ଦିନକ ପରେ ଧନୁଯାତ୍ରା : ଏଥର ଲାଲ୍‌ମହଲରେ କଂସ ରାଜୁତି

ବରଗଡ଼ : ଦିନକ ପରେ ଆରମ୍ଭ ହେବ ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ସବୁ ‌କ୍ଷେତ୍ରରେ ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି। କଳାକାର, ଆୟୋଜକମାନେ ସଫଳ ଯାତ୍ରା ପାଇଁ ଉଦ୍ୟମ ଚଳାଇଛନ୍ତି। ନିଖୁଣ ଅଭିନୟ ପାଇଁ ୧୩ ଦିନ ଧରି ଚାଲିଥିବା ଆଖଡ଼ାଶାଳ ଫାଙ୍କା ହୋଇଛି। କଳାକାରମାନେ ଏବେ ଖୋଲା ରଂଗମଂଚରେ ନିଜ ଅଭିନୟ ଦେଖାଇବେ।

ଗତ ୧୭ ତାରିଖକୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ କଂସ ମହାରାଜଙ୍କ ସମେତ ଅନ୍ୟ ଚରିତ୍ରମାନେ ଆଖଡ଼ାରେ ଯୋଗ ଦେଇ ପ୍ରସ୍ତୁତି ଚଳାଇଥିଲେ। ଠିକ୍‌ ସେହିପରି ଅମ୍ବାପାଲିଠାରେ କୃଷ୍ଣ-ବଳରାମ, ଗୋପୀ-ଗୋପାଙ୍ଗନାମାନେ ଆଖଡ଼ାରେ ସାମିଲଥିଲେ। କଳାକାରମାନଙ୍କ ପୋଷାକପତ୍ର ପ୍ରସ୍ତୁତ ହୋଇ ସାରିଲାଣି। ବରଗଡ଼ରେ ଉଭୟ ରଂଗମହଲ ଏବଂ ଦରବାର ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଂଚିଛି। ହାଟପଦା ପଡ଼ାଠାରେ ଏମ୍‌ଏମ୍‌ ଇଭେଣ୍ଟସ୍‌ ଦରବାର ତିଆରି ଦାୟିତ୍ବ ମୁଣ୍ଡାଇଛନ୍ତି। ଏହାବାଦ୍‌ ମୁଖ୍ୟ ତୋରଣ ମଧ୍ୟ ଏହି ସଂସ୍ଥା ତିଆରି କରୁଛି। ଏଥର ଦରବାରକୁ ଲାଲ୍‌ ମହଲ୍‌ର ରୂପ ଦିଆଯାଇଛି। ‌ଅର୍ଥାତ୍‌ ଲାଲ୍‌ ମହଲରେ ମହାରାଜା କଂସଙ୍କ ରାଜୁତି ଚାଲିବ। ମୁଖ୍ୟ ତୋରଣକୁ ମଧ୍ୟ ସେହି ହିସାବରେ ପ୍ରସ୍ତୁତ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ତୋରଣ ଏବଂ ଆଲୋକ ସାଜସଜ୍ଜା ସରି ଯାଇଛି। ନିଶାମଣି ପଡ଼ିଆରେ ରଂଗମହଲ ମଧ୍ୟ ପାଖାପାଖି ପ୍ରସ୍ତୁତ ହୋଇସାରିଲାଣି। ଜର୍ଜ ହାଇସ୍କୁଲ ପଡ଼ିଆରେ ମିନାବଜାର ପଡ଼ିଲାଣି। ଷ୍ଟଲ୍‌ଗୁଡ଼ିକ ମଧ୍ୟ ମୁଣ୍ଡ ଟେକିଛି। ସହରକୁ ବାହାର ରାଜ୍ୟରୁ ବ୍ୟବସାୟୀମାନେ ଆସିବା ଆରମ୍ଭ କଲେଣି। ଯାତ୍ରା ଦେଖିବା ପାଇଁ ଅତିଥିମାନେ ଠୁଳ ହେଲେଣି। ବର୍ତମାନ ଛୁଟି ଥିବାରୁ ପ୍ରଥମ ଦିନରୁ (୩୧ତାରିଖରୁ) ହିଁ ଭିଡ଼ ଜମିବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର