ବରଗଡ଼ ଧନୁଯାତ୍ରା: ‘ରଂଗମହଲ ଉଦ୍‌ଘାଟିତ, ବନ୍ଦୀଶାଳାରେ ଜନ୍ମ ହେଲେ କୃଷ୍ଣ

ମଥୁରାନଗରୀ : ମଥୁରାନଗରୀରେ ମହାରାଜ କଂସଙ୍କ ଆଧିପତ୍ୟ ବଢ଼ି ଚାଲିଛି। କଂସଙ୍କ ନଗର ପରିଭ୍ରମଣ ବେଳେ ଦଣ୍ଡବିଧାନ ଏବଂ ଅଟ୍ଟହାସ୍ୟରେ କମ୍ପିଥିଲା ମଥୁରାନଗରୀ। ଅନ୍ୟପଟେ ଶ୍ରୀକୃଷ୍ଣ ଜନ୍ମ, ନବଜାତ କୃଷ୍ଣଙ୍କୁ ନେଇ ବସୁଦେବଙ୍କ ଗୋପପୁର ଯାତ୍ରା, ବସୁଦେବ ଓ ଉଗ୍ରସେନଙ୍କ ଭେଟ, ବିଶ୍ୱରୂପ ଦର୍ଶନ, ଗୋପରେ ନନ୍ଦରାଜାଙ୍କ ଘରେ କୃଷ୍ଣଙ୍କୁ ରଖି ବିଜୁଳି କନ୍ୟାକୁ ସାଥୀରେ ନେଇ ବସୁଦେବଙ୍କ ମଥୁରା କାରାଗାରକୁ ପ୍ରତ୍ୟାବର୍ତ୍ତନ ଥିଲା ଦ୍ୱିତୀୟ ଦିବସର ଘଟଣାବଳୀ।

ଏହା ପୂର୍ବରୁ ଉଦ୍‌ଘାଟିତ ହୋଇଥିଲା ‘ରଂଗମହଲ’। ଏଥିରେ ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ଧନୁଯାତ୍ରା ଆୟୋଜନ ସମିତିର ଆବାହକ  ସୁରେଶ୍ୱର  ଶତପଥୀ, ରଂଗମହଲ ଆବାହକ ଶ୍ୟାମସୁନ୍ଦର ଅଦାବର ପ୍ରମୁଖ ଯୋଗ ଦେଇଥିଲେ। ଏହାପରେ ରଂଗମହଲରେ ଅନୁଷ୍ଠିତ ନୃତ୍ୟଗୀତରେ ମସଗୁଲ ହୋଇଥିଲେ ମହାରାଜ କଂସ ତଥାପି ମନରେ ବାରମ୍ବାର ଆନ୍ଦୋଳିତ ହେଉଥାଏ ସେହି ଦୈବୀବାଣୀ। ଏହା ପରେ ରାଜଦରବାରରେ ଜଣକ ପରେ ଜଣେ ସୈନ୍ୟ ସେନାପତି ନିଜର ପରାକ୍ରମ ସମ୍ପର୍କରେ ନିଜ ମୁଖରେ କହି କଂସଙ୍କୁ ନିଶ୍ଚିନ୍ତ ରହିବାକୁ କହିଛନ୍ତି। ମହାରାଜ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରି ପୁଣି ଚିତ୍ତବିନୋଦନରେ ମଜ୍ଜି ଯାଇଛନ୍ତି।

ଇତିମଧ୍ୟରେ ଦେବକୀଙ୍କ ଅଷ୍ଟମ ଗର୍ଭରୁ ଜନ୍ମ ହୋଇଛନ୍ତି ଶ୍ରୀକୃଷ୍ଣ।  ଅପଣା ଛାଏଁ ଖୋଲି ଯାଇଛି କାରାଗାରର ଫାଟକ। ଫିଟିଯାଇଛି ଦେବକୀ ଓ ବସୁଦେବଙ୍କ ଶରୀରରେ ଲାଗିଥିବା ଶିକୁଳି। ନବଜାତ ଶିଶୁକୁ ବସୁଦେବ ଟୋକେଇରେ ମୁଣ୍ଡେଇ  ଗଲେ ଗୋପପୁରକୁ। ହେଲେ ବାଟରେ ରାଜ୍ୟର ସୀମାନ୍ତରେ ପହରା ଦେଉଥିବା ଶ୍ୱଶୁର ଉଗ୍ରସେନଙ୍କ ତାଙ୍କ ବାଟ ଓଗାଳିଛନ୍ତି। ଏହି ସମୟରେ ଘଟିଛି ଏକ ଅଲୌକିକ ଘଟଣା। କୃଷ୍ଣଙ୍କ ବିଶ୍ୱରୂପ ଦର୍ଶନ କରି ଅଭିଭୂତ ହୋଇଛନ୍ତି ବାପା ବସୁଦେବ ଓ ଅଜା ଉଗ୍ରସେନ। ଗୋପପୁର ଯିବା ବାଟରେ ପ୍ରବଳ ବର୍ଷାରେ ପୂର୍ଣ୍ଣଗର୍ଭା ଯମୁନା ନଦୀ କୃଷ୍ଣଙ୍କ ମାୟାରେ ଦୁଇ ଭାଗ ହୋଇଥିଲା। କୃଷ୍ଣଙ୍କୁ ଗୋପପୁରର ନନ୍ଦରାଜାଙ୍କ ଘରେ ଛାଡ଼ି ବିଜୁଳି କନ୍ୟାଙ୍କୁ ନେଇ ବସୁଦେବ ପୁଣି ଫେରିଆସିଲେ ମଥୁରାର ବନ୍ଦୀଶାଳାକୁ। ସେହିପରି ଗୋପପୁରରେ ସନ୍ଧ୍ୟା ଆଳତି, ଶ୍ରୀକୃଷ୍ଣଙ୍କୁ ଧରି ଗୋପପୁର ପ୍ରବେଶ, ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ରଖି ବିଜୁଳି କନ୍ୟା ସହ ମଥୁରା କାରଗାର ଅଭିମୁଖେ ପ୍ରତ୍ୟାବର୍ତ୍ତନ ଦୃଶ୍ୟ ଅଭିନୀତ ହୋଇଥିଲା।

ସମ୍ବନ୍ଧିତ ଖବର