୍ତାଙ୍କ ବୈଠକ ବସିଛି। ଗୋପପୁରରୁ କୃଷ୍ଣ, ବଳରାମ ଏବଂ ଅନ୍ୟ ଚରିତ୍ର ପାଇଁ ନୂଆ କଳାକାର ଚୟନ ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ତେବେ ଏହି ନିଷ୍ପତ୍ତି ଆଗାମୀ ବୈଠକରେ ହେବ। ଏଥର ଜୀରା ନଦୀ କୂଳରେ ମଂଚ କରାଯିବ। ଅଭିନୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଆକର୍ଷଣୀୟ କରିବାକୁ ସ୍ଥିର ହୋଇଛି। ବୈଠକରେ କୃଷ୍ଣଚନ୍ଦ୍ର ମହାପାତ୍ର, ପଦ୍ମଲୋଚନ ମଲ୍ଲିକ, ନାରାୟଣ ଭୋଇ, ମୀନକେତନ ଭୋଇ, ରବୀନ୍ଦ୍ର ରଂଜନ ପୂଜାରୀ, ଦୟାନିଧି ପଧାନ, ଈଶ୍ବର ବାଗ, ସୁନୀଲ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।