ବରଗଡ଼- ନୂଆପଡ଼ା ରେଳ ଲାଇନ୍‌ ଝୁଲାଇ ରଖିଲେ ରେଳମନ୍ତ୍ରୀ

ବରଗଡ଼ : ବରଗଡ଼-ନୂଆପଡ଼ା ନା ବରଗଡ଼-ବାଗବହରା? କେଉଁ ପ୍ରକଳ୍ପ ବାସ୍ତବରେ ରେଳ ବିଭାଗକୁ ଲାଭ ପ୍ରଦାନ କରିବ, ଏହାକୁ ନେଇ ବିତର୍କ ବର୍ଷ ତମାମ ଲାଗି ରହୁଛି। କିନ୍ତୁ ପ୍ରତି ବର୍ଷ ବରଗଡ଼ବାସୀଙ୍କୁ ରେଳବଜେଟ୍‌ରେ ନିରାଶାର ସାମନା କରିବାକୁ ପଡ଼ିଛି। ପ୍ରସ୍ତାବିତ ବରଗଡ଼-ନୂଆପଡ଼ା ରେଳ ଲାଇନ୍‌ ଏବେ ଅନିଶ୍ଚିତତା ଘେରକୁ ଠେଲି ହୋଇଯାଇଛି। ଖୋଦ୍‌ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉତ୍ତରରୁ ଏହି ପ୍ରସ୍ତାବିତ ପ୍ରକଳ୍ପ ଦ୍ବନ୍ଦ୍ବ ଭିତରେ ଛନ୍ଦି ହୋଇଛି।

ଶୁକ୍ରବାର ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ସଭାଗୃହରେ ବରଗଡ଼-ନୂଆପଡ଼ା ରେଳ ଲାଇନ୍ ପ୍ରସଂଗ ନେଇ ଦୁଇଟି ପ୍ରଶ୍ନ ରଖିଥିଲେ। ବରଗଡ଼-ନୂଆପଡ଼ା ଲାଇନ୍‌ (ଭାୟା ବିଜେପୁର ଓ ପଦ୍ମପୁର) ନେଇ କିଛି ସର୍ଭେ ହୋଇଛି କି? ଯଦି ହୋଇନି ଏହି ରେଳ ଲାଇନ୍ ନେଇ କେନ୍ଦ୍ର ସରକାରଙ୍କ ଆଗାମୀ ପନ୍ଥା କ’ଣ? ଏହି ଦୁଇଟି ପ୍ରଶ୍ନ ସାଂସଦ ଶ୍ରୀ ଆଚାର୍ଯ୍ୟ ଉତ୍‌ଥାପନ କରିଥିଲେ। ଜବାବରେ କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀ ବୈଷ୍ଣବ ଦ୍ବନ୍ଦ୍ବଯୁକ୍ତ ଉତ୍ତର ରଖିଥିଲେ। ଉତ୍ତରରେ ସେ କହିଲେ, ବରଗଡ଼-ନୂଆପଡ଼ା ରେଳଲାଇନ୍‌ (ଭାୟା ପଦ୍ମପୁର)ର ସର୍ଭେ ୨୦୧୮-୨୦୧୯ ମସିହ‌ାରେ ସଂପାଦିତ ହୋଇଥିଲା। କିନ୍ତୁ ଏହି ୧୪୨ କିମି ବିଶିଷ୍ଟ ପ୍ରସ୍ତାବିତ ରେଳପ୍ରକଳ୍ପ ଆଗକୁ ବଢ଼ି ପାରିବ ନାହିଁ। କାରଣ ବିଭିନ୍ନ ଦୃଷ୍ଟିକୋଣରୁ ଏହା ଯୁକ୍ତି ସଂଗତ ରହୁନାହିଁ।

କିନ୍ତୁ ଏହି ପ୍ରକଳ୍ପକୁ ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ପରି‌ଷଦ (ଓଆର୍‌ଆଇଡିଏଲ୍‌) ଚିହ୍ନଟ କରିଛି। ଏବଂ ଓଡ଼ିଶା ସରକାରଙ୍କ ୫୧ ପ୍ରତିଶତ ଓ ରେଳ ମନ୍ତ୍ରଣାଳୟର ୪୯ ପ୍ରତିଶତ ଅଂଶୀଦାରରେ ଏହାର ବିକାଶ ସମ୍ଭବ। ଓଡ଼ିଶା ସରକାର ଜମି ଅଧିଗ୍ରହଣ ପାଇଁ ସମ୍ମତି ପ୍ରଦାନ କରିଛନ୍ତି ଏବଂ ଏହି ପ୍ରକଳ୍ପ ପରୀକ୍ଷାଧୀନ ସ୍ଥିତିରେ ଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ନିଜ ଉତ୍ତରରେ ଦର୍ଶାଇଛନ୍ତି। ତେବେ ତାଙ୍କ ଉଭୟ ଉତ୍ତରକୁ ତର୍ଜମା କଲେ, ଏହି ପ୍ରକଳ୍ପର ସମ୍ଭାବ୍ୟ ସ୍ଥିତି ନେଇ କିଛି ନିର୍ଦ୍ଦିଷ୍ଟ ରୂପରେଖ ରହୁନଥିବା ସାଂସଦ ଶ୍ରୀ ଆଚାର୍ଯ୍ୟ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର