ମହାପ୍ରଭୁଙ୍କ ଦର୍ଶନ କରି କ୍ଷମା ମାଗିଲେ କଂସ

ପୁରୀ :‌ ମଥୁରା ନରେଶ ପ୍ରବଳ ପ୍ରତାପୀ କଂସ ମଞ୍ଚାରୁ ପଡ଼ି ମୃତ୍ୟୁବରଣ କରିବା ସହ ୧୧ ଦିନ ବ୍ୟାପୀ ଚାଲିଥିବା ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା ଶେଷ ହୋଇଛି। ଏହା ପରେ ପାପନାଶ ପାଇଁ ମଥୁରା ନରେଶ କଂସ ଶ୍ରୀକ୍ଷେତ୍ରରେ ପହଞ୍ଚିଛନ୍ତି। ମହୋଦଧିରେ ବୁଡ଼ ପକାଇବା ସହ ମହାପ୍ରଭୁଙ୍କୁ ଦର୍ଶନ କରି ପାପରୁ ମୁକ୍ତି ପାଇଁ କୃପାଭିକ୍ଷା କରିଛନ୍ତି। ଜାତୀୟ ମହୋତ୍ସବର ମାନ୍ୟତା ପାଇଥିବା ବରଗଡ଼ ଧନୁଯାତ୍ରା ପୌଷ ଶୁକ୍ଳ ଚତୁର୍ଥୀରେ ଆରମ୍ଭ ହୋଇ ପୌଷ ପୂର୍ଣ୍ଣମାରେ ଶେଷ ହୋଇଥାଏ। ପ୍ରତିବର୍ଷ ଧନୁଯାତ୍ରାର ମୁଖ୍ୟ ଆକର୍ଷଣ ସାଜିଥାନ୍ତି କଂସ ମହାରାଜ। ୪ ବର୍ଷ ଧରି କଂସ ଭୂମିକାରେ ଅଭିନୟ କରି ଆସୁଥିବା ଭୁବନେଶ୍ବର ପ୍ରଧାନ ଚଳିତ ବର୍ଷ ବି କଂସ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ।

୧୧ ଦିନର ଅଭିନୟ ଶେଷ ପରେ ଶ୍ରୀ ପ୍ରଧାନ ଆଜି ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ଶ୍ରୀକ୍ଷେତ୍ରରେ ପହଞ୍ଚି ପୁରୀ ସମୁଦ୍ର କୂଳରେ ବୁଡ଼ ପକାଇଥିଲେ। ସୂର୍ଯ୍ୟଦେବଙ୍କୁ ପ୍ରଣାମ ସହ ୧୧ ଦିନ କଂସ ଭୂମିକ‌ାରେ ରହି ଯାହା କିଛି ତ୍ରୁଟି କରିଛନ୍ତି, ସେଥିରୁ କ୍ଷମା ଦେବାକୁ ପ୍ରାର୍ଥନା କରିଥିଲେ। ମହୋଦଧିରେ ବୁଡ଼ ପକାଇବା ପରେ ଶ୍ରୀ ପ୍ରଧାନ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ କୃପାଲାଭ ପାଇଁ ଗୋବର୍ଦ୍ଧନ ପୀଠକୁ ଯାଇଥିଲେ। ସେଠାରୁ ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ କ୍ଷମା ମାଗିଥିଲେ। ଏହା ପରେ ଅନ୍ୟ ଦେବାଦେବୀଙ୍କ ଦର୍ଶନ କରି ପୁନର୍ବାର ବରଗଡ଼ ଫେରିଯାଇଥିଲେ ଏହି ଅବସରରେ ସେ ଗଣମାଧ୍ୟମକୁ କହିଛନ୍ତି, ଅଭିନୟ କାଳରେ ସେ ଅନେକ ଦେବାଦେବୀଙ୍କୁ କଟୁ ମନ୍ତବ୍ୟ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ଏହି ପାପରୁ କ୍ଷମା କରିବାକୁ ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧିତ ଖବର