ମଥୁରା କୃଷ୍ଣମୟ : ସୁଦାମା ସହ ଭେଟ, କୁବୁଜା ଉଦ୍ଧାର

ମଥୁରାନଗର : ଗୋପପୁରରୁ ମେଲାଣି ନେଇ କୃଷ୍ଣବଳରାମଙ୍କୁ ସାଙ୍ଗରେ ନେଇ ଅକ୍ରୂର ମଥୁରାରେ ପହଞ୍ଚିଛନ୍ତି। ସେପଟେ କୃଷ୍ଣ ବଳରାମଙ୍କ ବିନା ଗୋପଦାଣ୍ଡ ଖାଁ ଖାଁ ଲାଗୁଛି। ବେନି ଭାଇଙ୍କୁ ଝୁରି ହେଉଛନ୍ତି ଗୋପାଳ ଗୋପାଙ୍ଗନା ମାନେ।

ସେପଟେ ଅକ୍ରୂରଙ୍କ ସହ ରଥାରୁଢ଼ ହୋଇ କୃଷ୍ଣବଳରାମ ମଥୁରା ଭ୍ରମଣ କରିଥିଲେ। ନଗର ଭ୍ରମଣ ସମୟରେ ମହାରାଜ କଂସଙ୍କ ରଜକକୁ କାନ୍ଧରେ ଉଜ୍ଜଳ ବସନ ନେଇ ଯାଉଥିବା ଦେଖି ଦୁଇ ଭାଇ ଏହି ବସ୍ତ୍ର ଦେବାକୁ ଅଳି କରିଥିଲେ। ମାତ୍ର ରଜକ ଏଥିରେ ରାଜି ହୋଇନଥିଲା। କୃଷ୍ଣ ଶେଷରେ ଗୁହାରି କରିଥିଲେ ହେଁ ସେ ସେଠାରୁ ଚାଲିଯାଉଥିବା ବେଳେ ଗୋପାଳମାନେ ତାଙ୍କ ଠାରୁ ଛଡ଼ାଇ ଆଣିବାକୁ ଉଦ୍ୟତ ହେଉଥିଲେ। ରଜକର ଏଭଳି ମନ୍ତବ୍ୟ ଶୁଣି କୃଷ୍ଣ କ୍ରୋଧାନ୍ଵିତ ବାମ ହାତରେ ଏକ ଚାପୁଡ଼ା ମାରିବାରୁ ରଜକର ମୃତ୍ୟୁ ହୋଇଛି। ଏହାପରେ କୃଷ୍ଣ ଓ ଗୋପାଳମାନେ ଲୁଗା ପିନ୍ଧିଥିଲେ। ନଗର ଭ୍ରମଣ ସମୟରେ ସୁଦାମା କୃଷ୍ଣବଳରାମଙ୍କ ଚରଣ ଧୋଇ କୃଷ୍ଣପ୍ରେମରେ ଗଦ୍‌ଗଦ୍‌ ହୋଇ ଉଠିଥିଲେ। ନଗର ପରିକ୍ରମା ବେଳେ କାଳିମନ୍ଦିରରେ କୁବୁଜା ସହିତ ସେମାନଙ୍କର ସାକ୍ଷାତ ହୋଇଥିଲା। ଶ୍ରୀକୃଷ୍ଣ ପ୍ରୀତ ହୋଇ ସାଉଁଳି ଦେବାରୁ କୁବୁଜାର ଅସୁନ୍ଦର ଶରୀର ସୁନ୍ଦର ହୋଇଯାଇଥିଲା।

ଅପରପକ୍ଷରେ ଆଜି ମଧ୍ୟ ମହରାଜ କଂସ ମଥୁରାନଗର ପରିକ୍ରମା କରିବା ସହିତ ଦିଗବିଜୟରେ ବାହାରିଥିଲେ। କୃଷ୍ଣବଳରାମଙ୍କୁ ମଥୁରାରେ ଘରେ ଘରେ ପୂଜାର୍ଚ୍ଚନା କରାଯାଉଥିବା ସୂଚନା ପାଇ ମହରାଜ କ୍ରୋଧାନ୍ଵିତ ହୋଇଛନ୍ତି। ଧନୁଯାତ୍ରା ଆୟୋଜନର ତାଙ୍କର ଅସଲ ଉଦ୍ଦେଶ୍ୟ ସାଧିତ ହେବାକୁ ଯାଉଛି ବୋଲି ମଧ୍ୟ ମହାରାଜ ଆନନ୍ଦିତ ହୋଇଛନ୍ତି। ହେଲେ ମନରେ ଭୟର ରାଜୁତି। ବେଳେ ବେଳେ ତାଙ୍କର ତନୁମନ ଦୁର୍ବଳ ହୋଇଯାଉଛି। ମାତ୍ର ଉପସ୍ଥିତ ପାତ୍ରମନ୍ତ୍ରୀ ଦମ୍ଭ ଦେବାରୁ ମହାରାଜ ପୁଣି ଗର୍ଜି ଉଠିଛନ୍ତି। ହାଲୁକା କରିବା ସକାଶେ ଆୟୋଜିତ ହୋଇଛି ନୃତ୍ୟ ଗୀତର ଆସର।

ସମ୍ବନ୍ଧିତ ଖବର