ରାଜନୀତି ରଙ୍ଗ ବି ମଧୁର : ପ୍ରସନ୍ନ- ସୁରେଶ କୋଳାକୋଳି

ବରଗଡ଼ : ରାଜନୀତି କହିଲେ ସାଧାରଣତଃ ଯାହା ବୁଝାଯାଏ, ତାହାର ଏକ ଓଲଟା ଚିତ୍ର ଦେଖିବାକୁ ମିଳିଛି ବରଗଡ଼ରେ। ରାଜନୈତିକ ପ୍ରତିଦ୍ବନ୍ଦ୍ବିତାକୁ ପଛରେ ପକାଇ କିମ୍ବା ମନ ଭିତରେ ଲୁଚି ରହିଥିବା ଇଚ୍ଛାକୁ ସାମ୍‌ନାକୁ ନ ଆଣି ରାଜନେତାମାନେ କୋଳାକୋଳି ହୋଇଛନ୍ତି। ଏହି ଦୃଶ୍ୟକୁ ଯିଏ ବି ଦେଖିଛନ୍ତି, କ୍ଷଣିକ ପାଇଁ ହେଉ ପଛକେ ରାଜନୀତି ପାଇଁ ଥିବା ସେମାନଙ୍କ ଧାରଣାକୁ ବଦଳେଇବା ପାଇଁ ବାଧ୍ୟ ହୋଇଛନ୍ତି।

ଆଜି ପ୍ରାର୍ଥିପତ୍ର ଦାଖଲ ପାଇଁ ବରଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚଳଚଞ୍ଚଳ ହୋଇଉଠିଥିଲା। ବିଭିନ୍ନ ରାଜନୈତିକ ଦଳର ଆଗଧାଡ଼ିର ନେତାମାନେ ନିଜର ପ୍ରାର୍ଥିପତ୍ର ଦାଖଲ କରୁଥିବାରୁ ନେତା, ସମର୍ଥକ ଓ କର୍ମୀଙ୍କ ଭିଡ଼ ମଧ୍ୟ ଲାଗି ରହିଥିଲା। ବରଗଡ଼ ଲୋକସଭା ଆସନ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଉଭୟ ବିଜେଡି ଓ ବିଜେପିର ଦୁଇ ହେଭିୱେଟ୍‌ ପ୍ରସନ୍ନ ଆଚାର୍ଯ୍ୟ ଓ ସୁରେଶ ପୂଜାରୀ ବି ପ୍ରାର୍ଥିପତ୍ର ଦାଖଲ ପାଇଁ ଆସିଥିଲେ। ପ୍ରଥମେ ଶ୍ରୀ ଆଚାର୍ଯ୍ୟ ଜିଲ୍ଲାପାଳଙ୍କ ଠାରେ ପ୍ରାର୍ଥିପତ୍ର ଦାଖଲ କରିବା ପରେ ବାହାରକୁ ଆସିଥିଲେ। ଏତିକି ବେଳେ ଶ୍ରୀ ପୂଜାରୀ ସେଠାରେ ପହଂଚିଥିଲେ। ଫଳରେ, ଦୁଇ ନେତା ମୁହାଁମୁହିଁ ହୋଇଥିଲେ। ମାତ୍ର, ବାଟ ଭାଙ୍ଗି ନଯାଇ ଦୁହେଁ ପରସ୍ପରକୁ ଆଲିଂଗନ କରିଥିଲେ। ହାଲ୍‌ଚାଲ୍‌ ବୁଝିଥିଲେ। ଗାଲ ଥାପୁଡ଼ାଇଥିଲେ। ଦେଖଣାହାରୀ ଯୁଦ୍ଧ ପୂର୍ବରୁ ଏହି କୋଳାକୋଳି ଦୃଶ୍ୟକୁ ମନଭରି ଉପଭୋଗ କରିଥିଲେ। ଏହି ଦୃଶ୍ୟ ଦେଖୁଥିବା କେହିକେହି କହୁଥିଲେ: ରାଜନୀତି ଖାଲି ପ୍ରତିଦ୍ବନ୍ଦ୍ବିତା କି ପରସ୍ପର ପ୍ରତି ଗହି ଖୋଳାଖୋଳି ନୁହେଁ, ଏହାରି ମାଧ୍ୟମରେ ବି ସମ୍ପର୍କ ବଜାୟ ରଖିହେବ।

ଏହାପୂର୍ବରୁ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଶ୍ରୀ ଆଚାର୍ଯ୍ୟ ପ୍ରାର୍ଥିପତ୍ର ଦାଖଲ ସମୟରେ ସାଂସଦ ଡ. ପ୍ରଭାସ ସିଂହଙ୍କୁ ତାଙ୍କ ପାଖରେ ଦେଖିବାକୁ ମିଳିଥିଲା। ଏଥରକ ଡ. ସିଂହଙ୍କ ବଦଳରେ ଶ୍ରୀ ଆଚାର୍ଯ୍ୟଙ୍କୁ ବିଜେଡି ପକ୍ଷରୁ ପ୍ରାର୍ଥୀ କରାଯାଇଛି। ଏହାପରେ ଟିକଟ୍‌ ଆଶାୟୀ ଡ. ସିଂହଙ୍କ ଆଚରଣ ଏବଂ ଉଚ୍ଚାରଣ କ’ଣ ରହିବ ବୋଲି ଚର୍ଚ୍ଚା ଜୋର୍‌ ଧରିଥିଲା। ମାତ୍ର, ଗୋଟିଏ ମଂଚର ପାଖେପାଖେ ଡ. ସିଂହ ଏବଂ ଶ୍ରୀ ଆଚାର୍ଯ୍ୟ ବସିଥିଲେ। ଆଚରଣ ସ୍ବାଭାବିକ ଥିଲା। ଡ. ସିଂହ ନିଜ ବକ୍ତବ୍ୟରେ ଶ୍ରୀ ଆଚାର୍ଯ୍ୟଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ତାଙ୍କ ସକାଶେ ଭୋଟ୍‌ ଭିକ୍ଷା କରିଥିଲେ। ଶ୍ରୀ ଆଚାର୍ଯ୍ୟଙ୍କ ଯେତେବେଳେ ପାଳି ପଡ଼ିଲା ସେ ଡ. ସିଂହଙ୍କୁ ନିଜ ସାନଭାଇ ବୋଲି କହୁଥିଲେ। ବର୍ତ୍ତମାନ ଦଳୀୟ ଟିକେଟ ନ ପାଇ ନେତାମାନେ ଯେଉଁଭଳି ବିପକ୍ଷ ଶିବିରକୁ ଲମ୍ଫ ଦେଉଛନ୍ତି, ଏହି ଦୃଶ୍ୟ ତାହାର ଏକ ବ୍ୟତିକ୍ରମ ବୋଲି ସମର୍ଥକମାନେ କହୁଥିବା ଶୁଣିବାକୁ ମିଳିିଥିଲା।

ସମ୍ବନ୍ଧିତ ଖବର