ବରଗଡ଼ : ତିନୋଟି ବୁଥ୍‌ରେ ସାନି ନିର୍ବାଚନ ସହ ବରଗଡ଼ ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଶେଷ ହୋଇଛି। ପ୍ରାର୍ଥୀମାନେ ନିଜ ସମ୍ଭାବ୍ୟ ଭୋଟ୍‌ ବ୍ୟାଙ୍କକୁ ନେଇ ହିସାବ କିତାବ ଲଗାଉଛନ୍ତି। ବୁଥୱାରି ଏହି ଅଣଆନୁଷ୍ଠାନିକ ସର୍ଭେ ଚଳାଇଛନ୍ତି। ପୂର୍ବରୁ ପ୍ରାର୍ଥୀମାନେ ନିଜ ଜୟ-ପରାଜୟର ପାଖାପାଖି ସଠିକ୍‌ ବ୍ୟବଧାନ ଆକଳନ କରି ପାରୁଥିଲେ। ହେଲେ ଏଥର ଏହି ହିସାବ ଗଡ଼ବଡ଼ ମାରୁଛି। ଜିଲ୍ଲାର ପ୍ରାୟ ସମସ୍ତ ନିର୍ବାଚନମଣ୍ଡଳୀରେ ସମାନ ଅବସ୍ଥା। ପ୍ରାର୍ଥୀମାନେ ଏଯାଏଁ ଦ୍ବନ୍ଦ୍ବ ଭିତରେ ଛନ୍ଦି ହୋଇଛନ୍ତି। ମୁହଁରେ ବିଜୟର ତେଜ ଥିବାବେଳେ ହୃଦୟ ଭିତରେ ଆସନ୍ନ ପରାଜୟର ଭୟ ଲୁଚି ରହିଛି। ଜିଲ୍ଲାରେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ କମ୍‌ ମତଦାନ ହୋଇଛି। ଶିକ୍ଷିତ ଲୋକେ ଭୋଟ୍‌ଦାନରୁ ଦୂରେଇ ରହିବା ନିଶ୍ଚିତ ଭାବେ ଚିନ୍ତାର ବିଷୟ। ଗ୍ରାଉଣ୍ଡ ଜିରୋ ରିପୋର୍ଟ ଅନୁସାରେ, ଅଧିକାଂଶ ଭୋଟର୍‌ ପ୍ରାର୍ଥୀଙ୍କ ମୁହଁ ବଦଳରେ ଦଳୀୟ ଚିହ୍ନକୁ ପ୍ରାଥମିକତା ଦେଇଛନ୍ତି। ପ୍ରାର୍ଥୀଙ୍କ ଭାବମୂର୍ତ୍ତିକୁ ନଜରଅନ୍ଦାଜ କରି କେଉଁ ଦଳ ନିଜ କ୍ଷମତା ବଳରେ ବିଭିନ୍ନ ସଫଳ ଯୋଜନା କରିଛି, ତାକୁ ଭୋଟର୍‌ ଅଗ୍ରାଧିକାର ଦେଇଛନ୍ତି। ଏହାବାଦ ଦଳଗୁଡ଼ିକ ପକ୍ଷରୁ ଦିଆଯାଇଥିବା ନିର୍ବାଚନୀ ପ୍ରତିଶ୍ରୁତି ମଧ୍ୟ ଭୋଟର୍‌ଙ୍କୁ ପ୍ରଭାବିତ କରିଛି। ଭୋଟର୍‌ଙ୍କ ତରାଜୁରେ ପ୍ରାର୍ଥୀଙ୍କ ଭାବମୂର୍ତ୍ତି ଉପରେ ଦଳୀୟ ଚିହ୍ନ ଭାରି ରହିଥିବା ଜଣାପଡ଼ୁଛି। ସେହିପରି ନିର୍ବାଚନମଣ୍ଡଳୀରେ ଅନ୍ତଃସ୍ରୋତ କେଉଁ ପଟକୁ ଯାଇଛି, ତାହା ଏଯାଏଁ ଠଉରାଇ ହୋଇ ନାହିଁ। ବିଜେଡିକୁ ‘ବ୍ରାଣ୍ଡ ନବୀନ ପଟ୍ଟନାୟକ’, ବିଜେପିକୁ ‘ମୋଦୀ ଲହର’ ଏବଂ କଂଗ୍ରେସକୁ ‘ଛତିଶଗଡ଼ ସ୍ରୋତ’ ଭରସା। ଭଟଲି ବ୍ୟତୀତ ଅନ୍ୟ ସମସ୍ତ ନିର୍ବାଚନମଣ୍ଡଳୀରେ ଖୋଦ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଂଗ ଧରିଥିଲେ। ବରଗଡ଼ଠାରେ ବିଜେପିର ଅନ୍ୟତମ ବ୍ରାଣ୍ଡ ଅମିତ ଶାହ ନିର୍ବାଚନ ସଭା କରିଥିଲେ। କଂଗ୍ରେସ ପାଇଁ ପୂର୍ବରୁ ରାହୁଲ ଗାନ୍ଧି ସରସରଠାରେ ସମାବେଶ କରି ଫେରି ଯାଇଥିଲେ। ତେଣୁ ସମସ୍ତ ଦଳ ଜିଲ୍ଲାରେ ନିଜର ସର୍ବୋକୃଷ୍ଟ ଷ୍ଟାର୍‌ ପ୍ରଚାରକଙ୍କୁ ବ୍ୟବହାର କରିଥିଲେ। ଦଳୀୟ ଏଜେଣ୍ଡାକୁ ଏହି ‌ଷ୍ଟାର୍‌ ପ୍ରଚାରକମାନେ ଭୋଟର୍‌ଙ୍କ ସାମନାରେ ପରଷି ଥିଲେ। ଏହି ଏଜେଣ୍ଡା ଆଧାରରେ ହିଁ ଭୋଟର୍ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅର୍ଥାତ ଯେଉଁ ଦଳ ଯେତିକି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ଦେଇଛି, ସେହି ଦଳ ସେତିକି ସହଜ ସ୍ଥିତିରେ ପହଂଚିଥିବା କୁହାଯାଉଛି। ତେବେ ଆସନ୍ତା ୨୩ ତାରିଖ ହିଁ ଏସବୁ ଦ୍ବନ୍ଦ୍ବ ଉପରୁ ପରଦା ଉଠିବ।